ଅନୁଗୋଳ କପ୍ କ୍ରିକେଟ୍: ରାଇଜିଙ୍ଗ ଷ୍ଟୁଡେଣ୍ଟ ଚାମ୍ପିଅନ୍ 

 ଅନୁଗୋଳ : ସ୍ଥାନୀୟ କଦମ୍ ପଡ଼ିଆରେ ଅନୁଷ୍ଠିତ ହେଉଥିବା ସର୍ବଭାରତୀୟ ଅନୁଗୋଳ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ କଟକର ରାଇଜିଙ୍ଗ ଷ୍ଟୁଡେଣ୍ଟ ଦଳ ୩ ୱିକେଟ୍ରେ ବିଜୟୀ ହୋଇ ଉମା ଶଙ୍କର ମେମୋରିଆଲ ଟ୍ରଫି ସହ ଏକ ଲକ୍ଷ  ପୁରସ୍କାର ରାଶି ମୁଖ୍ୟ ଅତିଥି ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ହାତରୁ ଗ୍ରହଣ କରିଛି । ଫାଇନାଲରେ ପହଞ୍ଚିଥିବା ଦୁଇ ଦଳ କଟକ ରାଇଜିଙ୍ଗ ଷ୍ଟୁଡେଣ୍ଟ ଓ ସମ୍ବଲପୁରର ଏମ୍ୟୁସିସି ଦଳ ମଧ୍ୟରେ ଟସ୍ ପଡିଥିଲା । ଟସ୍ ଜିତି କଟକର  ରାଇଜିଙ୍ଗ ଷ୍ଟୁଡେଣ୍ଟ ଦଳ ଅଧିନାୟକ ସୂର୍ଯ୍ୟକାନ୍ତ ପ୍ରଧାନ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଏମ୍ୟୁସିସି ସମ୍ବଲପୁର ଦଳ ୧୯.୪ ଓଭରରେ ୧୦ ୱିକେଟ ହରାଇ ୧୧୭ ରନ୍ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ବ୍ୟାଟ୍ସମ୍ୟାନ ଅନିକେତ ସିଂହ ୨୮ଟି ବଲରୁ ଦୁଇଟି ଚୌକା ଓ ଦୁଇଟି ଛକ୍କା ସାହାଯ୍ୟରେ ୪୧ ରନ ସଂଗ୍ରହ କରିଥିଲେ । କଟକ ରାଇଜିଙ୍ଗ ଦଳର ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ୪ ଓଭର ୧୭ ରନ ଦେଇ ଏକ ୱିକେଟ ନେଇଥିଲେ ଓ ଓମ ପ୍ରକାଶ ୨ ଓଭରରେ ୧୩ ରନ ଦେଇ ୨ଟି ୱିକେଟ ହାତେଇ ଥିଲେ । ୧୧୮ ରନର ବିଜୟ ଲକ୍ଷ ନେଇ ପଡିଆକୁ ଓହ୍ଲାଇ କଟକ ରାଇଜିଙ୍ଗ ଦଳ୧୮.୧ଓଭରରେ ୭ ୱିକେଟ ହରାଇ ନିର୍ଦ୍ଧାରିତ ୧୧୭ ରନ କରି ୩ ୱିକେଟରେ ବିଜୟ ହାସଲ କରିଥିଲା । ରାଇଜିଙ୍ଗ କଟକ ଦଳର ବ୍ୟାଟ୍ସମ୍ୟାନ ଆଦିତ୍ୟ ରାଉତ ୩୭ ବଲ୍ରେ ୩ଟି ଚୌକା ଓ ୩ଟି ଛକା ସାହାଯ୍ୟରେ ୪୩ ରନ୍ ଓ ବ୍ୟାଟ୍ସମ୍ୟାନ ଆର୍ ଚିନା ରାଜୁ ୧୦ଟି ବଲ୍ରେ ୩ଟି ଛକା ସହାୟତାରେ ୨୨ ରନ୍ ସଂଗ୍ରହ କରିଥିଲେ । ସମ୍ବଲପୁର ଦଳର ବୋଲର ଅନିକେତ ସିଂହ ୪ଓଭର ବୋଲିଂ କରି ୧୪ ରନ୍ରେ ୩ଟି ୱିକେଟ ହାସଲ କରିଥିଲେ । ଆଜି ମ୍ୟାଚ୍ରେ ଶ୍ରେଷ୍ଠ ଖେଳାଳି ଭାବେ କଟକ ରାଇଜିଙ୍ଗ ଷ୍ଟୁଡେଣ୍ଟ ଦଳର  ଖେଳାଳି ଆର ଚିନା ରାଜୁଙ୍କୁ ଅନ୍ତର୍ଜାତୀୟ ଖେଳାଳି ଦେବାଶିଷ ମହାନ୍ତି ପୁରସ୍କୃତ କରିଥିଲେ । ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ କଟକ ଦଳର ସୂର୍ଯ୍ୟକାନ୍ତ ପ୍ରଧାନଙ୍କୁ ପ୍ରଦାନ କରାଯାଇ ଥିଲା । ଚାମ୍ପିଅନ ଟିମ୍କୁ ଟ୍ରଫି ସହ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ଥିଲା । ରନର୍ସ ଅପ ଟିମ୍ ସମ୍ବଲପୁରର ଏମ୍ୟୁସିସି ଦଳକୁ  ପୂର୍ବତନ କ୍ରିକେଟ ଖେଳାଳି ଦେବାଶିଷ ମହାନ୍ତି ଟ୍ରଫି ସହ ୭୫୦୦୦ ଟଙ୍କା ପ୍ରଦାନ କରିଥିଲେ । ଫାଇନାଲ ମ୍ୟାଚକୁ ଓସିଏର ଅମ୍ପାୟାର ଆଶୁତୋଷ ପାଣି ଓ ମହେଶ ମୁନସୀ ଖେଳ ପରିଚାଳନା କରିଥିଲେ । ସ୍କୋର ନିକ୍ସନ ସାହୁ ଓ ସୂର୍ଯ୍ୟ ରାଉତ କରିଥିଲେ । ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ପ୍ରତାପ ପ୍ରଧାନ ଓ ସମ୍ପାଦକ ସାଗରନାଥ ମିଶ୍ରଙ୍କ ତତ୍ୱାବଧାନରେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।