ଷ୍ଟ୍ରବେରୀ ଚାଷ କରି ଆର୍ଥିକ ସ୍ୱାବଲମ୍ବୀ ହେଉଛନ୍ତି ଚାଷୀ 

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନୀପଦର ପଞ୍ଚାୟତ ଗୁଡ଼ୁଗାର ଜଣେ ଚାଷୀ ବିଭିନ୍ନ ଚାଷ ସହ ଷ୍ଟ୍ରବେରୀ ଚାଷ କରି କରି ଆର୍ଥିକ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଗୁଡ଼ୁଗାର ତୁମ୍ବେଶ୍ୱର କହଁର ନିଜ ପରିବାରର ଆର୍ଥିକ ସ୍ଥିତି ସ୍ୱଛଳ ଥିବା ବେଳେ ଛୋଟ ବେଳରୁ ହିଁ ସପ୍ତମ ଶ୍ରେଣୀ ପାଠ ପଢିବା ପରେ ପାଠ  ଛାଡି ପରିବାର ଚଳାଇବା ପାଇଁ ଚାଷ କାମକୁ ଆଦରି ନେଇଥିଲେ । ଆଜିକୁ ଦୀର୍ଘ ୨୬ ବର୍ଷ ପୂର୍ବରୁ ନିଜ ବାଡ଼ିରେ ଚାଷ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଗତ ୧୦ ବର୍ଷ ତଳୁ ପ୍ରାୟ ୫ ଏକର ଜାଗାରେ ଉଦ୍ୟାନ ବିଭାଗ ଏବଂ କୃଷି ବିଭାଗର ସହଯୋଗରେ ବିଭିନ୍ନ ଫଳ ପରିବା ଚାଷ କରି ରୋଜଗାର କରିବା ସହ ବିଭିନ୍ନ ଅନୁଷ୍ଠାନ ଏବଂ ସରକାରୀ ସ୍ଥରରେ ମଧ୍ୟ ପୁରସ୍କୃତ ହୋଇ ବିଭିନ୍ନ ମିଶ୍ରିତ ଚାଷ ପାଇଁ ପ୍ରେରଣା ପାଇଥିଲେ । ବର୍ତ୍ତମାନ ସଫଳ ଚାଷୀ ଭାବରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ବେଳେ ନିଜ ବାଡ଼ିରେ ୧୭ ସହ ଆମ୍ବ ଗଛ, କଦଳୀ ଚାଷ, ଅଦା, ହଳଦୀ, ଆଳୁ, ବାଇଗଣ, ଗୋଲ ମରିଚ, ଟମାଟ ଲେମ୍ବୁ, ଲିଚୁ, ଭଳି ବିଭିନ୍ନ ଚାଷ ମଧ୍ୟ କରିଥିବା ବେଳେ ଉଦ୍ୟାନ ବିଭାଗ ତରଫରୁ ଏକ ପେକ ହାଉସ ମଧ୍ୟ ଯୋଗାଇ ଦିଆଯାଇଛି । ଗତ ବର୍ଷ ଆମ୍ବ ଚାଷରୁ ୧ ଲକ୍ଷ ୨୫ ହଜାରରୁ ଅଧିକ ଟଙ୍କା ବିକ୍ରି କରି ପାଇଥିଲେ । ଚଳିତ ବର୍ଷ ଉଦ୍ୟାନ ବିଭାଗ ତରଫରୁ ସହଯୋଗ ପାଇ ପ୍ରାୟ ଅଧା ଏକରରୁ ଅଧିକ ଷ୍ଟ୍ରବେରୀ ଚାଷ କରି ଅମଳ କରି ବର୍ତମାନ ସୁଧା ୪୨ ହଜାର ଟଙ୍କା ରୋଜଗାର କରିସାରିଲେଣି । ଅମଳ ହୋଇଥିବା ଷ୍ଟ୍ରବେରୀକୁ ଭୁବନେଶ୍ୱର ଆଦିବାସୀ ମେଳାରେ ମଧ୍ୟ ବିକ୍ରି କରିଥିବା ବେଳେ କେଜି ପିଛା ୩ ସହରୁ ୮ ସହ ପର୍ଯ୍ୟନ୍ତ ବିକ୍ରି ହେଉଥିବା କହିଛନ୍ତି ତୁମ୍ବେଶ୍ୱର । ବର୍ତ୍ତମାନ ଚାଷରୁ ରୋଜଗାର କରି ୨ଟି ଝିଅକୁ ବିବାହ ମଧ୍ୟ ଦେଇଥିବା ବେଳେ ଗୋଟିଏ ପୁଅ ଫୁଲବାଣୀ ସରକାରୀ ମହାବିଦ୍ୟାଳୟରେ ବିଜ୍ଞାନ ବିଭାଗରେ ପଢ଼ୁଥିବା ବେଳେ ଗୋଟିଏ ଝିଅ ମଧ୍ୟ ଭୁବନେଶ୍ୱର କିସ୍ରେ ବିଜ୍ଞାନରେ ଅଧ୍ୟୟନ କରୁଥିବା କହିଛନ୍ତି ତୁମ୍ବେଶ୍ୱରଙ୍କ ପନôୀ ପ୍ରମିଳା କହଁର । କେବଳ ଏତିକି ନୁହେଁ ନିଜ ଘରେ କୁକୁଡ଼ା ଓ ଛେଳି ମଧ୍ୟ ପାଳନ କରିଥିବା ବେଳେ ବିକ୍ରି କରି ସେଥିରୁ ରୋଜଗାର ହେଉଥିବା ଟଙ୍କା ତାଙ୍କୁ ପରିବା ଚାଷରେ ବିହନ ଓ ସାର କିଣିବାରେ ସହାୟକ ହେଉଥିବା କହିଛନ୍ତି ତୁମ୍ବେଶ୍ୱର । ଏଥିପାଇଁ ଉଦ୍ୟାନ ବିଭାଗ ର ଅଧିକାରୀ ବିଶ୍ୱଜିତ ସୁବୁଦ୍ଧିଙ୍କ ଠାରୁ ବିଭିନ୍ନ ଚାଷ ସମ୍ବନ୍ଧୀୟ ଉପଦେଶ ପାଇବା ସହ ସାର ବିହନ ଓ ସରକାରଙ୍କ ସୁବିଧା ଉପଲବ୍ଧ ବିଷୟରେ ମଧ୍ୟ ଜାଣିବାକୁ ପାଉଥିବା କହିଛନ୍ତି ତୁମ୍ବେଶ୍ୱର । ଅନ୍ୟପଟେ ସରକାରଙ୍କ ତରଫରୁ କିଛି ସହାୟତା ସହ ସୁବିଧା ସୁଯୋଗରେ ଟ୍ରାକ୍ଟରଟିଏ ଯୋଗାଇ ଦେଲେ ଅଧିକ ଚାଷ ହୋଇ ପାରିବ ବୋଲି କହିବା ସହ ଚଳିତ ବର୍ଷ ଷ୍ଟ୍ରବେରୀ ଚାଷ ଭଲ ହୋଇଥିବାରୁ  ଭଲ ରୋଜଗାର ହୋଇପାରିବ ବୋଲି ଆଶା ରଖିଥିବା ବେଳେ ଏହି ଚାଷ ପାଇଁ ତାଙ୍କ ସ୍ତ୍ରୀ ପ୍ରମିଳା କହଁର ସମ୍ପୂର୍ଣ ସହଯୋଗ କରୁଥିବା କହିଛନ୍ତି ତୁମ୍ବେଶ୍ୱର ।