ଗୁଣ୍ଡିଚା ମନ୍ଦିର ପ୍ରତିଷ୍ଠା ଉତ୍ସବ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହାକୁମା ମାଉସୀ ମା’ (ଶ୍ରୀ ଗୁଣ୍ଡିଚା) ନୂତନ ମନ୍ଦିର ଓ ନବଗ୍ରହ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆଡ଼ମ୍ବର ସହ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ବର୍ଷ ଧରି ଦୁର୍ଗାଗୁଡ଼ି ସାହିରେ ପୁରୁଣା ଘରେ ମାଉସୀ ମା’ମନ୍ଦିର ଥିବାବେଳେ ଗତ କିଛି ମାସ ହେଲା ନୂତନ ଭାବେ ମାଉସୀ ମା’ମନ୍ଦିର ନିର୍ମାଣ ହୋଇସାରିଛି । ଉକ୍ତ ମନ୍ଦିର ପ୍ରତିଷ୍ଠା ହେବା ପରେ ପାର୍ଶ୍ୱ ଦେବାଦେବୀ ନବଗ୍ରହ ମୂର୍ତ୍ତିଙ୍କୁ ବିଧିବଦ୍ଧ ଭାବେ ପୂଜା କରାଯାଇ ମନ୍ଦିରକୁ ପ୍ରବେଶ କରାଯାଇଛି । ଅଙ୍କୁରାରୋପଣ ଓ ପୁଷ୍କରଣୀରୁ ପବିତ୍ର ଜଳ ସଂଗ୍ରହ କରାଯାଇ ଶତାଧିକ ମହିଳା କଳସ ମୁଣ୍ଡାଇ ସହର ପରିକ୍ରମା କରି ମାଉସୀମା ମନ୍ଦିର ପୂଜା ମଣ୍ଡପ ନିକଟରେ କଳସ ପ୍ରତିଷ୍ଠା କରିବା ପରେ ବ୍ରାହ୍ମଣଙ୍କ ଦ୍ୱାରା ସୂର୍ଯ୍ୟପୂଜା, ଗୋପୂଜା, ସ୍ୟାଲାପ୍ରବେଶ, ଅଗ୍ନିଶଂଯୋଗ, କଳସପୂଜା, ବସ୍ତୁପୂଜା, ହୋମ ଯଜ୍ଞ, ନବଗ୍ରହପୂଜା, ଶୋଡ଼ସସ୍ତମ୍ବ ପୂଜା, ମହାପ୍ରଭୁ ସ୍ନାନ, ଦେବତାଙ୍କର ନ୍ୟାସ, ସନ୍ଧ୍ୟାରେ ଦେବାଦେବୀଙ୍କ ମନ୍ଦିର ପ୍ରବେଶ, ହୋମଯଜ୍ଞର ପୂର୍ଣ୍ଣାହୁତି ଆଦି ପୂଜା ବିଧି ସମ୍ପନ୍ନ କରାଯାଇଥିଲା । ଏହି ପୂଜାରେ ତ୍ରିନାଥ ପାଢ଼ୀ ମୁଖ୍ୟକର୍ତ୍ତା ଭାବେ ସଂକଳ୍ପ କରିଥିବାବେଳେ ମନ୍ଦିର ନିର୍ମାଣକାରୀ ବିଶ୍ୱକର୍ମା ଶିଳ୍ପୀ କୂଳମଣି ମାଝୀ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ, ଅନ୍ୟାନ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ ।