ଅନିଶ୍ଚିତତାରେ ବଡ଼ସାହି ଆଦର୍ଶ ପୋଖରୀ
ବଡ଼ସାହି : ସ୍ଥାନୀୟ ବଡ଼ସାହି ବଜାର ପାର୍ଶ୍ୱରେ ଥିବା ଥାନା ପୋଖରୀକୁ ଏକ ଆଦର୍ଶ ପୋଖରୀ ଭାବେ ପରିଣତ କରିବା ପାଇଁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏଥିପାଇଁ ଖୋଦ୍ ବଡ଼ସାହି ବିଧାୟକ ନିଜେ ଅଧିକ ଗୁରୁତ୍ୱ ଦେଉଥିବା ଦେଖାଯାଉଛି । ମୁଷ୍ଟିମେୟ ବ୍ୟକ୍ତିଙ୍କ ଜବରଦଖଲରେ ଉକ୍ତ ପୋଖରୀ ଆଡି ରହିଥିବା ଯୋଗୁଁ ପ୍ରଥମେ ତହସିଲ ପ୍ରଶାସନ ପକ୍ଷରୁ ଏହାକୁ ଜବରଦଖଲ ମୁକ୍ତ କରିବାର ପ୍ରୟାସ କରାଯାଇଥିଲା । ଏଥିପାଇଁ ଗତ ୬ ତାରିଖ ଦିନ ମାଜିଷ୍ଟ୍ରେଟ ଓ ପୁଲିସ ଫୋର୍ସ ଉପସ୍ଥିତିରେ ପୋଖରୀ ଆଡିରୁ କେତେକ ଘର ଉଚ୍ଛେଦ କରାଯାଇଥିବାବେଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ସ୍ଥଗିତାଦେଶକ୍ରମେ ୨/୩ଟି ଦୋକାନ ଘର ଉଚ୍ଛେଦ ହୋଇ ପାରିନଥିଲା । ଏହି ସ୍ଥଗିତାଦେଶ ବଳବତ୍ତର ରହିଲେ ଉକ୍ତ ଥାନା ପୋଖରୀ ଆଉ ଆଦର୍ଶ ପୋଖରୀରେ ପରିଣତ ହୋଇ ପାରିବ କି ନାହିଁ ସେଥିପାଇଁ ଅନିଶ୍ଚିତତା ଦେଖାଯାଇଛି । ଉକ୍ତ ଅନିଶ୍ଚିତତା ସାମୂହିକ ହିତକର କାର୍ଯ୍ୟ ସାଧନାରେ ବାଧା ସୃଷ୍ଟି କରୁଥିବାର ସ୍ପଷ୍ଟ ବାରି ହୋଇ ପଡୁଛି । ବଡ଼ସାହି ବ୍ଲକର ମୁଖ୍ୟ ସ୍ଥଳ ହେଉଛି ସ୍ଥାନୀୟ ବଡ଼ସାହି ବଜାର । ଏଠାରେ ସ୍ଥାନାଭାବ ବିଭିନ୍ନ ଜନହିତକର କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଏକଲବ୍ୟ ଭଳି ସରକାରୀ ବିଦ୍ୟାଳୟ ଏପରିକି କଲେଜ୍ ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି କରିଥିବା ନଜିର ରହିଛି । ବଡ଼ସାହି ବଜାର ସନ୍ନିକଟରେ ଆଦର୍ଶ ପୋଖରୀ କରିବାରେ ନିଜେ ନିଜର ପ୍ରତିବନ୍ଧକ ସାଜିବା କେତେଦୂର ଗ୍ରହଣୀୟ ବୋଲି ସାଧାରଣରେ ଆଲୋଚନା ହେଉଛି । ଏଣୁ ପ୍ରଥମେ ଆଦର୍ଶ ପୋଖରୀ ନିର୍ମାଣ ନେଇ ଲାଗି ରହିଥିବା ଅନିଶ୍ଚିତତାକୁ ଦୂରେଇ ଦେବା ପାଇଁ ତହସିଲ ପ୍ରଶାସନ ଠାରୁ ଆରମ୍ଭ କରି ମାନ୍ୟବର ଅଦାଲତ ନିକଟରେ ଅନୁରୋଧ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ପରେ ବଡ଼ସାହିରେ ସ୍ଥାପିତ ହେବାକୁ ଥିବା ବସ୍ଷ୍ଟାଣ୍ଡ ଓ ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟ କିପରି ନିର୍ମାଣ ହୋଇପାରିବ ସେ ଦିଗରେ ସମସ୍ତେ ଅଧିକ ଯନôବାନ ହେବାର ଆବଶ୍ୟକତା ଦେଖାଦେଇଛି ।