ଅଜଣା ଜଗତର ଡାକ
ବାଇଓ ଲୁମିନେନ୍ସ ଅର୍ଥାତ ଦେହରୁ କିଛି ଆଲୋକ ମଧ୍ୟ ବାହାରେ ନାହିଁ । ପହଁରି ଡଲଫିନ ଭଳି କିଛି କଳା କୌଶଳ ମଧ୍ୟ ଦେଖାଇନଥାନ୍ତି କଚ୍ଛପମାନେ । ବହୁ ଧୀରେ ପହଁରନ୍ତି । ସମୁଦ୍ର ତଳରେ ରହିବାକୁ ବେଶି ପସନ୍ଦ କରନ୍ତି । ନିଃଶ୍ୱାସ ନେବାକୁ ବେଳେବେଳେ ଉପରକୁ ଉଠନ୍ତି । ଏ ଜ୍ୟାଣ୍ଟ ଲେଦରବ୍ୟାକ କଚ୍ଛପର ଦେହର ଉପରେ ଅନ୍ୟ କଚ୍ଛପ ଭଳି ଟାଣ ହାଡର ଖୋଳପା ନାହିିଁ । ମୋଟା ଚମଡା, ଲମ୍ବା ଗାର ଭଳି କିଛି ପଡିଛି । କିନ୍ତୁ ଏ କଚ୍ଛପ ଅନ୍ୟ କଚ୍ଛପ ଠାରୁ ଅନେକ ଅନେକ ବଡ । ପ୍ରାୟ ତିନି ଚାରି ଫୁଟ ଲମ୍ବ ହୋଇପାରେ । କିନ୍ତୁ ଏତିକି ପ୍ରଭେଦ ଦେଖିବାକୁ ଲୋକେ କାହିଁକି ଆସନ୍ତି? “କଚ୍ଛପ ସାମ୍ରାଜ୍ୟର ବିଶାଳତମ କଚ୍ଛପ ଦେଖିବାକୁ ଏକ ରାଣୀ ତ ଆସିବେ ।”- ବହୁ ସମୟ ଭାବି ଶୋଭନା କହିଲେ । ଏକ ଉତ୍ତର ସେ ଶେଷରେ ଖୋଜିନେଇଥିଲେ ।
“ସୁନ୍ଦରୀ ରାଣୀମାନେ, ଶକ୍ତିଶାଳୀ ରାଜାମାନେ, ଆଉ ବଡ ପ୍ରସିଦ୍ଧ ବ୍ୟକ୍ତିମାନେ ସୁନ୍ଦର ଆଉ ବିଶାଳ ଜିନିଷ କେବଳ ଦେଖନ୍ତି । ସେଇଥି ପାଇଁ ତ ସେମାନେ ଏତେ ଉଚ୍ଚ ହୋଇଥାନ୍ତି ।”-ଅସୀମ ହସିକରି ଉତ୍ତର ଦେଉଥିଲେ । ଅସୀମ ଆଉ ଶୋଭନା ଜ୍ୟାଣ୍ଟ ଲେଦରବ୍ୟାକ କଚ୍ଛପକୁ ବହୁବାର ଦେଖିସାରିଥିଲେ । ତେଣୁ ସେମାନଙ୍କର ଆଉ ବେଶି କିଛି ଦେଖିବାର ନଥିଲା । ମାଈ କଚ୍ଛପ ଅନ୍ଧାର ରାତିରେ ଅଣ୍ଡାଦେବା ପାଇଁ ପ୍ରାୟ ନଦୀ କୂଳିଆ ସମୁଦ୍ରର ବାଲି ଚଡାକୁ ଆସେ । ଅନେକ ଏପଟ ସେପଟ ହୋଇ ଉପଯୁକ୍ତ ବାଲିଆ ଜାଗା ଖୋଜେ । ଠିକ ଜାଗାରେ ନିଜ ବ୍ୟାକ ଫ୍ଲିପରରେ ବାଲିରେ ଗାତ ଖୋଳେ ଓ ସେହି ଗାତରେ ଶହେରୁ ଅଧିକ ଗୋଲଗୋଲ ଅଣ୍ଡା ଦିଏ । ପରେ ସେ ଗାତକୁ ବାଡେଇ ଠିକଭାବେ ସମତଳ କରେ ଯେମିତିକି ସହଜରେ ତା’ ଗାତର ଅବସ୍ଥିତି ଜଣା ନପଡୁ । ସହଜରେ ତା’ ଅଣ୍ଡାର କ୍ଷତି କେହି ନକରୁ । ଅଣ୍ଡା ଦେବା ପର୍ବ ଶେଷ ହେଲାପରେ ମା’ କଚ୍ଛପ ଧୀରେ ଘୋଷାରି ହୋଇ ସମୁଦ୍ର ଭିତରକୁ ଫେରିଯାଏ । ତେଣୁ କଚ୍ଛପ ଆସି ଅଣ୍ଡା ଦେବା ଅସୀମଙ୍କ ପାଇଁ ବେଶି ବଡ ଖବର ନୁହେଁ, ଶୋଭନାଙ୍କ ପାଇଁ କେବଳ ରାଣୀ ଆସିବା ବଡ ଖବର ଥିଲା । ଆଉ ନିର୍ଦ୍ଧାରିତ ଦିନରେ ଥାଇଲାଣ୍ଡର ରାଣୀଙ୍କର ଆଗମନ ହେଲା । ଅସୀମ ତାଙ୍କୁ ୪୧ କିମି ଗଲାଥିଆ ବିଚ କ୍ୟାମ୍ପରେ ନିଜର ଆଉ ଅନ୍ୟ ଷ୍ଟାଫମାନଙ୍କ ସହ ଅଭିବାଦନ କଲେ । ରାଣୀଙ୍କୁ ଯଥାବିଧି ସ୍ୱାଗତ କରାଗଲା ଆଉ ସମ୍ମାନ ପ୍ରଦର୍ଶନ କରାଗଲା । କେଉଁ ରାଜକୀୟ ବନେ୍ଦାବସ୍ତ ନଥିଲା । ଅନ୍ୟମାନଙ୍କୁ ଯେଉଁ ସୁବିଧା ଦିଆଯାଏ, ସେଇପରି ଅତି ସାମାନ୍ୟ ବନେ୍ଦାବସ୍ତ । କିନ୍ତୁ ଅତି ଶିଷ୍ଟାଚାର ସହ ତାଙ୍କୁ ସମ୍ମାନ ଦିଆଯାଇଥିଲା । ରାଣୀ ବେଶ କିଛି ସମୟ ବେଳାଭୂମିରେ କଟାଇଲେ ଆଉ ସନ୍ତୁଷ୍ଟ ହୋଇ ବିଳମ୍ବ ରାତ୍ରିରେ କ୍ୟାମ୍ପବେଲ ବେ ଫେରିଯାଇଥିଲେ । ପରଦିନ ଶୋଭନାଙ୍କୁ ଅସୀମ ରାଣୀଙ୍କ ଆଗମନ ସହ ହୋଇଥିବା ଘଟଣା ଆଉ କଚ୍ଛପମାନଙ୍କ ବିଷୟରେ ବିସ୍ତୃତରେ କହୁଥିଲେ ।
“୪୧ କିମି ଉପକୂଳ ଅର୍ଥାତ ଗଲାଥିଆ ବିଚର ମୁଖ୍ୟ ଅତିଥି ହେଉଛନ୍ତି ସମୁଦ୍ର କଚ୍ଛପ । ରାଣୀ ଜଣେ ସମ୍ମାନିତ ଅତଥି ।”- ଅସୀମ ଶୋଭନାଙ୍କୁ କହିଲେ । “ଗଲାଥିଆ ବିଚରେ ତାହେଲେ ଏକ ସଭା ହୋଇଥିଲା ।”-ଶୋଭନା ମଧ୍ୟ ହସିକି କହିଲେ । ଆଉ ରାଣୀଙ୍କର ରୂପସୌନ୍ଦର୍ଯ୍ୟ ଆଦି ଜାଣିବାକୁ ତାଙ୍କର ବହୁ ଆଗ୍ରହ ଥିଲା? ସେ କ’ଣ ସବୁ ପିନ୍ଧିଥିଲେ? ଅସୀମ କିଛି ବେଶି କହିବା ଆଗରୁ ଅନେକ ଗୁଡିଏ ପ୍ରଶ୍ନ ଶୋଭନା ଏକା ସାଙ୍ଗରେ ମନରେ ଏକାଠି କରିନେଲେ । ଅସୀମ ମନେ ମନେ ଜାଣି ସବୁ ମିଶାଇ କରି କୁହନ୍ତୁ ।
“ରାଣୀ ଜଣେ ସମ୍ମାନିତ ମହିଳା ମାତ୍ର ।”-ଅସୀମ ଏତିକି କହି ଚୁପ ହୋଇଗଲେ । ତାଙ୍କର ଏକ ଦୁଷ୍ଟ ଚାହାଣି ଶୋଭନାଙ୍କ ଉପରେ ବୁଲିଗଲା । ମହିଳାମାନେ ଏକ ସୁନ୍ଦରୀ ତଥା ସମ୍ମାନିତା ମହିଳାମାନଙ୍କ ବିଷୟରେ ଜାଣିବାକୁ ବେଶି ବ୍ୟଗ୍ର ହୋଇପଡନ୍ତି । “ରାଣୀ ଏକ ଆଶ୍ଚର୍ଯ୍ୟଜନକ ପ୍ରାଣୀଙ୍କୁ ତା’ର ପ୍ରାକୃତିକ ସ୍ଥାନରେ ଦେଖିବାକୁ ଆସିଥିଲେ ।”-ଅସୀମ ରାଣୀଙ୍କ ବିଷୟରେ ନକହି କଚ୍ଛପ ଆଡକୁ ବିଷୟ ଟାଣୁଥିଲେ । “ଆଚ୍ଛା ଛାଡ, ରାଣୀ କେମିତି ଥିଲେ?” “ଏକ ସାଧାରଣ ପତଳା ସ୍ତ୍ରୀ ଲୋକ ଥିଲେ । ଦେହରେ କିଛି ମୂଲ୍ୟବାନ ବସ୍ତ୍ର ନଥିଲା । ବାହାରେ ଏକ ମାର୍କେଟ ପ୍ଲେସରେ ଦେଖିଲେ, ତାଙ୍କୁ କେହି କେବେ ଏକ ରାଣୀ କହିବନି । ମଣିଷ ସଜେଇ ହେଲେ ସିନା ରାଣୀ ହୋଇଯାଏ । ନହେଲେ ମଣିଷ ହେଉଛି ଏକ ମଣିଷ ମାତ୍ର ।” “ଥାଇଲାଣ୍ଡର ରାଣୀ, ପୁଣି ସଜାଇ ହୋଇନଥିଲେ? ସେଠାରେ ତ ସୁନାର ବ୍ୟବହାର ବହୁ ବେଶୀ । ରାଜା ରାଣୀମାନେ କାଳେ ସୁନାରେ ଛାଉଣି ହୁଅନ୍ତି ।”
“ରାଣୀ ମଧ୍ୟବୟସ୍କା କିମ୍ବା ତାଠାରୁ ଅଧିକ । ସେମିତି ରୂପ ନାହିଁ ।”
“ତରୁଣୀ ସିନା ହୋଇଥାନ୍ତେ ତାହାହେଲେ ରୂପର ଝଲକ ଥଆନ୍ତା, ଶୃଙ୍ଗାରର ବିନ୍ୟାସ ଥାଆନ୍ତା ।”-ଅସୀମ ମନେମନେ ଭାବିଲେ । ପ୍ରକୃତରେ ତରୁଣ ବୟସ ହେଉଛି ଜୀବନର ଶୋଭାମୟ ମୁକୁଟ । ଅନ୍ୟସବୁ ବୟସ, ତରୁଣ ବୟସକୁ ଧରିବାକୁ ଚେଷ୍ଟା କରେ ମାତ୍ର ।
ଶୋଭନାଙ୍କ ମୁହଁ ସାମାନ୍ୟ ଝାଉଁଳି ପଡିଲା । ସେ ଚାହୁଁଥିଲେ ଅସୀମ ରାଣୀଙ୍କ ପୋଷାକ ପତ୍ର, ତାଙ୍କର ପିନ୍ଧା ମଣି ମାଣିକ୍ୟ, ତାଙ୍କ ସହଚର, ସହଚରୀମାନଙ୍କ ବିଷୟରେ ବେଶ କିଛି କହିଥାନ୍ତେ । କିନ୍ତୁ ସେ ବିଷୟରେ କିଛି କଥା ହେଉନଥିଲା । ଏକ ତରୁଣୀ ସବୁବେଳେ ବେଶି ରଙ୍ଗକଥା ଶୁଣିବାକୁ ଚାହେଁ । ଆଉ ସେଠାକୁ ତାଙ୍କର ସଖୀ, ସହଚରୀମାନେ ଆସିନଥିଲେ । ସେମାନଙ୍କ ହସ, ଖେଳାରେ ଗଲାଥିଆ ବିଚରେ ବାଣର ରୋଶଣୀ ହୋଇନଥିଲା । ରାତି୍ରର ଅନ୍ଧକାରରେ ସାମାନ୍ୟ ପରିବର୍ତ୍ତନ ଆସିନଥିଲା ।
“କଚ୍ଛପ ଦେଖିଲେ?”
“ଜ୍ୟାଣ୍ଟ ଲେଦରବ୍ୟାକ କଚ୍ଛପ ଆସିଥିଲା । ଭାଗ୍ୟର କଥା ।”
“ବହୁତ ବଡ କଚ୍ଛପ । କଚ୍ଛପ ସାମ୍ରାଜ୍ୟର ମଉଡମଣି । ସେମାନେ ଅନେକ ସମୟ ନିଅନ୍ତି ବଢିବାକୁ । କେଉଁ ସମୁଦ୍ରତଳ ପାଣିରେ ଚରା କରନ୍ତି ।” “କଚ୍ଛପର ଦୁନିଆ କୁଆଡେ ବହୁତ ସୁନ୍ଦର ।”(କ୍ରମଶଃ)
ଭୁବନେଶ୍ୱର