ଆତ୍ମାର ଧର୍ମ
ଆଚାର୍ଯ୍ୟଗଣ, ଅଷ୍ଟପ୍ରକୃତି (ମୂଳ ପ୍ରକୃତି, ପଞ୍ଚତନ୍ମାତ୍ର, ମହତ୍ତ୍ୱ ଓ ଅହଙ୍କାର), ତିନିଗୁଣ (ସତ୍ତ୍ୱ, ରଜ ଓ ତମ) ଓ ତାର ଷୋଳ ବିକାର (ପଞ୍ଚ କର୍ମେନ୍ଦ୍ରିୟ, ପଞ୍ଚ ଜ୍ଞାନେନ୍ଦ୍ରିୟ, ପଞ୍ଚମହାଭୂତ ଏବଂ ମନ) ଏ ସବୁର ସାକ୍ଷୀରୂପେ ଏକ ପୁରୁଷଙ୍କୁ ନିରୂପଣ କରିଛନ୍ତି । ଏ ସମସ୍ତର ସମନ୍ୱୟରେ ଦେହ ହୋଇଛି । ଏହା ପୁଣି ଦୁଇ ପ୍ରକାର ସ୍ଥାବର ଓ ଜଙ୍ଗମ । ଏଥିରେ ଆତ୍ମା ଠାରୁ ଅଲଗା ସମସ୍ତ ବସ୍ତୁକୁ ଏହା ଆତ୍ମା ନୁହେଁ, ଏହା ଆତ୍ମା ନୁହେଁ ନେତି ନେତି ବୋଲି କହି ଅସଲ ଆତ୍ମାକୁ ଖୋଜି ବାହାର କରିବା ଆବଶ୍ୟକ । ମଣି ମାନଙ୍କ ମଧ୍ୟରେ ସୂତ୍ର ପ୍ରବେଶ କରି ବାହାରିଯିବା ପରି ପୁରୁଷ ବା ଆତ୍ମା ଦେହ ମଧ୍ୟରେ ପ୍ରବେଶ କରେ ଓ ବାହାରିଯାଏ । ସେହି ଶୁଦ୍ଧ ବିବେକବୁଦ୍ଧିରେ ସୃଷ୍ଟି ଓ ସଂହାର ବିଷୟ ଧୀର ଭାବରେ ବିଚାର କରିବା ଉଚିତ । ଗାଢ଼ ନିଦ୍ରା, ସ୍ୱପ୍ନ ଓ ଜାଗରଣ ଏ ତିନୋଟି ହେଉଛନ୍ତି ବୁଦ୍ଧିର ବୃତ୍ତି । ଯାହାଙ୍କ ଦ୍ୱାରା ଏହା ଅନୁଭୂତ ହୁଏ, ସେ ହେଉଛନ୍ତି ଦେହାଦିର ସ୍ରଷ୍ଟା ପରମ ପୁରୁଷ, ପରମାତ୍ମା । ଜାଗରଣ, ସ୍ୱପ୍ନ ଏବଂ ସୁଷୁପ୍ତି ହେଉଛି ବୁଦ୍ଧିର ପରିଣତି । ଏହାର ଆତ୍ମାର ଧର୍ମ ନୁହେଁ । କର୍ମଜନିତ ହୋଇଥିବାରୁ ଏହା ତ୍ରିଗୁଣାତ୍ମକ । ଯେପରି କୌଣସି ଗନ୍ଧର ସ୍ପର୍ଶରେ ବାୟୁ ଗନ୍ଧଯୁକ୍ତ ହୁଏ, ସେହିପରି ନିର୍ଗୁଣ ବ୍ରହ୍ମ ବୁଦ୍ଧିଯୋଗରେ ଗୁଣଯୁକ୍ତ ବୋଲି ମନେ ହୁଏ । ଏହି ବୁଦ୍ଧି ହେଉଛି ଗୁଣ ଓ କର୍ମର ବନ୍ଧନରୂପ ସଂସାରର ଦ୍ୱାର । ଏହା ଅଜ୍ଞାନମୂଳକ ଓ ମିଥ୍ୟା ହେଲେ ମଧ୍ୟ ସ୍ୱପ୍ନ ପରି ଜୀବକୁ ପ୍ରତୀତ ହୋଇଥାଏ । ସେଥିପାଇଁ ତୁମ ମାନଙ୍କୁ ପ୍ରଥମେ ଏହି ଗୁଣମାନଙ୍କ ଯୋଗୁଁ ହେଉଥିବା କର୍ମର ବୀଜକୁ ନଷ୍ଟ କରି ଦେବାକୁ ହେବ । ଏହାଦ୍ୱାରା ବୁଦ୍ଧିର ବୃତ୍ତିମାନଙ୍କର ପ୍ରବାହ ବନ୍ଦ ହୋଇଯିବ । ଅନ୍ୟ ଅର୍ଥରେ ଏହାକୁ ଯୋଗ କୁହାଯିବ । ଏହି ବୁଦ୍ଧିର ପ୍ରବାହ ବା ଜନ୍ମ ମରଣ ରୂପ ସଂସାରଚକ୍ରର ବୀଜ ବିନାଶ ପାଇଁ ସହସ୍ର ଉପାୟ ଶାସ୍ତ୍ରରେ କୁହାଯାଇଛି । ଗୁରୁସେବା, ଭଗବତଭକ୍ତି, ସମସ୍ତ ଲବ୍ଧ ଦ୍ରବ୍ୟକୁ ଈଶ୍ୱରଙ୍କ ଉଦେ୍ଦଶ୍ୟରେ ସମର୍ପଣ, ସାଧୁ ଭକ୍ତମାନଙ୍କର ସଙ୍ଗ, ଈଶ୍ୱରଙ୍କର ଆରାଧନା, ଶ୍ରଦ୍ଧାପୂର୍ବକ ଶ୍ରୀହରିଙ୍କ କଥା ଗୁଣ ଓ କର୍ମର ଶ୍ରବଣ କୀର୍ତ୍ତନ, ଶ୍ରୀଗୋବିନ୍ଦଙ୍କ ପାଦପଦ୍ମର ଧ୍ୟାନ, ଶ୍ରୀହରିଙ୍କ ମୂର୍ତ୍ତିର ଦର୍ଶନ ଓ ପୂଜନ, ସମସ୍ତ ପ୍ରାଣୀଙ୍କ ମଧ୍ୟରେ ସର୍ବଶକ୍ତିମାନ ଭଗବାନ ଶ୍ରୀହରି ବିରାଜମାନ ବୋଲି ମନେ କରି ସମସ୍ତ ପ୍ରାଣୀଙ୍କୁ ସମ୍ମାନ ପ୍ରଦାନ ଏବଂ କାମ, କ୍ରୋଧ, ଲୋଭ, ମୋହ ମଦ ଓ ମାତ୍ସର୍ଯ୍ୟ ଇତ୍ୟାଦି ଏହି ଷଡ଼ରିପୁଙ୍କୁ ଜୟ କରି ଯେଉଁ ବ୍ୟକ୍ତି ଭଗବାନ ବାସୁଦେବଙ୍କୁ ଭକ୍ତି କରେ ସେ ଭଗବାନଙ୍କର ଅନନ୍ତ ପ୍ରେମ ଲାଭ କରିବା ପାଇଁ ସମର୍ଥ ହୁଏ ।
କିଶୋର କୁମାର ଜେନା
ମୋ: ୭୩୨୫୯୦୪୯୨୭