ପୁରୀ ପୁଲିସ ବୈଠକ : ଅପରାଧ ଦମନ ଓ ନିଶା ଦ୍ରବ୍ୟ କାରବାର ବନ୍ଦ ପ୍ରତି ଗୁରୁତ୍ୱ

ପୁରୀ : ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯିବ । ଆଗାମୀ ପର୍ବପର୍ବାଣୀ ଓ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ପାଇଁ ସ୍ଥିରୀକୃତ ହୋଇଛି । ଏହି ମର୍ମରେ ନୂତନ ଏସ୍.ପି ପ୍ରତୀକ ସିଂ ନିଦେ୍ର୍ଦଶ ଦେଇଛନ୍ତି । ସହରରେ ଅପରାଧ ନିୟନ୍ତ୍ରଣ, ମାଦକ ଦ୍ରବ୍ୟର ଚୋରା କାରବାରକୁ ରୋକିବା ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୁନିଶ୍ଚିତ କରିବା ପାଇଁ ନୂତନ ଏସ୍.ପି ରୂପେ ପ୍ରତୀକ ସିଂଙ୍କ ପ୍ରଥମ କାର୍ଯ୍ୟ ଦିବସରେ ଏକ ବୈଠକ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଶ୍ରୀମନ୍ଦିରର ସୁରକ୍ଷା, ଅପରାଧ ନିୟନ୍ତ୍ରଣ ଆଦି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ବୈଠକରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଶୀଲ ମିଶ୍ର, ଦେବୀଶଙ୍କର ପ୍ରତାପ, ସଚ୍ଚିନ ପଟେଲ ଏବଂ ପୁରୀ ଜିଲ୍ଳାର ସମସ୍ତ ଡ଼ି.ଏସ୍.ପି ତଥା ସମସ୍ତ ଥାନାର ଇନ୍ସପେକ୍ଟର ଇନ୍ଚାର୍ଜ ମାନେ ଯୋଗଦେଇଥିଲେ । ବୈଠକରେ ଅପରାଧର ସମୀକ୍ଷା କରାଯିବା ସହ ଜିଲ୍ଳାର ଅଭ୍ୟାସଗତ ଅପରାଧୀମାନଙ୍କ ତାଲିକାକୁ ପୁନର୍ବୀକ୍ଷଣ କରି ସେମାନଙ୍କ ଉପରେ କଡ଼ା ନଜର ରଖିବା, ପର୍ବପର୍ବାଣୀ ସମୟରେ ପକେଟମାର ଓ ଅନ୍ୟ ଅପରାଧୀମାନଙ୍କ ପ୍ରତି ସତର୍କ ଦୃଷ୍ଟି, ଗଞ୍ଜେଇ, ବ୍ରାଉନସୁଗାର ଓ ଅନ୍ୟାନ୍ୟ ନିଷିଦ୍ଧ ମାଦକଦ୍ରବ୍ୟ ବେପାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଧରିବା ପାଇଁ ଥାନା ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ଜିଲ୍ଳାର ସମସ୍ତ ଆଇଆଇସିମାନେ ସେମାନଙ୍କ ଥାନା ଅଧୀନସ୍ଥ ଅଞ୍ଚଳରେ ଆମ ପୁଲିସ ସଭା କରିବାକୁ ଆରକ୍ଷୀ ଅଧୀକ୍ଷକ ନିଦେ୍ର୍ଦଶ ଦେଇଥିଲେ ।