ଅବହେଳିତ ସାପ୍ତାହିକ ହାଟ


ବୈଶିଙ୍ଗାରୁ ବିମଳେନ୍ଦୁ ମହାପାତ୍ର
ହାଟ, ଗାଁ ଗାଁଉଲିରେ ଚାଷୀ ଭାଇ ମାନଙ୍କର ଏକ ରୋଜଗାରର ମାଧ୍ୟମ । ବାଡ଼ିରେ ପନିପରିବା ଚାଷ କରି ହାଟରେ ବିକି ସେଥିରୁ ଦି ପଇସା ରୋଜଗାର କରିଥାନ୍ତି । ତେବେ ଏମିତି ଏକ ବହୁ ପୁରାତନ ହାଟ, ଯାହା ଏବେ ଅବହେଳିତ ହୋଇପଡ଼ିଛି । ଯାହାକୁ ନେଇ ସ୍ଥାନୀୟ ବିଧାୟକ ଉଦବେଗ ପ୍ରକାଶ କରିବା ସହ ଏହାର ଉନ୍ନତିକରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବୈଶିଙ୍ଗା ପଞ୍ଚାୟତର ଏକମାତ୍ର ଡାହିବାଡି ସାପ୍ତାହିକ ହାଟଟି ପ୍ରଶାସନିକ ଅବହେଳାରୁ ଅବହେଳିତ ହୋଇପଡିଛି । ଏହା ବୈଶିଙ୍ଗା ପଞ୍ଚାୟତର ଏକ ରାଜସ୍ୱ ଆଦାୟର ମୂଖ୍ୟ ରୋଜଗାରିଆ ସଂସ୍ଥା ଭାବେ ପରିଗଣିତ । ମାତ୍ର ଏହି ହାଟ ଆରଏମସି ଏବଂ ପଞ୍ଚାୟତର ଦୈତ ପରିଚାଳନାରେ ଚାଲୁଥିବାରୁ ଏହାର ଉନ୍ନତ୍ତି ପାଇଁ କେହି କେବେ ନିଘା ଦେଇନାହାନ୍ତି । ସ୍ୱତନ୍ତ୍ର ଭାବେ ଆରମସି ହାଟର ମୁଖ୍ୟ ରାଜସ୍ୱ ଭାଗ ମହାସୁଲ ଆକାରରେ ଦୀର୍ଘ ବର୍ଷ ଧରି ଉଠାଉଥିଲେ ମଧ୍ୟ ହାଟରେ କେବେବି କୌଣସି ଉନ୍ନତି ମୂଳକ କାର୍ଯ୍ୟ କରି ନାହିଁ  । ବର୍ଷାଦିନ ଆସିଲେ ହାଟ ଭିତରକୁ ଯିବାପାଇଁ ଗ୍ରାହକ ମାନେ ଭୟ କରିଥାଆନ୍ତି । କାରଣ ଆଣ୍ଠୁଏ କାଦ ଭିତରେ ପଶି ନିଜର ସଉଦା କିଣବା କଷ୍ଟକର ହୋଇ ପଡିଥାଏ । ତଥାପି ସପ୍ତାହର ଦୁଇଦିନ ବୁଧବାର ଓ ଶନିବାର ଜିଲ୍ଲା ବାହାରୁ ବ୍ୟବସାୟୀ ମାନେ ନିଜର ବିକ୍ରୀ ସାମଗ୍ରୀ ଧରି ପହଞ୍ଚି ଥାଆନ୍ତି । ସ୍ଥାୟୀ ପିଣ୍ଡି, ଚାଳି,ଚଳାଚଳ ପାଇଁ ମଧ୍ୟ ଦ୍ଭାଗରେ ରାସ୍ତା ଏସବୁ ଆବଶ୍ୟକ ଥିଲେ ମଧ୍ୟ ତାହା ଅବହେଳିତ ଅବସ୍ଥାରେ ରହିଛି । ବର୍ଷାଦିନ ଆସିଲେ ପଞ୍ଚାୟତ ତରଫରୁ କିଛି ମୋରମ୍ ବିଛାଇ ଦିଆ ଯାଇଥାଏ ମାତ୍ର ଆଲୁଅ କିମ୍ୱା ପାଣିର ବ୍ୟବସ୍ଥା କିଛି ନଥାଏ  । ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ହାତ ପାଣ୍ଠି ଅନୁଦାନରୁ ଚାରି ଗୋଟି ହାଇମାକ୍ସ ଲାଇଟ୍ ଲାଗିବା ପରେ ରାତି ୯ଟାପର୍ଯ୍ୟନ୍ତ ହାଟ ଚାଲି ପାରୁଛି । ଶ୍ରୀ ବିଜୁଳିଙ୍କ ପୂର୍ବରୁ ହାଟକୁ ନେଇ ଆଜି ପର୍ଯ୍ୟନ୍ତ କୌଣସି ବିଧାୟକ କେବେ ବି କୌଣସି କାର୍ଯ୍ୟ କରି ନଥିବାର ନଜିର ମଧ୍ୟ ରହିଛି । ହାଟ ମଧ୍ୟକୁ ଯିବାପାଇଁ ମୂଖ୍ୟ ରାସ୍ତା ସମେତ ଚାରି ପାର୍ଶ୍ୱରାସ୍ତା ଅତି ଦୟନୀୟ ଅବସ୍ଥାରେ ରହିଛି । କୌଣସି ଚାରି ଚକିଆ ଯାନ ହାଟ ପ୍ରବେଶ କରିନପାରିବାରୁ ବ୍ୟବସାୟୀମାନେ ନିଜର ସାମଗ୍ରୀ ମଥାରେ ମୁଣ୍ଡାଇ ଭିତରକୁ ନେଉଥିବାର ଦେଖିବାକୁ ମିଳିଥାଏ । ନିର୍ବାଚନ ପୂର୍ବରୁ ବ୍ଲକ ଚେୟାରମେନ ଙ୍କ ସହାୟତାରେ ୧୦ ଲକ୍ଷ ଟଙ୍କାର ପିଣ୍ଡି ଏବଂ ଏସଡିସି ତରଫରୁ ୫ ଲକ୍ଷ ଟଙ୍କାର ପିଣ୍ଡି ସହ ଛାତ ନିର୍ମାଣ ହୋଇଛି ସତ ଯାହାକି ଏତେ ବଡ ଏବଂ ପୁରୁଣା ହାଟ ପାଇଁ ସମୁଦ୍ରକୁ ଶଙ୍ଖେ ସଦୃଶ ।  ଏହି ହାଟର ଉନ୍ନତ୍ତି ପାଇଁ ସବୁ ସମୟରେ ସାଧାରଣ ଜନତା ନିର୍ବାଚିତ ପ୍ରତିନିଧି ମାନଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।  ଅପରାହ୍ନ ଠାରୁ ରାତି ୯ ଘଣ୍ଟା ପର୍ଯ୍ୟନ୍ତ ଏହି ହାଟ ଚାଲୁଥିବାରୁ ରାତିରେ ଆଲୋକ ବ୍ୟବସ୍ଥା ଥାଇ ମଧ୍ୟ ବାଇକ୍ ଚୋରୀ ,ପକେଟମାର, ଛିନତାଇ ଆଦି ବଢୁଥିବା ଲକ୍ଷ୍ୟ କରାଯାଉଛି । ତେବେ ଗତ ଶନିବାର ଅପରାହ୍ନ ସମୟରେ ବିଧାୟକ ଶ୍ରୀ ସନାତନ ବିଜୁଳି ଡାହିବାଡି ସାପ୍ତାହିକ ହାଟରେ ପହଞ୍ଚି ହାଟର ବର୍ଷା ଦିନର ଅବସ୍ଥା ଦେଖି ଉଦବେଗ ପ୍ରକାଶ କରିବା ସହିତ ଏହି ହାଟକୁ ଆହୁରି ଲାଇଟ, ମୁଖ୍ୟ ସଂଯୋଗ ରାସ୍ତା, ପିଣ୍ଡିକୁ ଏକ ଉନ୍ନତ ଶୈଳୀରେ ନିର୍ମାଣ କରି ଏହାକୁ ମଡ଼େଲ ହାଟରେ ପରିଣତ କରିବା ପାଇଁ ପ୍ରତିଶୃତି ପ୍ରଦାନ କରିବା ସହ ଏହାର ଖୁବ ଶୀଘ୍ର ଉନ୍ନତି କରଣ ଆରମ୍ଭ ହେବ ବୋଲି ପ୍ରକାଶ କରିଥିଲେ  । ହାଟର ବେପାରୀ ଏବଂ ଗ୍ରାହକ ମାନଙ୍କ ସହ ମଧ୍ୟ ଆଲୋଚନା କରି ସେମାନଙ୍କର ଆବଶ୍ୟକତା କୁ ପଚାରି ବୁଝିଥିଲେ  । ଖୁବ ଶୀଘ୍ର ଏହି ହାଟର ରୂପରେଖ ପରିବର୍ତ୍ତନ କରିବା ସହ ସମସ୍ତଙ୍କର ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ବିଜୁଳି ମତ ଦେଇ ଥିଲେ ।