ଅଧା ରହିଗଲା ଜଗା ଦର୍ଶନ: ଦୁର୍ଘଟଣାରେ ଚାଲିଗଲା ୩ ଯୁବତୀଙ୍କ ଜୀବନ

ଅଧା ରହିଗଲା ଜଗା ଦର୍ଶନ: ଦୁର୍ଘଟଣାରେ ଚାଲିଗଲା ୩ ଯୁବତୀଙ୍କ ଜୀବନ

ପିପିଲି : ଜଗା ପର୍ଶନ ପାଇଁ ଯାଉଥିଲେ । ବାଟରେ ଦୁର୍ଘଟଣାରେ ଚାଲିଗଲା ଜୀବନ । ପୁରୀ ଜିଲା ପିପିଲି ଥାନା ଅଧୀନ ତରାକାଜ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଆମ ବସ୍‌ ଧକ୍କାରେ ୩ ଜଣ ଯୁବତୀଙ୍କ ମୃତ୍ୟୁ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ମୃତକମାନେ ହେଲେ ରିମ୍‌ଝିମ ପ୍ରିୟଦର୍ଶିନୀ ସାହୁ (୨୦), ଏଲିନା ଦାସ (୨୦)  ଓ କାଜଲ ଦାସ (୨୦)।

ସୂଚନା ଅନୁସାରେ, ରିମ୍‌ଝିମ ପ୍ରିୟଦର୍ଶିନୀ ସାହୁ, ଏଲିନା ଦାସ ଓ କାଜଲ ଦାସ ଏକ ସ୍କୁଟିରେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିଲେ । ହେଲେ ପିପିଲି ତରାକାଜ ନିକଟରେ ଅନ୍ୟ ଏକ ସ୍କୁଟି ସାଇଡ୍‌ ମାରିବାରୁ ୩ ଜଣ ଯୁବତୀ ସ୍କୁଟିରୁ ତଳେ ପଡି ଯାଇଥିଲେ। ସେତିକିବେଳେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି) ଦ୍ବାରା ପରିଚାଳିତ ଯାତ୍ରୀବାହୀ ବସ୍‌ ନିୟନ୍ତ୍ରଣ ହରାଇ ସେମାନଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଦୁର୍ଘଟଣା ସ୍ଥଳରେ ହିିଁ ୩ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଦୁର୍ଘଟଣା ଘଟାଇବା ପରେ ବସ୍‌ଟି ଫେରାର ମାରିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ସ୍କୁଟି ଓଡି ୦୨ ବିକ୍ୟୁ ୭୩୬୭ ଜବତ କରିଛି । ଏନେଇ ପୁଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।