ଅବ୍ୟବସ୍ଥା ଘେରରେ ଡାହିବାଡ଼ି ସାପ୍ତହିକ ହାଟ
ବୈଶିଙ୍ଗା : ବୈଶିଙ୍ଗା ପଞ୍ଚାୟତ ଅଧୀନ ମହୁରୀ ଗ୍ରାମ ସ୍ଥିତ ଡାହିବାଡ଼ି ସାପ୍ତାହିକ ହାଟ ଶହେ ବର୍ଷରୁ ଊର୍ଦ୍ଧ୍ୱ ହାଟ ହୋଇଥିବାବେଳେ ଏଠାରେ ଅବ୍ୟବସ୍ଥା ଚରମ ସ୍ଥିତିରେ ପହଞ୍ଚିଛି । ମୟୂରଭଞ୍ଜ ମହାରାଜାଙ୍କ ସମୟରୁ ଅବସ୍ଥାପିତ ଏହି ହାଟ ଦୀର୍ଘଦିନ ଅତିକ୍ରାନ୍ତ କରିସାରିଥିଲେ ସୁଦ୍ଧା ଏହାର ଭାଗ୍ୟ ବର୍ତ୍ତମାନ ସୁଦ୍ଧା ପରିବର୍ତ୍ତନ ହୋଇନାହିଁ । ଏହି ହାଟର ଉନ୍ନତିକୁ ନେଇ ସମସ୍ତ ପ୍ରମୁଖ ରାଜନୈତିକ ଦଳ ନିର୍ବାଚନ ସମୟ ଆସିଲେ ପ୍ରତିଶ୍ରୁତି ପର୍ବ ଚଲାନ୍ତି । ଏବଂ ନିର୍ବାଚନ ସରିଗଲା ପରେ ଏହାର ଉନ୍ନତିକରଣ, ଆଲୋକୀକରଣ ବ୍ୟବସ୍ଥା ପୁଣି କୋମା ସ୍ଥିତିକୁ ଚାଲିଯାଇଥାଏ । ଏହି ହାଟ ପଡ଼ିଆ ସପ୍ତାହର ଦୁଇ ଦିନ ବୁଧବାର ଏବଂ ଶନିବାରକୁ ଛାଡି ଦେଲେ ଅନ୍ୟ ଦିନମାନଙ୍କରେ ଅନ୍ଧାର ଅବସ୍ଥାରେ ପଡି ରହୁଥିଲା । ଫଳରେ ନିଶାଡି ଏବଂ ଅସାମାଜିକ ବ୍ୟକ୍ତିମାନଙ୍କର ଆଡ୍ଡାସ୍ଥଳୀ ପାଲଟିଥିଲା । ଏହାକୁ ଦୃଷ୍ଟିରେ ରଖି ବଡ଼ସାହି ବିଧାୟକ ସନାତନ ବିଜୁଳି ନିଜସ୍ୱ ହାତ ପାଣ୍ଠିରୁ ଚାରୋଟି ଖୁଣ୍ଟରେ ୧୬ରୁ ଊର୍ଦ୍ଧ୍ୱ ହାଇମାକ୍ସ ଲାଇଟ୍ ଲଗାଇଥିଲେ । ବିଧାୟକଙ୍କ ଏହି ପଦକ୍ଷେପ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ସାଧୁବାଦ ଜଣାଇଥିଲେ । ମାତ୍ର ଲାଇଟ୍ ଲଗାଇବାର କିଛି ମାସ ପରେ ଦୁଇ ଖୁଣ୍ଟରେ ଥିବା ୮ରୁ ଊର୍ଦ୍ଧ୍ୱ ହାଇମାକ୍ସ ଲାଇଟ୍କୁ ଦୁର୍ବୃତ୍ତମାନେ ଚୋରି କରିନେଇଥିଲେ । ସେତେବେଳ ସମୟରେ ପୁଲିସ ଚୋରର କୌଣସି ଟେର ପାଇନଥିଲା । ବର୍ତ୍ତମାନ ସମୟରେ ଦୁଇ ହାଟପାଳିକୁ ଛାଡି ଦେବା ପରେ ରାତ୍ରି ସମୟରେ ପୁଣି ଜୁଆଡ଼ି, ନିଶାଡ଼ି ଏବଂ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ପୁଣି ଜମୁଥିବାର ଦେଖାଯାଇଛି । କିଛି ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ମୁତାବକ ଅନ୍ଧାରର ସୁଯୋଗ ନେଇ କିଛିଦିନ ପୂର୍ବରୁ ବାଲେଶ୍ୱର ଜିଲ୍ଲାର କିଛି ଯୁବକ ଏବଂ ବିଭିନ୍ନ ଅଞ୍ଚଳର ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ବୈଶିଙ୍ଗା ପୁଲିସ ଘଟଣାସ୍ଥଳ ପହଞ୍ଚôବା ପରେ ସମସ୍ତ ଯୁବକ ଛିନ୍ଛତ୍ର ହୋଇ ଦୌଡ଼ି ପଳାଇଥିଲେ । ଫାଙ୍କା ଜାଗା ସହ ଅନ୍ଧାର ହେଉଥିବାରୁ ସେଠାରେ ଏହି ଅସାମାଜିକ, ନିଶାଡ଼ି ଏବଂ ଜୁଆଡିଙ୍କ ସଂଖ୍ୟା ଦିନକୁ ଦିନ ବଢିବଢି ଚାଲିଛି । ପରିତାପର ବିଷୟ ଏହି ହାଟଟି ବୈଶିଙ୍ଗା ପଞ୍ଚାୟତର ମୁଖ୍ୟ ରାଜସ୍ୱ ଆଦାୟକାରୀ ହାଟ ହୋଇଥିବାବେଳେ ପ୍ରାୟ ୨୫ ବର୍ଷ ପୂର୍ବେ ହାଟରୁ ମାହାସୁଲ ଆଦାୟକୁ ନେଇ ଭାଗିଦାରୀ ହିସାବରେ ଆରଏମସି ଦାୟିତ୍ୱ ଦିଆଯାଇଥିଲା । ଫଳରେ ଆରଏମସି ତାର ସିଂହ ଭାଗ ଖାଉଛି କିନ୍ତୁ ଏହାର ଉନ୍ନତିକରଣରେ କୌଣସି ଭାଗ ନାହିଁ କିମ୍ବା ପଞ୍ଚାୟତ ପକ୍ଷରୁ ଆଖି ଦୃଶିଆ ପଦକ୍ଷେପ ବର୍ତ୍ତମାନ ସୁଦ୍ଧା ନିଆଯାଇନାହିଁ । ଏହି ହାଟର ଆଲୋକୀକରଣ, ଉନ୍ନତିକରଣ ଏବଂ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ମୁକ୍ତ ପାଇଁ ଜିଲ୍ଲା ପ୍ରଶାସନ, ବ୍ଲକ ପ୍ରଶାସନ, ସରପଞ୍ଚ, ଆରଏମସି ବିଭାଗ, ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଏବଂ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।