ଅବ୍ୟବସ୍ଥା ପାଇଁ ଅଘଟଣ : ଲିଭିଗଲା ୩ ଜୀବନଦୀପ
ରଥାରୁଢ଼ ମହାପ୍ରଭୁଙ୍କୁ ଦର୍ଶନ କରି କିଏ ଦୀପଟିଏ ଜାଳୁଥିଲା ତ ଆଉ କିଏ ଦୀପ ଜାଳିବାକୁ ସଜବାଜ ହେଉଥିଲା । ହେଲେ ଭକ୍ତ ଅବା କେମିତି ଜାଣିବେ, ଜଗା ପାଇଁ ଦୀପ ଜାଳୁଜାଳୁ ନିଜ ଜୀବନଦୀପ ବି ଲିଭିଯିବ ବୋଲି । ପ୍ରଶାସନିକ ଅବ୍ୟବସ୍ଥା ପାଇଁ ଏଭଳି ଏକ ବଡ଼ ଅଘଟଣ ଘଟିବ ବୋଲି କେହି ସ୍ୱପ୍ନରେ କଳ୍ପନା ବି କରିନଥିଲେ । ଗଣମାଧ୍ୟମରୁ ନେଇ ସାମାଜିକ ଗଣମାଧ୍ୟମ ଯାଏଁ, ଅବ୍ୟବସ୍ଥା ଓ ବିଭ୍ରାଟ ନେଇ ଅନେକ ବାର ଚେତାଇ ଦିଆଯାଇଥିଲା । ହେଲେ ପୁଲିସ୍ ଓ ପ୍ରଶାସନ ବେଧଡ଼କ ଭାବେ ବସି ଯାଇଥିଲେ । ଯାହାର ପରିଣାମ ସ୍ୱରୂପ ଦଳାଚକଟାରେ ତିନି ଭକ୍ତଙ୍କର ଜୀବନଦୀପ ଲିଭିଯାଇଛି । ଦଳାଚକଟାରେ ମୃତକମାନେ ହେଲେ ବୋଲଗଡ଼ର ବାସନ୍ତୀ ସାହୁ (୩୬), ଭୁବନେଶ୍ୱରର ପ୍ରେମକାନ୍ତ ମହାନ୍ତି (୭୮) ଏବଂ ବାଲିପାଟଣା ବ୍ଲକ ଅଠାନ୍ତରର ପ୍ରଭାତୀ ଦାସ ।
ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଘଟିଛି ଅଭୁତପୂର୍ବ ଅଘଟଣ । ରବିବାର ପ୍ରତୁ୍ୟଷରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ମୃତୁ୍ୟର ବିଭୀଷିକା । ରଥଯାତ୍ରାର ତୃତୀୟ ଦିବସର ପ୍ରଭାତରେ ଦଳାଚକଟା ଯୋଗୁଁ ତିନିଜଣ ଭକ୍ତଙ୍କ ଜୀବନ ଚାଲିଯାଇଛି । ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ତିନି ରଥ ନିକଟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଦୁଇ ମହିଳା ଓ ଜଣେ ପୁରୁଷ ଭକ୍ତଙ୍କର ମୃତୁ୍ୟ ହୋଇଛି ।
ରଥଯାତ୍ରାର ଉସôାହ, ଉଦ୍ଦୀପନା ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ବିଷାଦର ଛାୟା ସୃଷ୍ଟିହୋଇଛି । ଭିଡ଼ ନିୟନ୍ତ୍ରଣରେ ବିଫଳତା, ପୁଲିସ ଓ ପ୍ରଶାସନର ସଜାଗତାର ଅଭାବ ତଥା ଅପ୍ରତ୍ୟାଶିତ ଭାବେ ପୁରୀକୁ ବହୁସଂଖ୍ୟାରେ ଭକ୍ତ ମାଡ଼ିଆସିବାରୁ ଏଭଳି ଅଘଟଣ ଘଟିଛି । ଏହି ଅଭାବନୀୟ ଦୁର୍ଘଟଣା ଭକ୍ତ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟିକରିଛି । ବଡ଼ବଡ଼ ବାବୁମାନଙ୍କ ଘନଘନ ବୈଠକ, ଅଭୂତପୂର୍ବ କଡ଼ା ସୁରକ୍ଷା ବ୍ୟବସ୍ଥା ତଥା ଏଆଇ କ୍ୟାମେରା ଭଳି ଅତ୍ୟାଧୁନିକ ଟେକ୍ନୋଲୋଜିର ସହାୟତା ସତ୍ତ୍ୱେ ଏଭଳି ଦୁର୍ଘଟଣା ଘଟିବା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହାସତ୍ତ୍ୱେ ପୁରୀକୁ ଭକ୍ତଙ୍କ ଉସôାହ ଓ ଆଗମନ ଉଣା ପଡ଼ିନାହିଁ । ଆଡ଼ପପହଣ୍ଡିରେ ହୋଇଛି ବିପୁଳ ଜନସମାଗମ । ଇତି ମଧ୍ୟରେ ପୁଲିସ ମହାନିଦେ୍ର୍ଦଶକ ୱାଇ.ବି. ଖୁରାନିଆ ପୁରୀ ଆସି ଘଟଣାସ୍ଥଳ ପରିଦର୍ଶନ କରିବା ସହ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନ୍ୟ ପକ୍ଷରେ ସେବାୟତ ଓ ଶ୍ରଦ୍ଧାଳୁମାନେ ଏହି ଦୁଃଖଦ ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଏଭଳି ଭିଡ଼ ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଦଳାଚକଟାରେ ମୃତୁ୍ୟ ଘଟିଥିବା ମୃତକମାନେ ହେଲେ ବୋଲଗଡ଼ର ବାସନ୍ତୀ ସାହୁ (୩୬), ଭୁବନେଶ୍ୱରର ପ୍ରେମକାନ୍ତ ମହାନ୍ତି (୭୮) ଏବଂ ବାଲିପାଟଣା ବ୍ଲକ ଅଠାନ୍ତରର ପ୍ରଭାତୀ ଦାସ । ସେମାନଙ୍କ ଶବକୁ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୁରୀ ବଡ଼ ଡ଼ାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଛି । ଦଳାଚକଟାରେ ୯ ଜଣ ଆହତଙ୍କ ମଧ୍ୟରୁ ୮ ଜଣ ଚିକିସôିତ ହୋଇ ସୁସ୍ଥ ହୋଇଛନ୍ତି । ଜଣେ ମାତ୍ର ଚିକିସôାଧୀନ ଅଛନ୍ତି । ପ୍ରତ୍ୟକ୍ଷଦର୍ଶୀମାନଙ୍କ ସୂଚନା ଅନୁଯାୟୀ ଶନିବାର ଅପରାହ୍ନରେ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ତିନି ରଥ ଲାଗିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ପାଇଁ ରଥ ଚତୁଃପାଶ୍ୱର୍ରେ ଲାଗିରହିଥିଲା ଭକ୍ତଙ୍କ ଭିଡ଼ । ରାତ୍ର ୧୨ଟା ୧୫ମିନିଟ୍ ମଧ୍ୟରେ ରଥ ଉପରେ ଠାକୁରମାନଙ୍କର ପହୁଡ଼ ହୋଇଥିଲା । ସମବେତ ହଜାର ହଜାର ଭକ୍ତ ଦର୍ଶନ କରିନପାରି ନିରାଶ ହୋଇଥିଲେ ମଧ୍ୟ ରଥ ଚାରିପଟେ ଭିଡ଼ ଜମାଇଥିଲେ । ରାତି ସାରା ଲାଗି ରହିଥିଳା ଭକ୍ତଙ୍କ ଗହଳି । କ୍ରମେ ଭିଡ଼ ବୃଦ୍ଧି ପାଇବାରେ ଲାଗିଥିଲା । ରାତ୍ରର ଶେଷ ପ୍ରହର ରାତ୍ର ୪ଟା ବେଳକୁ ମହାପ୍ରଭୁଙ୍କ ପହୁଡ଼ ଫିଟିଥିଲା । ମଙ୍ଗଳଆଳତି ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଗୁଣ୍ଡିଚା ମନ୍ଦିର ସମ୍ମୁଖକୁ ଧାଇଁଥିଲେ । ପୂର୍ବରୁ ଅପେକ୍ଷାରତ ଦର୍ଶନାର୍ଥୀ ଓ ମଙ୍ଗଳଆଳତି ଦର୍ଶନ ପାଇଁ ଅଧିକ ସଂଖ୍ୟକ ଯାତ୍ରୀ ରଥ ସମ୍ମୁଖରେ ଦଣ୍ଡାୟମାନ ହେବାରୁ ଠେଲାପେଲା ହୋଇ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । କଟକ, ଭୁବନେଶ୍ୱର ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ଲୋକମାନେ ଦର୍ଶନ ପାଇଁ ମାଡ଼ିଆସିଥିଲେ । ଏତେ ଭିଡ଼ ପୁଲିସ ଓ ପ୍ରଶାସନ ପାଇଁ ଥିଲା ଅପ୍ରତ୍ୟାଶିତ । ଦଳାଚକଟାରେ ଭକ୍ତଙ୍କ ମୃତୁ୍ୟ ଓ ଗୁରୁତର ଖବର ପାଇ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚôଥିଲେ । ଜିଲ୍ଳାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଆରକ୍ଷୀ ଅଧୀକ୍ଷକ ଭୀନିତ ଅଗ୍ରୱାଲ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚô ପରିସ୍ଥିତି ଅନୁଧ୍ୟାନ କରିଥିଲେ । ମୃତାହତମାନଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା । ଏହି ଘଟଣା ସହରରେ ଦୁଃଖର ବାତାବରଣ ସୃଷ୍ଟି କରିଛି । ସନ୍ଧ୍ୟା ଦର୍ଶନ ଓ ବାହୁଡ଼ାଯାତ୍ରାରେ ଅଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ ସେଥିପ୍ରତି ଦୃଷ୍ଟି ରଖି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ମତପ୍ରକାଶ ପାଇଛି । ଏହି ଘଟଣାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଦୁଃଖ ପ୍ରକାଶ କରିବା ସହ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ମତବ୍ୟକ୍ତ କରିଛନ୍ତି । ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେ ଦିଗରେ ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯିବାକୁ ସେ ପରାମର୍ଶ ଦେଇଛନ୍ତି । ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ କଂଗ୍ରେସର ଏକ ଦଳ ପୁରୀ ଆସି ପରିସ୍ଥିତି ଅନୁଧ୍ୟାନ କରିଥିବା ଜଣାଯାଇଛି । ବିଜେଡ଼ିର ମଧ୍ୟ ଏକ ଟିମ୍ ସଂଜୟ ଦାସବର୍ମାଙ୍କ ନେତୃତ୍ୱରେ ପୁରୀରେ ପହଁଚିଛନ୍ତି । ପୁଲିସ ଓ ପ୍ରଶାସନର ଅବହେଳାରୁ ଏଭଳି ଅଘଟଣ ଘଟିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ।