ଅନାବନା ଗଛଲତାରେ ପୋତି ହୋଇଛି ଡ୍ରେନ୍
ଖଣ୍ଡପଡ଼ା : ଖଣ୍ଡପଡ଼ା ସହରର ଗଳିକନ୍ଦି ଓ ମୁଖ୍ୟ ରାସ୍ତା ପାଶ୍ୱର୍ରେ ଅବସ୍ଥିତ ଡ୍ରେନ ଗୁଡ଼ିକ ଦିର୍ଘ ଦିନ ଧରି ଅଳିଆ, ଆବର୍ଜନା ଓ ଅନାବନା ଗଛଲତାରେ ପୋତିହୋଇ ପଡିରହିଛି । ଫଳରେ ବର୍ଷାଜଳ ଓ ଆବର୍ଜନା ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେଉଛି । ବର୍ଷାଦିନ ପୂର୍ବରୁ ଏନଏସି କର୍ତ୍ତୃପକ୍ଷ ଡ୍ରେନ ଗୁଡିକ ସଫା କରିବା ଦିଗରେ ଦୃଷ୍ଟି ଦେଇ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଅପରପକ୍ଷେ ସହରର ଅଧିକାଂଶ ବ୍ୟକ୍ତି ବାସଗୃହ ଓ ଶୌଚାଳୟର ଆବର୍ଜନା ଜଳ ଡ୍ରେନ୍କୁ ଛାଡୁଥିବାରୁ ବିଭିନ୍ନ ସ୍ଥାନରେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ବାରମ୍ବାର ଦାବି ସତ୍ତ୍ୱେ ଡ୍ରେନେଜ ସମସ୍ୟାର ସମାଧାନ ଦିଗରେ ଖଣ୍ଡପଡ଼ା ଏନ୍ଏସି କର୍ତ୍ତୃପକ୍ଷ ଆଦୌ ଦୃଷ୍ଟି ନଦେଇ ନୀରବଦ୍ରଷ୍ଟା ସାଜିଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଖଣ୍ଡପଡ଼ା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅଧ୍ୟକ୍ଷା ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି । ସେହିପରି ଖୋଲାମେଲାରେ ଥିବା ଡ୍ରେନ ଗୁଡ଼ିକ ଉପରେ ସିମେଣ୍ଟ କଂକ୍ରିଟ ସ୍ଲାବ ପକାଇବାକୁ ସହରବାସୀ ଦାବି କରିଛନ୍ତି ।