ଅବସରପ୍ରାପ୍ତ କର୍ମଚାରୀଙ୍କ ବକେୟା ଟଙ୍କା ମିଳିବ କେବେ

ଆସିକା  : ଗଞ୍ଜାମ ଜିଲ୍ଲାର ଆସିକା ବିଜ୍ଞାପିତ ଅଂଚଳ ପରିଷଦର ୬୦ରୁ ଉର୍ଦ୍ଧ ଅବସରପ୍ରାପ୍ତ କର୍ମଚାରୀଙ୍କ ୦୩ କୋଟି ରୁ ଅଧିକ ବକେୟା ଟଙ୍କା ମିଳିବ କେବେ ତାହା ନେଇ ଏବେ ଅନେକ କର୍ମଚାରୀ ମନରେ ପ୍ରଶ୍ନ ଉଠିଛି । ଦୀର୍ଘ ବର୍ଷ ଧରି ଲୋକ ମାନଙ୍କ କାର୍ଯ୍ୟରେ ନିଜର ବହୁ ମୂଲ୍ୟ ସମୟ  ଦେଇ ବନ୍ୟା, ବାତ୍ୟା, କରୋନା ଭଳି ମହାମାରୀ ରୋଗ ସମୟରେ ନିଜ ଜୀବନକୁ ବାଜି ଲଗାଇ କାମ କରି ଆସୁଥିଲେ ଆସିକା ବିଜ୍ଞାପିତ ଅଂଚଳ ପରିଷଦର କର୍ମଚାରୀ । ଅବସର ପରେ ସେମାନଙ୍କ ଅବସରକାଳୀନ ଆର୍ଥିକ ଅନୁଦାନ ଦୀର୍ଘ ଦିନ ହେଲା ମିଳୁ ନଥିବା ଅଭିଯୋଗ ହୋଇଛି । କର୍ମଚାରୀ ଅବସର ନେବା ପରେ ନିଜର ପୁଅ, ଝିଅ ବାହାଘର କରିବା ନିମନ୍ତେ ହେଉ କିମ୍ବା ନିଜି ପରିବାର ଉପରେ ବୋଝ ନେହେବା ପାଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି । ସେ ତାର ଅବସର କାଳୀନ ଗ୍ରାଚୁୁ୍ୟଟି, ଛୁଟି ବାବାଦକୁ ଥିବା ବକେୟା ଅର୍ଥ ରାଶି, ଏରିଅର, ପଦୋନ୍ନତି ହେବାର ଦରମା, ସହିତ ପଞ୍ଚମ , ଷଷ୍ଠ, ସପ୍ତମ ବେତନର ଆର୍ଥିକ ଅନୁଦାନ ରାଶି କର୍ମଚାରୀ ମାନେ ଅଦ୍ୟାବଧି ମିଳିନଥିବା ପ୍ରକାଶ କରିଛନ୍ତି । କେତେକ ଅବସର ପରେ ମୃତ ବରଣ କରିଛନ୍ତି । କିନ୍ତୁ ବକେୟା ଅର୍ଥରାଶି ମିଳୁନାହିଁ । ଏନେଇ ବହୁ ବାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ କାଉନସିଲ ପରିଷଦ ଅଧକ୍ଷ, ଉପାଧ୍ୟକ୍ଷା ଓ କାଉନସିକୁ କହିଥିଲେ ମଧ୍ୟ କୌଣସି ସଫଳ ମିଳୁନାହିଁ । ଏ ସମ୍ପର୍କ ରେ କାର୍ଯ୍ୟ ନିର୍ବାହୀ ଅଧିକରୀ ରାଜେଶ ମହାପାତ୍ରଙ୍କୁ ଯୋଗାଯୋଗ କରିବାରୁ କର୍ମଚାରୀ ମାନଙ୍କ ଦରମା ଏବଂ ପେନସନ ବାବାଦକୁ ତ୍ରୟୋମାସିକ ୬୦ ଲକ୍ଷ ରୁ ୬୩ ଲକ୍ଷ ଟଙ୍କା ରାଜ୍ୟ ସରକାରଙ୍କ ଅନୁଦାନ ଆସୁଛି ।
ହେଲେ ଏନଏସିକୁ ଆହୁରି ପାଖା ପାଖି ୧୨ରୁ ୧୫ ଲକ୍ଷ ଟଙ୍କା ନିଜସ୍ୱ ପାଣ୍ଠିରୁ ପ୍ରଦାନ କରିବାକୁ  ହେଉଛି । ଏଣୁ ପୁରୁଣା ବକେୟା ପେନସନ ପ୍ରଦାନ ନିମନ୍ତେ ଅଧିକ ଆର୍ଥିକ ଅନୁଦାନ ବିଷୟରେ ରାଜ୍ୟ ସରକାରଙ୍କୁ ଏସମ୍ପକରେ ଲିଖିତ ଜଣାଯାଇଛି ବୋଲି କହିଛନ୍ତି । ସରକାର ପକ୍ଷରୁ ଏହି ଅନୁଦାନ ରାଶି ପ୍ରଦାନ କଲେ ଯଥା ଶୀଘ୍ର ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କ ଆର୍ଥିକ ଅନୁଦାନ ପ୍ରଦାନ କରିଯିବ ବୋଲି ଅଫିସ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ବିଭିନ୍ନ ୱାର୍ଡର ଅଯଥାରେ ଉନ୍ନୟନ କାର୍ଯ୍ୟ କରିବା ,ରେଗୁଲାର କର୍ମଚାରୀ ଦରମା ପ୍ରଦାନ, ଯାନବାହନ କ୍ରୟ ଓ ବ୍ୟବହାର, ପିସି କାରବାର  ଭଳି କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ଦେଉଥିବା ବେଳେ ଅବସର ପ୍ରାପ୍ତ କର୍ମଚାରୀଙ୍କ ବକେୟା ଦେବାରେ  ଅଧିକାରୀଙ୍କ ପକ୍ଷରୁ କୁଣ୍ଠା ବୋଧ କାହିଁକି ବୋଲି ଅଭିଯୋଗ ଆଣିଛନ୍ତି ଅବସର ପ୍ରାପ୍ତ କର୍ମଚାରୀ ସଂଘ ।