ଅଧାରେ ଅଟକିଛି ପରିବା ମଣ୍ଡି ନିର୍ମାଣ କାର୍ଯ୍ୟ 

 ଖଣ୍ଡପଡା : ଖଣ୍ଡପଡ଼ା ସହରର ୧୩ ନଂ ୱାର୍ଡ ଅଧୀନ ନୂତନ ବସ୍ଷ୍ଟାଣ୍ଡ ନିକଟରେ ନିର୍ମାଣଧୀନ ପରିବା ମଣ୍ଡି ଓ ଗାର୍ଡୱାଲ ନିର୍ମାଣ କାର୍ଯ୍ୟ ଅଧାରେ ଅଟକିଥିବା ଜଣାପଡିଛି । ଗତ ୧୮ ମାସ ତଳେ ଉକ୍ତ ପରିବା ମଣ୍ଡି ନିର୍ମାଣ କାର୍ଯ୍ୟ ଏନଏସି କର୍ତ୍ତୃପକ୍ଷଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିଲା । ୩୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରଶାସନ ପକ୍ଷରୁ ନିର୍ମାଣଧୀନ ଏହି ପ୍ରକଳ୍ପ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।ଏହି ପରିବା ମଣ୍ତି ନିର୍ମାଣ କାର୍ଯ୍ୟ ଶେଷ  ହେଲେ ଖଣ୍ଡପଡା ସହରର  ବ୍ୟବସାୟୀମାନେ ଉପକୃତ ହେବା ସହ ଦୈନିକ ମୁଖ୍ୟ ରାସ୍ତା ପାର୍ଶ୍ୱରେ  ଆଉ ପରିବା ହାଟ ବସିବ ନାହିଁ ବୋଲି ଜଣାପଡିଛି । ରାସ୍ତା ପାର୍ଶ୍ୱରେ ପରିବା ହାଟ ଯୋଗୁଁ ବାରମ୍ବାର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ବେଳେ, ଏହାକୁ ନଜରରେ ରଖି ପରିବା ମଣ୍ଡି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି । ଯୁଦ୍ଧକାଳୀନ ଭିତ୍ତିରେ ଉକ୍ତ ପରିବା ମଣ୍ଡି ନିର୍ମାଣ କାର୍ଯ୍ୟ ଶେଷ ନିମନ୍ତେ ଏନ୍ଏସି ଅଧ୍ୟକ୍ଷା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।