ଅବକାରୀ ବିଭାଗ କାର୍ଯ୍ୟ ଦକ୍ଷତା ନେଇ ପ୍ରଶ୍ନବାଚୀ
ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ହିଞ୍ଜିଳିକାଟୁ ପୈାରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ଦିନକୁ ଦିନ ଚୋରା ନିଶା କାରବାର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଅବକାରୀ ଥାନା ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ନିଶା କାରବାର ବହୁଳ ଭାବରେ ଚାଲୁଥିବା ସୂଚନା ମିଳିଛି । ଏପରିକି ବିଭାଗ ପକ୍ଷରୁ ଅନୁମତି ମିଳିଥିବା କିଛି ହାତ ଗଣତି ଖୁଚୁରା ବିକ୍ରି କେନ୍ଦ୍ର ବ୍ୟତୀତ ବହୁ ପାନ ଦୋକାନ ଠାରୁ ଆରମ୍ଭ କରି ଫାଷ୍ଟଫୁଡ, ଜଳଖିଆ ଦୋକାନ, ଔଷଧ ଦୋକାନରେ ମଧ୍ୟ ଚୋରାରେ ବିକ୍ରି ହେଉଛି ନିଶା ଦ୍ରବ୍ୟର ଅବାଧ କାରବାର । ସ୍ଥାନୀୟ ଅବକାରୀ ବିଭାଗ ଏବଂ ମଦ ମାଫିଆଙ୍କ ମଧୂଚନ୍ଦ୍ରିକାରେ ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ଚୋରା ମଦ ଓ ଗଞ୍ଜେଇ ବେପାର । ଏପରିକି ସ୍ଥାନୀୟ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ସାହି ବସ୍ତିରେ ଗଞ୍ଜୁଡୁ ମାନଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଛି । ମଦୁଆ ମାନେ ଅନ୍ଧାର ଗଳି ରାସ୍ତା ସହ ବିଭିନ୍ନ ପାନ ଦୋକାନ, ଚାହା ଦୋକାନ, ରେଷ୍ଟୁରାଣ୍ଟ, ରେଷ୍ଟସେଡ,ନଦୀ ରାସ୍ତା ଓ ସ୍ମଶାନ ଓ ମାଟି ପ୍ରସ୍ତୁତ ଇଟାଭାଟି ନିକଟବର୍ତ୍ତୀ ସ୍ଥାନ ଗୁଡିକ ସହ ସହର କଡ଼ରେ ଥିବା ସିମେଣ୍ଟ ଚେୟାର ଉପରେ ବସି ଖୁଲୁମଖୁଲା ମଦ୍ୟପାନ କରୁଥିବା ଦେଖିବାକୁ ମିଳିଛି । ମଦ୍ୟପାନ କରି ନିଶାସକ୍ତ ଭାବେ ବିଭିନ୍ନ ସମୟରେ ସର୍ୱ ସାଧାରଣ ସ୍ଥାନ ଗୁଡ଼ିକରେ ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ଉଚ୍ଚବାଚ ହେବା ଏକ ନିତିଦିନିଆ ଘଟଣା ହୋଇ ବହୁ ସମୟରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହେଉଥିବା ନଜିର ରହିଛି । ନିଶା ସେବନ କରି ଯୁବପିଢି ମାନେ ପଥଭ୍ରଷ୍ଟ ହୋଇ ନିଶା ଖାଇବା ପାଇଁ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ଭିଆଉଛନ୍ତି ।ଉଚ୍ଚ ଅଧିକାରୀଙ୍କ ଆଦେଶକୁ ପାଳନ କରି ସ୍ଥାନୀୟ ଅବକାରୀ ଅଧିକାରୀ ଛୋଟ କାଟିଆ ନିଶା ବେପାରୀଙ୍କୁ ଧରି ଲକ୍ଷ୍ୟ ପୂରଣ କରୁଥିବା ନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।କିନ୍ତୁ ଛୋଟ କାଟିଆ ବେପାରୀଙ୍କୁ ଯୋଗାଉଥିବା ବଡ଼ ବଡ଼ ନିଶା ବେପାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ଅଧିକାରୀ ପଛଘୁଞ୍ଚା ଦେଉଥିବା ଶୁଣିବାକୁ ମିଳୁଛି । କେବେ ନିଶା ବେପାର ଚାଲିଥିବା ବେଳେ କୌଣସି ବ୍ୟକ୍ତି ଅଧିକାରୀଙ୍କ ମୋବାଇଲ ନମ୍ବରକୁ ଫୋନ କଲେ ମଧ୍ୟ ଅଧିକାରୀ ଫୋନ ଉଠାଉ ନ ଥିବା କିଛି ବ୍ୟକ୍ତିଙ୍କ ଠାରୁ ସୂଚନା ମିଳିଛି । ଫଳରେ ସ୍ଥାନୀୟ ଅବକାରୀ ଅଧିକାରୀ ନିଶା ବେପାରୀଙ୍କୁ ଧରିବା ପାଇଁ କେତେ ତତ୍ପର ତାହା ସ୍ପଷ୍ଟ ବାରି ହୋଇ ପଡୁଛି । ନିର୍ଦ୍ଧିଷ୍ଟ ଛୋଟ କାଟିଆ ନିଶା ବେପାରୀଙ୍କୁ ବାରମ୍ବାର ଧରି ଖୁବ କମ ନିଶା ଧରା ଯାଉଥିବା ବେଳେ ଅଧିକ ଦର୍ଶାଯାଉଥିବା ଶୁଣିବାକୁ ମିଳୁଛି । ସବୁଠାରୁ ଉଲ୍ଲେଖ ଯୋଗ୍ୟ ପ୍ରସଙ୍ଗ ହେଲା ସହରରେ ନିଶା ବେପାରର ବାସ୍ନା ଯୁବ ବର୍ଗଙ୍କ ଦ୍ୱାରା ପରିଚାଳିତ ହେଉଥିଲା ବେଳେ ସ୍ଥାନୀୟ ଅବକାରୀ ବିଭାଗ ସ୍ଥାଣୁ ପାଲଟିଛି । ଏ ଦିଗରେ ପୁଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।