ଅନଲାଇନ ଜୁଆର ବିଦାୟବେଳ
ଡ. ମନୋଜ କୁମାର ମହାନ୍ତି : ଆଜିର ଅତ୍ୟାଧୁନିକ ଯୁଗରେ ସବୁକିଛି ମଣିଷର ହାତ ପାହାନ୍ତାରେ । ସମାଜକୁ ଗୋଟେ ପରେ ଗୋଟେ ନୂତନ ଭେଟି ଦେବାରେ ମଣିଷ କୌଣସି ଅବହେଳା କରିନାହିଁ । ବିଜ୍ଞାନ ଓ ବୈଷୟିକ ବିଜ୍ଞାନକୁ ଆଧାର କରି ଭିନ୍ନଭିନ୍ନ ଜୀବିକାକୁ ମାଧ୍ୟମ ଭାବେ ଗ୍ରହଣ କରି ତା ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ସେ ପ୍ରୟାସ କରିଛି । ବୈଷୟିକ ଓ ପ୍ରଯୁକ୍ତି ବିଜ୍ଞାନକୁ ଆୟତ୍ତ କରି ମାନବ ବିକାଶ କ୍ଷେତ୍ରରେ ଯେଉଁ ବ୍ୟାପକ ପରିବର୍ତ୍ତନ ହୋଇଛି, ତାହା ଶବ୍ଦରେ ପରିପ୍ରକାଶ ସମ୍ଭବ ନୁହେଁ । ବୈଷୟିକ ବିଜ୍ଞାନର ଏକ ପ୍ରମୁଖ ଅସ୍ତ୍ର ସାଜିଛି ସଫ୍ଟୱେର ଇଞ୍ଜିନିୟରିଂ ଯାହାର ବ୍ୟାପକତା ସମାଜର ସବୁ କ୍ଷେତ୍ରରେ ଦେଖିବାକୁ ମିଲୁଛି । କମ୍ପ୍ୟୁଟର, ସ୍ମାର୍ଟ୍ ଫୋନ୍ ଜରିଆରେ ଏବେ ଦୁନିଆ ହୋଇଛି ହାତ ମୁଠାରେ । ଇଣ୍ଟରନେଟର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ହେବାରେ ଲାଗିଛି । ଯୁବକ, ଆବାଳ-ବୃଦ୍ଧ-ବନିତା ସଭିଏଁ ଇଣ୍ଟରନେଟ୍ ସାହାଯ୍ୟରେ ମନୋରଞ୍ଜନରେ ନିମଗ୍ନ । ଏହାର ସୁଯୋଗ ନେଇ ରାଷ୍ଟ୍ରୀୟ ଓ ବହୁରାଷ୍ଟ୍ରୀୟ ବେସରକାରୀ ସଂସ୍ଥା ନିଜର ବାଣିଜ୍ୟ ସହ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବିଭିନ୍ନ ସଫ୍ଟୱେର ଆପ୍ଲିକେସନ ମାଧ୍ୟମରେ ଜନସାଧାରଣଙ୍କୁ ଆକୃଷ୍ଟ କରିବାରେ ଲାଗିପଡ଼ିଲେ । ମଣିଷ ନିଜ ଆବଶ୍ୟକତା ଅନୁସାରେ କିଛି ନିର୍ଦ୍ଧିଷ୍ଟ ପ୍ରୋଗ୍ରାମ ଆପ୍ଲିକେସନକୁ ତା ଦୈନନ୍ଦିନ ଜୀବନରେ ବ୍ୟବହାର କରିଛି: ଫେସବୁକ୍, ୱାଟସ୍ ଆପ, ଟେଲିଗ୍ରାମ, ଓ ଇନ୍ଷ୍ଟାଗ୍ରାମ । ଅଧିକାଂଶ ଲୋକ ସାମାଜିକ ଗଣମାଧ୍ୟମ ସହ ସମସ୍ତେ ଜଡ଼ିତ । ଯୁବଗୋଷ୍ଠୀ ମଧ୍ୟରେ ସାମାଜିକ ଗଣମାଧ୍ୟମ ସହ ଅନଲାଇନ ଗେମିଂ ପ୍ରତି ଦୁର୍ବଳତା ବହୁମାତ୍ରାରେ ବଢ଼ିବାରେ ଲାଗିଛି ।
ଶାରୀରିକ ଗଠନ ତଥା ମାନସିକ ଅଭିବୃଦ୍ଧି ପାଇଁ ଖେଳକୁଦ ନିହାତି ଜରୁରି । ଗୃହ ବାହାରେ ଅର୍ଥାତ ଖୋଲା ପଡ଼ିଆରେ ଖେଳାଯାଉଥିବା ଖେଳ ଯାହାର ଆବଶ୍ୟକତା ପ୍ରାଚୀନ କାଳରୁ ରହିଆସିଛି । ବିଶେଷ କରି ଯୁବଗୋଷ୍ଠୀ ବାହ୍ୟଖେଳ(ଆଉଟ୍ ଡୋର-ଗେମ) ପ୍ରତି ଆଗ୍ରହ ପ୍ରକାଶ କରୁଥିବାବେଳେ ଅନ୍ତଃଖେଳ(ଇଣ୍ଡୋର-ଗେମ) ଯାହାକି ତାସ, ପଶାପାଲି, ସତ୍ରଞ୍ଜ, କ୍ୟାରମ୍ ଓ ଲୁଡୁ ପ୍ରତି ସ୍ତ୍ରୀ ଓ ପୁରୁଷ ଆବାଳ-ବୃଦ୍ଧ-ବନିତା ସମସ୍ତଙ୍କର ଧ୍ୟାନ କେନ୍ଦ୍ରୀଭୂତ । ଟ୍ରଫି ସହ କିଛି ନଗଦ ଟଙ୍କା ଉପହାର ବ୍ୟବସ୍ଥା ପ୍ରେତ୍ୟେକ ଖେଳକୁ ଲୋକପ୍ରିୟ ତଥା ଆକର୍ଷଣ କରିବାରେ ଲାଗିଛି । ସବୁବେଳେ ସଧାରଣ ଲୋକମାନଙ୍କ ମଧ୍ୟରେ ସିଧାସଳଖ ଖେଳିବା ସମ୍ଭବ ନହେବାରୁ ସଫ୍ଟୱେର ଅନଲାଇନ ଗେମସର ସୃଷ୍ଟି ହେଲା । ଏବଂ ତାକୁ ଇଣ୍ଟରନେଟ୍ ମାଧ୍ୟମରେ ଅନଲାଇନ୍ ଖେଳିବାର ବ୍ୟବସ୍ଥା କରାଗଲା । ଧୀରେଧୀରେ ଅନଲାଇନ ଗେମିଂର ଚାହିଦା ଖୁବ୍ ବେଗରେ ବଢ଼ିବାରେ ଲାଗିଲା । ଭାରତ ଭଳି ଜନବହଳ ଦେଶରେ ଏହାପ୍ରତି ଯୁବବର୍ଗ ଅତିମାତ୍ରାରେ ଆସକ୍ତ ହେଲେ । କ୍ରିକେଟ, ଫୁଟବଲ୍, କବାଡି ପାଇଁ ଡ୍ରିମ୍-ଏଗାର ଓ ‘ମୋ ସର୍କଲ’ ସେହିଭଳି ଭାରତର ପାରମ୍ପରିକ ଲୁଡୁ ପାଇଁ ଜୁପି, ରୋମୀ, ୱିନିଂ ଗେମିଂ ଆପ ମାଧ୍ୟମରେ ଖେଳିଗଲା । ଏହାର ପ୍ରଚାର ପ୍ରସାର ପାଇଁ ଚଳଚିତ୍ର ଜଗତର ଜଣାଶୁଣା ଅଭିନେତା ଓ କ୍ରିକେଟ ଖେଳ ଜଗତର ଖେଳାଳୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଜ୍ଞାପନ ଅନଲାଇନ ଗେମିଁଙ୍ଗକୁ ଆହୁରି ଲୋକପ୍ରିୟତା କରିବାରେ ଲାଗିଲା । ଅଳ୍ପ ସମୟ ମଧ୍ୟରେ ସ୍ୱଳ୍ପଅର୍ଥ ବିନିଯୋଗରେ ବିନା ପରିଶ୍ରମରେ କୋଟିପତି ହେବାର ସୁଯୋଗକୁ କିଏବା ହାତଛଡ଼ା କରିବ ? ଖାଲି ସେତିକି ନୁହେଁ ସମୟେ ସମୟେ ବମ୍ପର ପୁରସ୍କାର ବ୍ୟବସ୍ଥା ମଧ୍ୟ ଉକ୍ତ ଅନଲାଇନ ଖେଳ ଯୁବସମାଜକୁ ପ୍ରଲୁବ୍ଧ କରିଚାଲିଲା । ଖାଲି ଯୁବକ ନୁହେଁ ବରଂ ସବୁ ବୟସର, ସବୁ ବର୍ଗର ଲୋକଙ୍କୁ ଅନଲାଇନ ଗେମିଙ୍ଗ କରିଛି ପାଗଳ । ସ୍ମାର୍ଟଫୋନ୍ ଜରିଆରେ ଇଣ୍ଟରନେଟକୁ ହତିଆର କରି ବ୍ୟସ୍ତ ସମସ୍ତେ ଅର୍ଥ ରୋଜଗାର ନିଶାରେ । ରାତାରାତି କୋଟିପତି ହେବାର ନିଶା ଲାଗିଛି ସଭିଙ୍କୁ । ଗଣମାଧ୍ୟମର ବିଜ୍ଞାପନ ମାଧ୍ୟମରେ ଅନଲାଇନ ଖେଳର ଯେଉଁଭଳି ବ୍ୟାପକ ପ୍ରଚାର ପ୍ରସାର କରାଗଲା ତାହା ଯୁବସମାଜକୁ ଆକର୍ଷିତ କରିବାରେ ଲାଗିଲା । ପ୍ରତ୍ୟେକ ଖେଳର ମୁଖ୍ୟ ଉଦ୍ଦେଶ୍ୟ ମାନସିକ ଓ ଶାରୀରିକ ଚାପମୁକ୍ତ ସହ ମନୋରଞ୍ଜନ । କିନ୍ତୁ ଅନଲାଇନ ଗେମିଂ କିଛି ବେସରକାରୀ ସଂସ୍ଥା ପାଇଁ ବିପୁଳ ଅର୍ଥ ଉପାର୍ଜନର ମାଧ୍ୟମ ପାଲଟିଗଲା ।
ପିଲା,ଭେଣ୍ଡିଆ ଓ ମଧ୍ୟବୟସ୍କମାନେ ଅନଲାଇନ ଜୁଆର ଚକ୍ରବ୍ୟୁହରେ ସମ୍ପୂର୍ଣ୍ଣ କବଳିତ । ଟଙ୍କାକୁ ଦଶଗୁଣ କରିବା ଆଶାରେ ଖେଳା ଯାଉଥିବା ଖେଳ କେବେ ଖେଳ ନୁହେଁ ବରଂ ଜୁଆ । ଆରମ୍ଭରେ ଭାରି ଭଲଲାଗେ ବିଶେଷ କରି ବାଜି ଜିତି କିଛି ଅର୍ଥ ଅର୍ଜନ କଲେ । କିନ୍ତୁ ସବୁଦିନ ଜହ୍ନରାତି ନଥାଏ । ଜିତିବାର ମୋହରେ ଅନ୍ଧ ହୋଇ ମଣିଷ ଖେଳିଚାଲେ । ଜିତିଲେ ଆଶା ଆହୁରି ବଢିଯାଏ ପୁଣି ଥରେ ହାରିଗଲେ ନିଜ ଅର୍ଥକୁ ଫେରିପାଇବା ପାଇଁ ସେ ଯେଉଁ ପ୍ରୟାସ କରେ ସେଥିରେ କେବେ ସଫଳ କିନ୍ତୁ ଅଧିକ ବିଫଳତା ଥାଏ । ଥରେ ଚାଲି ଯାଇଥିବା ଅର୍ଥକୁ ଫେରିପାଇବା ବଡ଼ କଷ୍ଟକର ବ୍ୟାପାର । ଉଭୟ ସଫଳତା ଓ ବିଫଳତା ତାକୁ ନିଶାସକ୍ତ କରାଏ । ତା ମାନସ ପଟରେ ବାରମ୍ବାର ତାକୁ ଉତ୍ସାହିତ ଓ ହତୋତ୍ସାହିତ ମଧ୍ୟ କରାଏ । ବିଚରା ସେଇ ଜାଲରେ ସେ ଛନ୍ଦି ହୋଇଯାଏ । କିଛି ସମୟ ପାଇଁ ଅର୍ଥ ଉପାର୍ଜନ ସହ ଆତ୍ମବିଭୋର ହୁଏ । ପୁଣି କେବେ ଆଶା ନିରାଶାରେ ପରିଣତ ହୋଇ ସଫଳ ପରିବର୍ତ୍ତେ ବିଫଳ ହୋଇ ସର୍ବସ୍ୱାନ୍ତ ହୁଏ । ଜୁଆର ନିଶା ଅତି ସାଙ୍ଘାତିକ । ଥରେ ଏଇ ନିଶା ଲାଗିଲେ ସେ ବିଷବଳୟରୁ ନିଜକୁ ମୁକ୍ତ କରିବା ବଡ କାଠିକର ପାଠ । ଜ୍ଞାନୀ ଗୁଣୀ ବୁଦ୍ଧିମାନ ମଧ୍ୟ ହୁଅନ୍ତି ବାଟବଣା । ଜୁଆରେ ଉଭୟ ବିଜୟ ଓ ପରାଜୟ ମଣିଷପାଇଁ ଅନର୍ଥର କାରଣ । ଜୁଆ ଖେଳ ସହ ସଂଶ୍ଳିଷ୍ଟ ବ୍ୟକ୍ତିମାନଙ୍କ ସହ ଅନେକ ଘଟଣାମାନ ଘଟିଚାଳିଛି । ଉଚ୍ଚ଼ ଶିକ୍ଷିତ, ବିଭିନ୍ନ ବୃତ୍ତିରେ ଅଧିଷ୍ଠିତ ବ୍ୟକ୍ତି, ଗୃହସ୍ଥ, ମହିଳା କର୍ମଜୀବୀ ଓ ଯୁବକ ଯୁବତୀମାନେ ଅନଲାଇନ ଗେମିଂ ମାଧ୍ୟମରେ କେତେ କଣ ହରାଉଛନ୍ତି ତାର ଆକଳନ କରିହେବ ନାହିଁ । କେବେ ନିଜ ଅର୍ଜିତ ଅର୍ଥ, ତ ପୁଣି କେବେ ପିତାମାତାଙ୍କ ଅର୍ଜିତ ଅର୍ଥକୁ ଜୁଆରେ ସ୍ୱାହା କରିଦେଉଛନ୍ତି ଯୁବଗୋଷ୍ଠୀ । କିଛି ଅଭିଭାବକ ପିଲାମାନଙ୍କର ଭବିଷ୍ୟତ ଗଢ଼ିବାପାଇଁ ଜମିବାଡ଼ି ବିକି ରଖିଥିବା ସଞ୍ଚିତ ଅର୍ଥ ବା ବ୍ୟାଙ୍କରୁ ଆଣିଥିବା ଋଣକୁ ପିଲାମାନେ ଯେଉଁଭଳି ଅନଲାଇନ ଗେମିଂରେ ବିନିଯୋଗ କରି ନଃଶେଷ କରିଚାଲିଛନ୍ତି ତାହା ସମଗ୍ର ଦେଶପାଇଁ ଏକ ଗୁରୁତର ସମସ୍ୟାର ରୂପ ନେଇସାରିଥିଲା । ଭାରତରେ ପାଖାପାଖି ୬୦ କୋଟି ଲୋକ ଏହି ଅନଲାଇନ ଗେମିଂରେ ବର୍ଷକୁ କୋଡ଼ିଏ ହଜାର କୋଟି ବିନିଯୋଗ କରିଥାନ୍ତି । ଏହା ଦିନକୁ ଦିନ ବୃଦ୍ଧି ପାଉଥିବାର ନଜରକୁ ଆସୁଛି । ଏଥିରେ ବିଶେଷ କରି ତରୁଣ ବୟସର ପିଲାମାନେ ଆକ୍ରାନ୍ତ ହୋଇ ଚୋରିଭଳି ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ହୋଇ ନିଜର ଭବିଷ୍ୟତକୁ ଅନ୍ଧାର କରୁଛନ୍ତି । ପାରିବାରିକ କଳହ ସହ ଆତ୍ମହତ୍ୟା ଭଳି ଘଟଣା ବାରମ୍ବାର ଘଟିଚାଲିଛି । ଆମ ସମସ୍ତଙ୍କ ପାଇଁ ଆର୍ଥିକ ସଞ୍ଚୟ ବଞ୍ଚିବା ଓ ଭବିଷ୍ୟତ ପାଇଁ ନିହାତି ଜରୁରି । ଯଦି ସଂଚିତ୍ କିମ୍ୱା ଅର୍ଜିତ ଅର୍ଥକୁ ଅନଲାଇନ ଜୁଆରେ ବିନିଯୋଗ କରାଯାଇ ଅପଚୟ କରାଯାଏ, ସେଥିରେ ପରିବାରର ମଙ୍ଗଳ ନୁହେଁ ବରଂ ଦୁଃଖ ଦୁ୍ର୍ଦ୍ଦଶା ସହ ଅନ୍ଧକାର ସ୍ମାର୍ଟଫୋନ ବ୍ୟବହାର କରୁଥିବା ସବୁ ବର୍ଗର ମଣିଷ ପାଇଁ ଅନଲାଇନ୍ ଗେମିଙ୍ଗ ପାଲଟି ଯାଇଥିଲା ଏକ ଖୋଲାମଞ୍ଚ । ଯେକୌଣସି ସମୟରେ ଯେକୌଣସି ପ୍ରାନ୍ତରୁ ଯେତେବଳେ ଯିଏ ଚାହିଁବ ସେ ଏଥିରେ ଭାଗନେଇ ଅନଲାଇନ୍ ମାଧ୍ୟମରେ ଅର୍ଥ ନେଣଦେଣ କରିପାରିବ । ସରକାର ଦ୍ୱାରା ଉପସ୍ଥାପିତ ବିଲ୍ ଯାହା ଅନଲାଇନ୍ ଗେମିଂକୁ ସମ୍ପୂର୍ଣ ଭାରତରେ ପ୍ରତିବନ୍ଧିତ କରାଗଲା । ଏହି ନିୟମ ଦ୍ୱାରା ଅନଲାଇନ ଗେମିଂରେ ଜଡିତ ଉଦ୍ୟୋଗଗୁଡ଼ିକ ଯଦି ନିୟମକୁ ବିରୋଧ କରି ଖେଳ ଜାରିରଖନ୍ତି, ତେବେ ସେମାନଙ୍କୁ ତିନିବର୍ଷ ଜେଲ ସହ ଏକ କୋଟି ଟଙ୍କାର ଜୋରିମାନା ଦେବାକୁ ପଡିବ । ଆଉ କୌଣସି ବିଜ୍ଞାପନ ମଧ୍ୟ ପ୍ରସାରିତ ହେବନାହିଁ । ବିଜ୍ଞାପନକୁ ପ୍ରସାରିତ କରୁଥିବା ବ୍ୟକ୍ତିମାନଙ୍କୁ ଉଭୟ ଆର୍ଥିକ ଓ ଜେଲଦଣ୍ଡ ଭୋଗିବାକୁ ପଡିବ । ଏହା ଏକ ଯୁଗାନ୍ତକାରୀ ବିଲ୍ ଯାହାର ଆବଶ୍ୟକତା ବହୁ ଦିନରୁ ଥିଲା । ଯୁବସମାଜକୁ ଧ୍ୱଂସ ମୁଖରୁ ସବୁଦିନ ପାଇଁ ରୋକିବାରେ ଏହା ଏକ ବୃହତ ପଦକ୍ଷେପ ।
ଅଧ୍ୟାପକ, ଦର୍ଶନ ବିଭାଗ, ବି.ଏମ.ଏମ. ଏ ମହାବିଦ୍ୟାଳୟ, ଭଦ୍ରକ
ମୋ:୮୮୯୫୩୪୧୦୩୩