ପଟ୍ଟାମୁଣ୍ଡାଇରେ ଛାତ୍ରୀ ପୋଡ଼ି ଘଟଣା : ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ଗଲା ଏସ୍ସିବି
କଟକ ଏସ୍ସିବିରେ ହେବ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ । ଏଥିପାଇଁ ଏସ୍ସିବିକୁ ଗଲା ମୃତ ଛାତ୍ରୀଙ୍କ ଶବ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ରହସ୍ୟ ଖୋଲିବ ବୋଲି କୁହାଯାଉଛି । ଛାତ୍ରୀଙ୍କ ମୃତ୍ୟୁ କିପରି ହେଲା ? ତାଙ୍କୁ ହତ୍ୟା କରାଯାଇଛି ନା ସେ ପ୍ରେମରେ ଧୋକା ଖାଇବା ପରେ ଆତ୍ମହତ୍ୟା କରିଛନ୍ତି ? ସମସ୍ତ ମନରେ ଏହି ପ୍ରଶ୍ନ ଉଠୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ହିଁ ଏହା ପଛର ରହସ୍ୟ ଖୋଲିବ । ନିଆଁରେ ପୋଡ଼ି ହୋଇ ବଡ଼ପଡ଼ା ମହାବିଦ୍ୟାଳୟର ଯୁକ୍ତି ତିନି ତୃତୀୟ ବର୍ଷ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । କିରାସିନି ଢାଳି ହୋଇ ନିଜକୁ ଜାଳି ଦେଇଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଳିଯିବା ଖବର ଆସିବା ପରେ ତୁରନ୍ତ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ପୁଲିସ ଡିଜି । କେନ୍ଦ୍ରାପଡ଼ା ଏସ୍ପିଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଏସ୍ପି । ମୃତ ଛାତ୍ରୀଙ୍କ ବାପା-ମାଙ୍କୁ ପଚରାଉଚରା କରାଯାଇଛି । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସରଜମିନ ତଦନ୍ତ କରିଛି । ମୃତ ଛାତ୍ରୀଙ୍କ ବାପା କହିଛନ୍ତି ପୁରୁଷ ବନ୍ଧୁଙ୍କ ବ୍ଲାକମେଲିଂରେ ଅତିଷ୍ଠ ହୋଇ ଛାତ୍ରୀ ନିଜକୁ ଜାଳି ଦେଇଛନ୍ତି ।
ଅନ୍ୟପଟେ ମୃତ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଅନୁସାରେ , ଏଫ୍ଆଇଆର୍ ନ ରଖିଥିବା ଏଏସ୍ଆଇ ପଲେଇ ବାବୁଙ୍କୁ ବଦଳି କରାଯାଇଛି । ପୀଡ଼ିତାଙ୍କ ମୃତ୍ୟୁ ପରେ ଗତକାଲି ଗଣମାଧ୍ୟମରେ ଖାମଖିଆଲି ମନ୍ତବ୍ୟ ରଖିଥିଲେ ଏଏସ୍ଆଇ । ଏହାପରେ ଏସ୍ପି ନିଜେ ତଦନ୍ତ କରିବେ ବୋଲି କହିଥିଲେ । ଘଟଣା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେପଟେ ଏହି ମାମଲାରେ ପୁଲିସକୁ ମିଳିଛି ଗୁରୁତ୍ବପୂର୍ଣ୍ଣ ଲିଡ୍ । ମୃତ ଛାତ୍ରୀଙ୍କ ମୋବାଇଲ୍ ସିଜ୍ କରିଛି ପୁଲିସ । ମୃତ ଛାତ୍ରୀଙ୍କ ମୋବାଇଲ୍ ଫୋନ୍ ମୃତ୍ୟୁ ରହସ୍ୟ ଖୋଲିବ । ଶେଷ ଥର ପାଇଁ ସେ କାହା ସହ କଥା ହୋଇଥିଲେ ? ତାଙ୍କ ସହ ଛାତ୍ରୀ ଜଣଙ୍କ କ’ଣ କଥା ହୋଇଥିଲେ ? ଏଥିରେ ଆତ୍ମଦାହ ସମ୍ପର୍କରେ କୌଣସି ସୂଚନା ଥିଲା କି ? ମୋବାଇଲରୁ ହିଁ ସ୍ପଷ୍ଟ ହେବ ଛାତ୍ରୀଙ୍କ ପୁରୁଷ ବନ୍ଧୁ କିଏ ? କେମିତି ତାଙ୍କୁ ପ୍ରେମିକ ହଇରାଣ କରୁଥିଲେ ? ଡିଜିଟାଲ ପ୍ରମାଣ ଆଧାରରେ ପୁଲିସ ତଦନ୍ତ ଆଗକୁ ବଢାଇବ । ପୋଡ଼ାଲୁଗା, ଓଡ଼ଣୀ ଓ କିରୋସିନ୍ ବୋତଲ ଅନ୍ୟାନ୍ୟ ପ୍ରମାଣ ବି ପୁଲିସ ଜବତ କରିଛି ।