ଦିନ ରାତି ଚାଲିଛି ବ୍ରାହ୍ମଣୀ ନଦୀ ପଠାରୁ ବାଲି ଚୋରି , ରାଜ୍ୟ ଉପ ଖଣି ନିଦେ୍ର୍ଦଶକଙ୍କ କଥା ମାନୁନି ଜିଲା ଖଣି ବିଭାଗ
ବ୍ରହ୍ମବରଦା: ଯାଜପୁର ଜିଲାରେ ଏବେ ଚାଲିଛି ବାଲି ଲୁଟର ମହାପର୍ବ । ସବୁଆଡ଼େ ଚୋରା ବାଲି ମାଫିଆଙ୍କ ରାଜ । ପ୍ରତିଦିନ କୋଟି କୋଟି ଟଙ୍କାର ଚୋରା ବାଲି ବିଭିନ୍ନ ନଦୀ ପଠାରୁ ଲୁଟ ହେଉଛି । କିନ୍ତୁ ସେଥିପ୍ରତି ନା ଅଛି ପ୍ରଶାସନର ନଜର ନା ଅଛି ରୋକ । ଜନପ୍ରତିନିଧି ଓ ସାଧାରଣ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ବି ଶୁଣୁନି ଜିଲା ପ୍ରଶାସନ । ନିଦାବିଷ୍ଣୁ ପାଲଟିଛି ଜିଲା ଖଣି ବିଭାଗ । ଫଳରେ ବ୍ରାହ୍ମଣୀ ନଦୀରୁ ଧୀରେ ଧୀରେ ବାଲି ଖାଲି ହେବାକୁ ବସିଲାଣି । ଏମିତି ଘଟଣା ସବୁ ଚାରିଆଡ଼େ ଦେଖିବାକୁ ମିଳୁଥିବା ବେଳେ ରସୁଲପୁର ତହସିଲ ଅନ୍ତର୍ଗତ ରାଉତରାପୁର ପଞ୍ଚାୟତ ସଂଲଗ୍ନ ବ୍ରାହ୍ମଣୀ ନଦୀରୁ ମଧ୍ୟ ଦିନରାତି ବାଲି ଚୋରା ଚାଲାଣ ହେଉଛି । ଯାହାକୁ ନେଇ ରାଉତରାପୁର ପଞ୍ଚାୟତ ସରପଞ୍ଚ ସ୍ୱର୍ଣ୍ଣଲତା ସାହୁ ଗତ ସେପ୍େଟମ୍ବର ମାସ ୧୭ ତାରିଖରେ ଜିଲା ଖଣି ନିଦେ୍ର୍ଦଶକଙ୍କୁ ପତ୍ର ନଂ୩୩୧/୨୦୨୪ରେ ଚିଠି ଲେଖି ତୁରନ୍ତ ତଦନ୍ତ ଆରମ୍ଭ କରିବା ସହ ତାଙ୍କ ଅଞ୍ଚଳରେ ବେଆଇନ ବାଲି ଉଠାଣକୁ ବନ୍ଦ କରିବା ପାଇଁ ଦାବି କରିଥିଲେ । ତା ସହିତ ରାଜ୍ୟ ଖଣି ଉପ ନିଦେ୍ର୍ଦଶକଙ୍କୁ ମଧ୍ୟ ଚୋରା ବାଲି ଚାଲାଣକୁ ନେଇ ଇ-ମେଲ ମାଧ୍ୟମରେ ଚିଠି କରିଥିଲେ । ତାଙ୍କ ଚିଠିରେ ଶ୍ରୀମତୀ ସାହୁ ଲେଖିଥିଲେ କି ରାଉତରାପୁର ସଂଲଗ୍ନ ବ୍ରାହ୍ମଣୀ ନଦୀରୁ ବାଲି ଉଠାଣ ନିମିତ କୌଣସି ସରକାରୀ ଲିଜ ନ ଥିଲେ ମଧ୍ୟ ଚୋରା ବାଲି ମାଫିଆ ମାନେ ଦିନରାତି ୨୪ ଘଣ୍ଟା ଟ୍ରାକ୍ଟର, ଟ୍ରକ ଓ ଭାରିଯାନ ଯୋଗେ ବାଲି ଉତ୍ତୋଳନ କରୁଛନ୍ତି । ତା ସହିତ ଚୋରା ବାଲି ଗୁଡିକ ନଦୀରୁ ଉଠାଇ ଗ୍ରାମର ବିଭିନ୍ନ ସ୍ଥାନରେ ଠୁଳ କରି ବେଧଡ଼କ ଭାବେ ଚୋରା ବ୍ୟବସାୟ ଚଳାଇଛନ୍ତି । ତା ଛଡା ଚୋରା ବାଲି ମାଫିଆ ମାନେ ବିଭିନ୍ନ ଯାନ ଯୋଗେ ଦୈନିକ ବାଲି ଉଠାଣ କରି ନଦୀବନ୍ଧ ରାସ୍ତାରେ ଯିବା ଆସିବା କରିବା ଦ୍ୱାରା ନଦୀବନ୍ଧ ରାସ୍ତା ମାନଙ୍କରେ ବିରାଟ ବିରାଟ ଗର୍ତ୍ତମାନ ସୃଷ୍ଟି ହେଉଛି । ଯାହାଦ୍ୱାରା ଉକ୍ତ ଅଞ୍ଚଳର ସାଧାରଣ ଲୋକେ ଓ ଛାତ୍ରଛାତ୍ରୀ ମାନେ ରାଉତରାପୁର ପଞ୍ଚାୟତରେ ଥିବା ମେଡିକାଲ ଓ ବିଭିନ୍ନ ବିଦ୍ୟାଳୟ ମାନଙ୍କୁ ଯାତାୟତ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେତେକାଂଶରେ ଉକ୍ତ ବିରାଟ ବିରାଟ ଗର୍ତ୍ତ ମାନଙ୍କରେ ବାଇକ ଚାଳକ ମାନେ ପଡି ଦୁର୍ଘଟଣା ଗ୍ରସ୍ତ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଏହା ବ୍ୟତୀତ ନଦୀ ପଠାରୁ ଚୋରା ବାଲି ଉଠାଣ କରିବା ପାଇଁ ବହୁ ସ୍ଥାନରେ ନଦୀବନ୍ଧକୁ କାଟି ରାସ୍ତା ତିଆରି କରାଯାଇଛି । ଯାହାଫଳରେ ଆଷାଢ଼ ମାସରେ ନଦୀରେ ପାଣି ଆସିଲେ ନଦୀବନ୍ଧ ପ୍ରତି ବିପଦ ଦେଖାଦେଇଛି । ବ୍ରାହ୍ମଣୀ ନଦୀ ପଠାରୁ ବର୍ଷ ବର୍ଷ ଧରି ବେଆଇନ ଭାବେ ଚୋରା ବାଲି ଚାଲାଣ ହେଉଥିଲେ ମଧ୍ୟ ପ୍ରଶାସନ କାହିଁକି ଚୁପ ହୋଇ ବସି ରହିଛି ତାହା ତାଙ୍କୁ ଚକିତ କରିଛି ବୋଲି କହିଛନ୍ତି । ଶ୍ରୀମତୀ ସାହୁ ଆହୁରି ମଧ୍ୟ କହିଛନ୍ତିକି ରାଉତରାପୁର ସଂଲଗ୍ନ ବ୍ରାହ୍ମଣୀ ନଦୀରୁ ବେଆଇନ ଭାବେ ଚୋରା ବାଲି ଉଠାଣକୁ ନେଇ ଗତ ଅଗଷ୍ଟ ମାସ ୩ ତାରିଖରେ ପତ୍ର ନଂ ୩୧୭/୨୦୨୪ରେ ଯାଜପୁର ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ରାଉତରାପୁର ସରପଞ୍ଚ ସ୍ୱର୍ଣ୍ଣଲତା ସାହୁ ପୂର୍ବରୁ ଯେଉଁ ଚିଠି ରାଜ୍ୟ ଉପ ଖଣି ନିଦେ୍ର୍ଦଶକଙ୍କୁ ଲେଖିଥିଲେ ତାହାର ଜବାବରେ ସେ ଯାଜପୁର ଖଣି ନିଦେ୍ର୍ଦଶକଙ୍କୁ ଏହାର ତୁରନ୍ତ ତଦନ୍ତ କରିବାକୁ ଚଳିତ ମାସ ନଭେମ୍ବର ୧୩ ତାରିଖରୁ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ଜିଲ୍ଲା ଖଣି ବିଭାଗ ଚୁପ ହୋଇ ବସିଛି । ମାନେ ରାଜ୍ୟ ଖଣି ନିଦେ୍ର୍ଦଶକଙ୍କ ନିଦେ୍ର୍ଦଶକୁ ଯାଜପୁର ଜିଲା ଖଣି ନିଦେ୍ର୍ଦଶକ ମାନୁ ନାହାଁନ୍ତି ବୋଲି ଶ୍ରୀମତୀ ସାହୁ ଅଭିଯୋଗ ଆଣିଛନ୍ତି । ତାଙ୍କ ମତରେ ବାଲି ମାଫିଆ ମାନେ ସ୍ଥାନୀୟ ପୁଲିସ ପ୍ରଶାସନ, ରାଜନେତା ଓ ଜିଲ୍ଲା ଖଣି ବିଭାଗକୁ ହାତ କରି, ମୋଟା ଅଙ୍କର ଅର୍ଥ ପ୍ରଦାନ କରି ବାଲି ମାଫିଆ ମାନେ ଚୋରା ବାଲି କାରବାର ଚଳାଇଛନ୍ତି ବୋଲି ସେ କହିଛନ୍ତି । ତେଣୁ ଏହାର ତୁରନ୍ତ ତଦନ୍ତ କରି ବାଲି ଚୋରା ଚାଲାଣକୁ ବନ୍ଦ କରିବାକୁ ରାଉତରାପୁର ସରପଞ୍ଚ ଶ୍ରୀମତୀ ସାହୁ ଦାବି କରିଛନ୍ତି ।