ମହିଳାଙ୍କୁ ମାଡ଼ ମାରି ସ୍ୱାମୀ ଗିରଫ
ବୁଗୁଡା: ବୁଗୁଡ଼ା ଥାନା ବାଲିପଦର ଗ୍ରାମ ମାଷ୍ଟର କଲୋନୀରେ ରହୁଥିବା ପୁଷ୍ପାଞ୍ଜଳି ସେଠୀ (୩୦) ନାମ୍ନୀ ମହିଳାଙ୍କୁ ମାଡ ମାରିବା ଅଭିଯୋଗରେ ତାଙ୍କର ସ୍ୱାମୀ ପାଣୁ ସେଠୀ(୫୫)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଏ ନେଇ ଥାନାରେ କେସ୍ ନଂ ୩୭୧/୨୫ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କ ଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ, ପାଣୁ ଚାରି ମାସ ହେଲା ବିଏସଏଫରୁ ଅବସର ଗ୍ରହଣ କରି ଗାଁକୁ ଫେରିଥିଲେ । ସେ ଅଧିକାଂଶ ସମୟରେ ସ୍ତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ । ତେବେ ଗତ ୯ ତାରିଖ ଦିନ ସ୍ତ୍ରୀ ପୁଷ୍ପା ପିଲାମାନଙ୍କ ସକାଶେ ଜଳଖିଆ ଆଣିବା ପାଇଁ ସ୍ୱାମୀ ପାଣୁଙ୍କୁ ପଚାଶ ଟଙ୍କା ମାଗିଥିଲେ । ଏଥିରେ ସେ ରାଗିଯାଇ ସ୍ତ୍ରୀଙ୍କୁ ତଣ୍ଟିଆ ମାରିବା ସହ ଚୁଟିକୁ ଧରି କାନ୍ଥରେ ମୁଣ୍ଡକୁ ବାରମ୍ବାର ବାଡାଇଥିଲେ । ଫଳରେ ପୁଷ୍ପାଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା । ପିଲାମାନେ ଛଡାଇବାରୁ ସେମାନଙ୍କୁ ମଧ୍ୟ ପାଣୁ ଗାଳିଗୁଲଜ କରିବା ସହ ମାଡ ମାରିଥିଲା । ଏ ନେଇ ପୁଷ୍ପା ପୁଲିସରେ ଅଭିଯୋଗ କରିଥିବାବେଳେ ବାଲିପଦର ଫାଣ୍ଡି ଅଧିକାରୀ ଏନ୍. ନିଳାଦ୍ରୀ ରେଡି ଘଟଣାର ତଦନ୍ତ କରି ପାଣୁଙ୍କୁ ଗିରଫ କରି କୋର୍ଟଚାଲଣ କରିଥିବା ଜଣାପଡିଛି ।