ଅବକାରୀ କର୍ମଚାରୀଙ୍କ ମାଡରେ ଜଣେ ମୃତ : ନ୍ୟାୟ ଦାବିରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଢେଙ୍କାନାଳ: ଅବକାରୀ କର୍ମଚାରୀ ମାନଙ୍କ ନିସ୍ତୁକ ମାଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ମୃତକଙ୍କ ପତ୍ନୀ ଅଭିଯୋଗ ଆଣିଛନ୍ତି । ସଦର ଥାନା ଶଙ୍କରପୁର ଗ୍ରାମର ସୂର୍ଯ୍ୟମଣି ସେନାପତି ନାମକ ଜଣେ ବ୍ୟକ୍ତିକୁ ଅବକାରୀ କର୍ମଚାରୀମାନେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଗୁରୁତର ଅବସ୍ଥାରେ ଆଣିଥିବା ବେଳେ ସେଠାରେ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ଦେଖାଦେବାରୁ ଅବକାରୀ କର୍ମଚାରୀମାନେ ଡାକ୍ତରଖାନାରୁ ପଳାଇଯାଇଥିଲେ । ଆଜି ଶବ ବ୍ୟବଚ୍ଛେଦ ହୋଇ ତାଙ୍କ ମୃତଦେହ ଗ୍ରାମରେ ପହଂଚିବା ପରେ ଅପରାହ୍ନରେ ଗ୍ରାମବାସୀମାନେ ଶଙ୍କରପୁର ଠାରେ ଶବକୁ ରଖି ନ୍ୟାୟ ଦାବି ସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆନେ୍ଦାଳନ କରିଥିଲେ । ଫଳରେ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଦୀର୍ଘ ସମୟ ଧରି ବହୁଗାଡିମଟର ଅଟକି ରହିବା ସହ ଦୀର୍ଘ ସମୟ ଧରି ଯାତାୟତ ଠପ ହୋଇଯାଇଥିଲା । ଅବକାରୀ ବିଭାଗର କହିବା ଅନୁଯାୟୀ ଶଙ୍କରପୁର ଗ୍ରାମର ସୂର୍ଯ୍ୟମଣି ସେନାପତି ଓରଫ ଛୋଟା ଏକ ସ୍କୁଟିରେ ଗଞ୍ଜେଇ ନେଇ ଯାଉଥିଲେ । ସପ୍ତଶଯ୍ୟା ଠାରେ ପେଟ୍ରୋଲିଂ କରୁଥିବା ଅବକାରୀ ବିଭାଗ ତାଙ୍କୁ ଅଟକାଇବାରୁ  ତାଙ୍କୁ ଚକମା ଦେଇ ସେ ଦୃତଗତିରେ ପଳାଇଯାଇଥିଲେ । ତେବେ ଅବକାରୀ କର୍ମଚାରୀମାନେ ତାକୁ ପିଛା କରୁଥିବା ବେଳେ ଢେଙ୍କାନାଳ-ସପ୍ତଶଯ୍ୟା ରାସ୍ତାର ବଡଗିଲା ହମ୍ପସଠାରେ  ଭାରସାମ୍ୟ ହରାଇ ପାଖରେ ଥିବା ବ୍ରିଜବାଡରେ ବାଡେଇ ହୋଇ ତଳେ ପଡିଯାଇଥିଲେ । ଅବକାରୀ କର୍ମଚାରୀମାନେ ତାଙ୍କୁ ସେଠାରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେ ନିଶାଗ୍ରସ୍ତ ଥିବା ଦେଖି ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବିଶେଷକିଛି ହୋଇନଥିବା କହି ନେଇଯିବାକୁ କହିଥିଲେ । ପରେ ତାଙ୍କର ପରିସ୍ରାରେ ରକ୍ତ ଆସିବାରୁ  ତାଙ୍କର ଇଂଟରନାଲ କ୍ଷତ ହୋଇଥିବା କହି କଟକ ରେଫର କରାଯାଇଥିଲା । କଟକ ନେବା ପୂର୍ବରୁ  ତାଙ୍କର ମୃତୁ୍ୟ ହୋଇଯାଇଥଲା ।  ତାଙ୍କ ସ୍କୁଟିରୁ ୪ କେଜି ଗଞ୍ଜେଇ ଜବତ ହୋଇଥିବା  ଅବକାରୀ ଅଧିକ୍ଷକ  କ୍ରୀଷ୍ଣା ନାୟକ  ସୂଚନା ଦେଇଥିଲେ ।  ଅନ୍ୟପକ୍ଷରେ ତାଙ୍କୁ ବାଡେଇ ବାଡେଇ ମାରିଦିଆଯାଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଗତକାଲି ଢେଙ୍କାନାଳ ଡାକ୍ତରଖାନାରେ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା ।