ଅଧା ରହିଗଲା ବାହାଘର : ଦୁର୍ଘଟଣାରେ ଚାଲିଗଲେ ଦାଦା ପୁତୁରା
ଆଉ ଦୁଇଦିନ ପରେ ହୋଇଥା’ନ୍ତା ବାହାଘର । ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଜମିଥିଲା । ବରଯାତ୍ରୀ ପାଇଁ ସାଙ୍ଗ ସାଥୀମାନଙ୍କୁ ଡକା ବି ସରିଥିଲା । ଭଉଣୀକୁ ଆଣିବା ପାଇଁ ଘରୁ ବାହାରି ଛକକୁ ଯାଇଥିଲେ । ହେଲେ କିଏ ଜାଣିଥିଲା ସେ ଆଉ ଘରକୁ ଫେରିବେନି ବୋଲି । ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବର ଓ ତାଙ୍କ ପୁତୁରାଙ୍କର ଅକାଳ ବିୟୋଗ ପରିବାରର ହସଖୁସିକୁ ନିମିଷେକରେ ଛଡ଼ାଇନେଇଛି । ଅଧାରେ ରହିଗଲା ବାହାଘର ।
ବର ବେଶରେ ବେଦୀକୁ ଯିବା ବଦଳରେ ଜୁଇରେ ଜଳିଛି ଦାଦା ପୁତୁରାଙ୍କ ମର ଶରୀର । ଏଭଳି ଦୁଃଖଦ ଖବର ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ନୀଳଗିରି ଥାନା ଅନ୍ତର୍ଗତ ଗାଙ୍ଗପୁରା, ଗୋବରା ଗ୍ରାମର ହରେକୃଷ୍ଣ ମହାଳିକ ଆଉ ଦୁଇ ଦିନ ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ । ନିଜ ଭଉଣୀକୁ ଶେରଗଡ଼ ଛକରୁ ଆଣିବା ପାଇଁ ଏକ କାର୍ରେ ନିଜ ପୁତୁରା ଜ୍ୟୋତିଶଙ୍କରକୁ ସଙ୍ଗରେ ଧରି ବୁଧବାର ଭୋର୍ ପ୍ରାୟ ୪.୩୦ଟା ସମୟରେ ଖୁସିରେ ଯାଉଥିବା ବେଳେ ବାଲିଗୋହିରି ଛକ ନିକଟରେ ଶେରଗଡ଼ ପଟୁ ଆସୁଥିବା ଏକ ଡମ୍ପର (ଓ ଡି ଜିରୋ ୧-୪୪୭୭) କାର ଉପରେ ମାଡ଼ି ଯାଇଥିଲା । ଦୁର୍ଘଟଣାରେ କାରଟି ସଂପୂର୍ଣ୍ଣ ରୂପେ ଚୂର୍ମାର୍ ହୋଇଯାଇଥିଲା । ଜୋର୍ ଆବାଜ୍ ଶୁଣି ସ୍ଥାନୀୟ ଲୋକଙ୍କ ସମାଗମ ହୋଇ ପଡ଼ିଥିଲା । ଘଟଣା ସ୍ଥଳରେ ହରେକୃଷ୍ଣଙ୍କର ମୃତୁ୍ୟ ଘଟିଥିଲା । ପୁତୁରା ଜ୍ୟୋତିଙ୍କୁ ଗୁରୁତର ଅବସ୍ଥାରେ ସମ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତୁ୍ୟ ଘଟିଥିଲା । ସେପଟେ ଭାଇକୁ ଅପେକ୍ଷା କରି ରହିଥିଲେ ଭଉଣୀ । ଭାଇ ମୋବାଇଲକୁ ଫୋନ୍ କରୁଥିବା ବେଳେ ମୋବାଇଲ ବନ୍ଦ ରହିଥିଲା । ଏଭଳି ଦୁଃଖଦ ଖବର ପାଇବା ପରେ ପରିବାର ଲୋକମାନେ ଅବାକ୍ ହୋଇଯାଇଥିଲେ । ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ମୃତକଙ୍କ ପରିବାର ଲୋକେ କ୍ଷତିପୂରଣ ଦାବିରେ ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତାରୋକ୍ କରିଥିଲେ । ଘଟଣା ସ୍ଥଳରେ ନୀଳଗିରି ଆଇଆଇସି ଗୋବର୍ଦ୍ଧନ ନାୟକ, ଏସଡିପିଓ ପ୍ରମୋଦ ମଲ୍ଲିକ ପୋଲିସ ଫୋର୍ସ ଧରି ପହଞ୍ଚôବା ସହ ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ହେଲେ ରାସ୍ତା ଅବରୋଧ ହଟିନଥିଲା । ଖବର ପାଇ ନିଳଗିରି ତହସିଲଦାର ସୋନମ୍ ଦାସ ଘଟଣା ସ୍ଥଳରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା ପରେ ରାସ୍ତା ଅବରୋଧ ହଟିଥିଲା । ଗାଆଁରେ ଏକ ପ୍ରକାର ଶୋକାକୁଳ ପରିବେଶ ଦେଖିବାକୁ ମିଳଥିବାବେଳେ ଗୋଟିଏ ମଶାଣିରେ ଦାଦା ପୁତୁରାଙ୍କ ଜୁଇ ଜଳିଥିଲା ।