ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟିଲେ ପୃଥ୍ୱୀରାଜ
ଭୁବନେଶ୍ୱର : ନୂଆ ବର୍ଷ ଅବସରରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅନ୍ଧାରୁଆ ସ୍ଥିତ ଓଡ଼ିଶା ପତିତ ଉଦ୍ଧାର ସମିତି ପରିଦର୍ଶନରେ ଯିବା ସହ ଅନ୍ତେବାସୀଙ୍କୁ ଫଳ ଓ କମ୍ବଳ ବଣ୍ଟନ କରିଛନ୍ତି । ଅପରାହ୍ନରେ ମନ୍ତ୍ରୀ ଏଠାକୁ ଯିବା ସହ ଏଠାରେ ରହୁଥିବା ଶାରୀରିକ ଭିନ୍ନକ୍ଷମ ଓ ମାନସିକ ଅନଗ୍ରସରମାନଙ୍କୁ ସୁବିଧା ଅସୁବିଧା ପଚାରି ବୁଝିବା ସହ ନୂଆ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅନ୍ତେବାସୀମାନଙ୍କୁ ଫଳ ଓ କମ୍ବଳ ବଣ୍ଟନ କରିବା ସହ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଥିଲେ । ସମାଜରେ ବସବାସ କରୁଥିବା ଏହି ଶ୍ରେଣୀର ଲୋକ ଦୟା କିମ୍ବା ସହନାଭୂତି ନୁହେଁ ବରଂ ସମ୍ମାନର ପାତ୍ର । ଏହି ସମସ୍ତ ବର୍ଗର ଉନ୍ନତି ସାଧିତ ହେଲେ ବିକଶିତ ଓଡ଼ିଶା ତଥା ବିକଶିତ ଭାରତ ଗଠନ ସମ୍ଭବ ହୋଇ ପାରିବ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଓଡ଼ିଶା ପତିତ ଉଦ୍ଧାର ସମିତିର ପ୍ରତିଷ୍ଠାତା ଅଭାରାଣୀ ଚୌଧୁରୀଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।