ଜାତି ଜନଗଣନା ଓ ରାଜନୀତି

ଗୋପାଳ ମହାପାତ୍ର : କେନ୍ଦ୍ର ସରକାର ଜାତିଗତ ଜନଗଣନା ପାଇଁ ସ୍ୱୀକୃତି ଦେଇଛନ୍ତି ।  ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ବିହାର ସରକାର ଜାତିଗତ ଜନଗଣନା ବହୁପୂର୍ବରୁ କରାଇଛନ୍ତି ଏପରିକି ବିରୋଧୀ ଦଳମାନେ କ୍ରମାଗତ ଭାବେ ଜାତି ଆଧାରିତ ଜନଗଣନା ସାରା ଦେଶରେ କରାଇବା ପାଇଁ ଦାବି କରୁଥିଲେ । ବିଜେପିର ଶୀର୍ଷ ନେତୃତ୍ୱ ବୁଝି ପାରିଥିଲା ଯେ ଜାତି ଆଧାରିତ ଜନଗଣନାର ପ୍ରସଙ୍ଗ୍‌ ନିର୍ବାଚନରେ ଉଠିବ । ଏହି କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ କ୍ୟାବିନେଟର ରାଜନୈତିକ ମାମଲା କମିଟି ଆଗାମୀ ଦିନରେ ହେବାକୁ ଥିବା ଜନଗଣନା ସହ ଜାତି ଗଣନା କରାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସୂଚନା  ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଜନଗଣନା କେନ୍ଦ୍ର ସରକାରଙ୍କ ଅଧିକାର କ୍ଷେତ୍ରରେ ରହିଛି କିନ୍ତୁ କେତେକ ରାଜ୍ୟ ସରକାର ସର୍ବେକ୍ଷଣ ନାମରେ ଅଣପାରଦର୍ଶୀ ପ୍ରକ୍ରିୟାରେ ଜନଗଣନା କରାଇଛନ୍ତି । ଏହା ସମାଜରେ ସନ୍ଦେହ ସୃଷ୍ଟି କରିଛି । କିନ୍ତୁ କଂଗ୍ରେସ ପକ୍ଷରୁ ଭିନ୍ନ କଥା କୁହାଯାଇଛି, କଂଗ୍ରେସ ମହାସଚିବ ଜୟରାମ ରମେଶ କହିଲେ ଯେ ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜାତିଗତ ଜନଗଣନା କରିବା ପାଇଁ ରାଜି ହୋଇଛନ୍ତି । ବିହାର ବିଧାନସଭାକୁ ଦୃଷ୍ଟିରେ ରଖି ସରକାର ଏପରି କରିବା ପାଇଁ ନିଷ୍ପତ୍ତି ନେଇଥିବା କଥା ଯାହା ବିରୋଧୀ କହୁଛନ୍ତି ତାହା ସଂପୁର୍ଣ୍ଣ ଠିକ୍‌ ନୁହେଁ । କାରଣ ଜାତିଗତ ଜନଗଣନ ବିହାର ପାଇଁ କିଛି ନୂଆ କଥା ନୁହେଁ । ବିହାର ସରକାର ଜାତିଗତ ସର୍ବେକ୍ଷଣ କରାଇ ସାରିଛନ୍ତି । ବିହାରରେ ୬୫ ପ୍ରତିଶତ ସଂରକ୍ଷଣ ଦିଆଯାଇଛି । ତେଲେଙ୍ଗାନାରେ ମଧ୍ୟ ଏପରି ହୋଇଛି । ସଂରକ୍ଷଣ ପ୍ରସଙ୍ଗରେ ମାନ୍ୟବର ସୁପ୍ରିମ୍‌ କୋର୍ଟର ୧୯୬୨ ମସିହା ସେପ୍ଟେମ୍ବର ୨୮ ତାରିଖର ମାମଲା ପ୍ରଣିଧାନ ଯୋଗ୍ୟ । ଏମ୍‌ ଆଇ ବାଲାଜି ବନାମ ଷ୍ଟେଟ ଅଫ ମହୀଶୁର ମାମଲାରେ ମାନ୍ୟବର ସୁପ୍ରିମ୍‌କୋର୍ଟ କହିଥିଲେ ଯେ ସଂରକ୍ଷଣ ୫୦ ପ୍ରତିଶତ ସୀମା ମଧ୍ୟରେ ରହିବା ଉଚିତ୍‌ । ସୁପ୍ରିମ୍‌ କୋର୍ଟ ଯାହା ରାୟ ଦେଇଥିଲେ ସେ କଥା ସମ୍ବିଧାନରେ ନାହିଁ । ଅର୍ଥାତ୍‌ ସଂରକ୍ଷଣ ସୀମା ୫୦ ପ୍ରତିଶତରୁ ଅଧିକ ହେବନାହିଁ ବୋଲି ସମ୍ବିଧାନରେ ଉଲ୍ଲେଖ ନାହିଁ କିମ୍ବା ସମ୍ବିଧାନ ନିର୍ମାତା ବାହା ସାହେବ ଆମ୍ବେଦକର ମଧ୍ୟ ଏକଥା କହି ନାହାଁନ୍ତି । ୧୯୯୨ ମସିହା ନଭେମ୍ବର ୧୬ ତାରିଖରେ ଇନ୍ଦିରା ସାହାଣୀ ବନାମ ୟୁନିୟନ ଅଫ ଇଣ୍ଡିଆ ମାମଲାର ଏକ ଗୁରୁତବପୂର୍ଣ୍ଣ ରାୟ ଶୁଣାଇଥିଲେ ମାନ୍ୟବର କୋର୍ଟ ଓ କୋର୍ଟଙ୍କ ଏହି ରାୟ ପରେ ମଣ୍ଡଳ କମିଶନଙ୍କ ଶୁପାରିଶ ଲାଗୁ କରାଯାଇଥିଲା । ଏହା ସଂବିଧାନର ବୁନିଆଦି ସଂରଚନାର ବିରୋଧୀ ନୁହେଁ କିନ୍ତୁ ଗୋଟିଏ ସର୍ତ୍ତ ରଖାଯାଇଥିଲା ଯେ ଅନୁସୂଚୀତ ଜାତି, ଅନୁସୂଚୀତ ଜନଜାତି ଏବଂ ପଛୁଆ ବର୍ଗଙ୍କ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ।
୧୯୯୨ ପରେ କେତେକ ରାଜ୍ୟ ସଂରକ୍ଷଣ ସୀମା ବୃଦ୍ଧି କରିଥିଲେ । ଏକମାତ୍ର ରାଜ୍ୟ ତାମିଲନାଡୁର ସଂରକ୍ଷଣ ଆଇନକୁ ୯ମ ସୂଚୀରେ ସାମିଲ କରାଯାଇଥିଲା । ୯ମ ସୂଚୀର ଅର୍ଥ ହେଉଛି ଯେ ଏହା ନ୍ୟାୟାଳୟ ଦ୍ୱାରା ସଂରକ୍ଷିତ ଅଟେ, ନ୍ୟାୟାଳୟ ଏଥିରେ ପରିବର୍ତ୍ତନ କରିପାରିବେ ନାହିଁ । ତାମିଲନାଡୁରେ ସଂରକ୍ଷଣ ୬୯ ପ୍ରତିଶତ ରହିଛି କିନ୍ତୁ ଏହା ମଧ୍ୟ ଅଣ ସାମ୍ବିଧାନିକ ନୁହେଁ । ସଂରକ୍ଷଣ ସୀମା ୫୦ ପ୍ରତିଶତକୁ ହଟାଇବା ପାଇଁ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡ୍‌ଗେ ଏଇଥିପାଇଁ କହୁଛନ୍ତି କାରଣ ସୁପ୍ରିମ୍‌ କୋର୍ଟ ଏହାକୁ ଅଣ ସାମ୍ବିଧାନିକ କହିବ । ବିହାରରେ ଜନତାଦଳ (ୟୁ)- ଆରଜେଡିର ମିଳିତ ସରକାର ଥିବା ବେଳେ ଜାତିଗତ ସର୍ବେକ୍ଷଣ କରାଯାଇଥିଲା ଏବଂ ୬୫ ପ୍ରତିଶତ ସଂରକ୍ଷଣ ଲାଗୁ କରାଯାଇଥିଲା ଯାହାକୁ ପାଟନା ହାଇକୋର୍ଟ ଖାରଜ କରିଦେଇଥିଲେ । ସେ ବାବଦରେ ଏକ ମାମଲା ଏବେ ବି ସୁପ୍ରିମ୍‌ କୋର୍ଟରେ ବିଚାରାଧୀନ ରହିଛି । ଏବେ ସରକାର ଯେତେ ଯାହା କହିଲେ ବି ଯେ ପର୍ଯ୍ୟନ୍ତ ସଂରକ୍ଷଣ ସୀମା ୫୦ ପ୍ରତିଶତକୁ ହଟାଇ ନ ଦିଆଯାଇଛି ସେ ପର୍ଯ୍ୟନ୍ତ ବିହାରରେ ୬୫ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ ହୋଇ ପାରିବ ନାହିଁ । ଅନେକ ସାମାଜିକ ରାଜନୈତିକ ବିଶ୍ଲେଷକଙ୍କ ମତରେ ଜାତି ଜନଗଣନା ସାଧ୍ୟ ନୁହେଁ ଏକ ସାଧନ ଅଟେ । ଏହାକୁ ଦଳିତ, ଅନ୍ୟ ପଛୁଆ ବର୍ଗ ଏବଂ ଆଦିବାସୀଙ୍କ ବିରୁଦ୍ଧରେ ମଧ୍ୟ ପ୍ରୟୋଗ କରାଯାଇପାରେ – ଏହା ଦୁଇପଟ ଧାରଥିବା ଏକ ଖଣ୍ଡାଭଳି ।
ଦୀର୍ଘ ସମୟଧରି ଜାତି ଜନଗଣନା ପାଇଁ କରାଯାଉଥିବା ଦାବି ରାଜନୈତିକ ଦୃଷ୍ଟିରୁ ପୂରଣ ହୋଇଛି । ବିଜେପି ବ୍ୟତୀତ ଅନ୍ୟ ସବୁ ରାଜନୈତିକ ଦଳ ଏଥିପାଇଁ ଦାବି କରୁଥିଲେ । ଏବେ ବିଜେପି ମଧ୍ୟ ରାଜି ହୋଇଯାଇଛି । ଏହାକୁ ବହୁଜନ ଆନ୍ଦୋଳନର ଏକ ବିଜୟ ବୋଲି କୁହାଯାଇପାରେ । କିନ୍ତୁ ଏକଥା ମଧ୍ୟ ସତ୍ୟ ଯେ ଜାତି ଜନଗଣନା ହେଲେ ଭାରତର ବହୁ ସଂଖ୍ୟକ ବଞ୍ôଚତ ସମୁଦାୟକୁ ଯେ ଅନେକ କିଛି ମିଳିଯିବ ସେ କଥା ଭାବିବା ଭୁଲ ଅଟେ । କିନ୍ତୁ କେଉଁମାନେ ପ୍ରବଞ୍ଚନାର ଶୀକାର ହୋଇଛନ୍ତି ଓ କେଉଁମାନେ ଦେଶର ସଂଶୋଧନର ଅଧିକ ଉପଯୋଗ କରୁଛନ୍ତି ସେକଥା ଜଣାପଡିଯିବ ଯଦି ଠିକ୍‌ ଭାବରେ ଜାତି ଗଣନା ହେବ । ଜାତି ଜନଗଣନାରୁ ଯେଉଁ ତଥ୍ୟ ମିଳିବ ତାର ଦୁରୁପଯୋଗ ମଧ୍ୟ ହୋଇପାରେ । ପ୍ରଥମତଃ ଭାରତୀୟ ସମ୍ବିଧାନ କଥାକୁ ବିଚାରକୁ ନିଆଯାଇପାରେ । ଭାରତର ସମ୍ବିଧାନ ନ୍ୟାୟପୁର୍ଣ୍ଣ, ସମତାମୂଳକ, ବନ୍ଧୁତା ଆଧାରିତ, ସମସ୍ତଙ୍କ ସ୍ୱତନ୍ତ୍ରତା ଏବଂ ମର୍ଯ୍ୟଦାର ସମ୍ମାନ କରୁଥିବା ଗଣତାନ୍ତ୍ରିକ ଭାରତ କଥା କହୁଛି । କିନ୍ତୁ ଭାରତର ସମ୍ବିଧାନ ଯାହା କହୁଛି ତାହା ହୋଇପାରୁଛି କି? ଉତ୍ତର ହେଉଛି ନୁହଁ । ଏଭଳି ନହୋଇ ପାରିବାର କାରଣ କ’ଣ? ସମ୍ବିଧାନରେ କିଛି ତ୍ରୁଟି ବା ଦୁର୍ବଳତା ଅଛି କି? ଉତ୍ତର ହେଉଛି ନା । ତେବେ କାରଣ କ’ଣ? ଏହାର ଉତ୍ତର ଡଃ ଆମ୍ବେଦକରଙ୍କର ସମ୍ବିଧାନ ସମ୍ପର୍କିତ ବୟାନ “ସମ୍ବିଧାନ ଯେତେ ଭଲ ହେଉ କିନ୍ତୁ କିଛି କରି ପାରିବ ନାହିଁ, ସବୁ କିଛି ନିର୍ଭର କରେ ସମ୍ବିଧାନ ଦ୍ୱାରା ସୃଜିତ ସାମ୍ବିଧାନିକ ସଂସ୍ଥା ସଂସଦ, କାର୍ଯ୍ୟକାଳିକା, ନ୍ୟାୟପାଳିକା, ନିର୍ବାଚନ କମିଶନଙ୍କ କାର୍ଯ୍ୟଶୈଳୀ ଉପରେ ।” ଆମ୍ବେଦକର ଏକଥା ମଧ୍ୟ କହିଥିଲେ ଯେ ସମ୍ବିଧାନ ଖରାପ ହେଲେ ମଧ୍ୟ ଉତ୍ତମ ଲୋକ ଏହାର ସଠିକ୍‌ ବ୍ୟବହାର କରିପାରିବେ । ଏଣୁ ଜାତି ଜନଗଣନା ହେଲେ କ’ଣ ଫଳାଫଳ ମିଳିବ ସେକଥା । ଜାତି ଜନଗଣନା ପରେ ହିଁ ଜଣାପଡିବ ।
ରାମଚନ୍ଦ୍ରପୁର, ରଣପୁର
ମୋ:୯୪୩୮୪୮୫୦୯୪