ଗରିବଙ୍କ ସ୍ୱାର୍ଥ ଓ ପରିବେଶ ସୁରକ୍ଷା
ଉମାଶଙ୍କର ପ୍ରସାଦ : ପ୍ରକୃତି ଓ ପରିବେଶ ଉପରେ ହିଁ ମଣିଷ ସଭ୍ୟତା ଗଢ଼ି ଉଠିଛି । ଯେଉଁଠାରେ ପ୍ରକୃତି ଓ ପରିବେଶ ଅକ୍ଷତ ରହିଛି କିମ୍ବା ଯେତିକି ଅଧିକ ସୁରକ୍ଷିତ ରହିପାରିଛି, ସେ ଅଂଚଳର ମଣିଷ ସେତିକି ମାତ୍ରାରେ ସମୃଦ୍ଧ ରହିଛନ୍ତି । ଯେଉଁ ଅଂଚଳର ପ୍ରକୃତି ଓ ପରିବେଶ ଅଧିକ ସଂରକ୍ଷିତ ହୋଇପାରିଛି ସେଠାକାର ମଣିଷ ସେହି ଅନୁପାତରେ ସୁସ୍ଥ ରହିଛନ୍ତି । ପ୍ରକୃତି ଓ ପରିବେଶକୁ ଯେଉଁଠାରେ ଯେତିକି ଆଘାତ ଦିଆଯାଇଛି ସେହି ଅଂଚଳର ଲୋକେ ପ୍ରକୃତି ଓ ପରିବେଶ ଠାରୁ ସେତିକି ଅନୁପାତରେ ପ୍ରତି ଆଘାତ ପାଇଛନ୍ତି । ଶିଳ୍ପ ସମୃଦ୍ଧିର ମାତ୍ରା ଯେଉଁ ଦେଶରେ କିମ୍ବା କୌଣସି ଦେଶର ଯେଉଁ ଅଂଚଳରେ ମାତ୍ରାଧିକ ହୋଇଛି ସେ ଅଂଚଳର ପ୍ରକୃତି ଓ ପରିବେଶ ସେତିକି ମାତ୍ରାରେ ଧ୍ୱଂସ ହୋଇଚାଲିଛି ।
ଶିଳ୍ପ ସମୃଦ୍ଧି ସହିତ ମଣିଷର ଜୀବନ, ଜୀବିକା, ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳା ପରିସ୍ଥିତିର ସମସ୍ୟା ଉକ୍ରଟ ହୋଇଉଠୁଛି । ଏପରି କି ମଣିଷର ସୁଖ ସମୃଦ୍ଧି ପାଇଁ ଉଦ୍ଧିଷ୍ଟ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର, ଜଳସେଚନ ପାଇଁ ଉଦ୍ଧିଷ୍ଟ ନଦୀବନ୍ଧ ଯୋଜନା, କୋଠାବାଡି ପାଇଁ ଲୁହା, ଇସ୍ପାତ ଓ ସିଂମେଟ କାରଖାନା, ରାସାୟନିକ ପଦାର୍ଥରୁ କପଡା ଉତ୍ପାଦନ କାରଖାନା, ଶିକ୍ଷିତ ହେବା ପାଇଁ କାଗଜ ତିଆରି କାରଖାନା, ରାସ୍ତାଘାଟ ଓ ସହର ନିର୍ମାଣ କାମ ପାଇଁ ଉଦ୍ଦିଷ୍ଟ ପଥରଭଙ୍ଗା ଶିଳ୍ପ, ଜାଳେଣି ପାଇଁ କୋଇଲା ଉତ୍ପାଦନ ଖଣି, ଯାବତୀୟ ଧାତୁ ଉତ୍ପାଦନ ପାଇଁ ଖଣି ଖାଦନ, ଖଣି ପଥରକୁ ବିଭିନ୍ନ ମୂଲ୍ୟବାନ ଧାତୁରେ ପରିଣତ କରିବାକୁ ଧାତୁ ଉତ୍ପାଦନ କାରଖାନା, ବିଭିନ୍ନ କ୍ଷେତ୍ରରେ ଆବଶ୍ୟକ ହେଉଥିବା ରାସାୟନିକ ପଦାର୍ଥର ଉତ୍ପାଦନ କାରଖାନା ଆଦି ସମସ୍ତ ପ୍ରକାରର ଶିଳ୍ପ କାରଖାନା ପ୍ରତିଷ୍ଠା ଫଳରେ ପ୍ରକୃତି ଓ ପରିବେଶର କ୍ରମବର୍ଦ୍ଧମାନ ଧ୍ୱଂସ ସାଧନ ଘଟୁଛି ।
ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଦୁଇଟି ଭୟଙ୍କର କ୍ଷତି ଘଟୁଛି । ଯେଉଁଠାରେ ଏପରି ଶିଳ୍ପ ପ୍ରତିଷ୍ଠା ହେଉଛି ସେଠାକାର ପ୍ରକୃତି ଓ ପରିବେଶ ତୀବ୍ର ଆଘାତ ପାଉଛି ଯାହାର କୌଣସି କ୍ଷତି ପୂରଣ ନାହିଁ । ସେ ସ୍ଥାନରେ ରହିଥିବା ଫସଲ କ୍ଷେତ ଠାରୁ ଆରମ୍ଭ କରି ସମସ୍ତ ବୃକ୍ଷଲତାଗୁଡିକ ଅବିଚାରିତ ଭାବରେ କାଟି ସଫା କରିଦିଆଯାଉଛି । ଫଳରେ ଜଙ୍ଗଲର ପଶୁ ଜଙ୍ଗଲବସତି ଛାଡି ଜନବସତି ଆଡକୁ ମୁହାଁଉଛନ୍ତି ଏବଂ ଏହା ମାଟି, ପାଣି ଓ ବାୟୁର ଭାରସାମ୍ୟକୁ କେବଳ ଯେ ନଷ୍ଟ କରୁଛି ତା ନୁହେଁ ସେ ଅଂଚଳର ବହୁ ବର୍ଷ ଧରି ପ୍ରଚଳିତ ପ୍ରାଣୀ ଓ ଉଦ୍ଭିଦ ସମ୍ପଦର ସ୍ୱାସ୍ଥ୍ୟକୁ ହଠାତ ବିପନ୍ନ କରିଦେଉଛି । ଏହା ହଠାତ୍ ପ୍ରତ୍ୟକ୍ଷ ଅନୁଭବ କିମ୍ବା ଉପଲବ୍ଧି କରି ନହେଲେ ମଧ୍ୟ ଏହା ସଂପୃକ୍ତ ପ୍ରାଣୀ ଓ ଉଦ୍ଭିଦ ଜଗତର ଧୀର ଅଥଚ ନିଶ୍ଚିତ ଗତିରେ ମୃତ୍ୟୁର ଆଶଙ୍କାକୁ ନିକଟକୁ ନେଇଆସୁଛି । ଦ୍ୱିତୀୟ ଭୟଙ୍କର କ୍ଷତି ହେଉଛି କ୍ଷିପ୍ର ଗତିରେ ଏହା ଏକ ଶକ୍ତିଶାଳୀ ବିଷାକ୍ତ ଏବଂ ପ୍ରଦୂଷଣଯୁକ୍ତ ବାୟୁମଣ୍ଡଳ ଏବଂ ଜୀବନ ହାନିକର ପରିସ୍ଥିତି ସୃଷ୍ଟି କରିଦେଉଛି । ମଣିଷ ଏବଂ ଅନ୍ୟାନ୍ୟ ପ୍ରାଣୀ ତଥା ଉଦ୍ଭିଦ ଜଗତର ସୁସ୍ଥ ଭାବରେ ବଂଚିବାର ଗୋଟିଏ ମୌଳିକ ଅଧିକାର ରହିଛି । ଏକଥା ସେହି ଅଂଚଳର ମଣିଷମାନେ ମଧ୍ୟ ବୁଝିପାରୁନାହାନ୍ତି । କାରଣ ଏହି ମଣିଷମାନେ ନିରକ୍ଷର । ସାମାଜିକ, ଆର୍ôଥକ ଓ ରାଜନୈତିକ ଦୃଷ୍ଟିରୁ ଏକ ଦୁର୍ବଳ ସଂପ୍ରଦାୟ । ଅଧିକନ୍ତୁ ଏମାନେ ଦରିଦ୍ର । ଦରିଦ୍ର ମଣିଷର ସାମ୍ବିଧାନିକ ମୌଳିକ ଅଧିକାର କୋଟିପତି, ଶିଳ୍ପପତି ଓ ଧନୀ ବ୍ୟବସାୟୀଙ୍କ ଠାରୁ ବାସ୍ତବ ଜୀବନରେ ଯଥେଷ୍ଟ କମ୍ ଯଦିଓ ନୀତି ଓ ଆଇନ ଦୃଷ୍ଟିରୁ ସେମାନଙ୍କର ସମାନ ଅଧିକାର କାଗଜପତ୍ରରେ ସ୍ୱୀକୃତ । ପୁଣି ଯେଉଁମାନେ ପ୍ରକୃତି ଓ ପରିବେଶକୁ ଧ୍ୱଂସ କରି ଏହି ଦରିଦ୍ର ଓ ଦୁର୍ବଳ ମଣିଷମାନଙ୍କର ବଂଚିବାର ଅଧିକାରରୁ ବଂଚିତ କରି ଆଶ୍ରୟ ସ୍ଥାନର ଅଧିକାରରୁ ମଧ୍ୟ ଧକ୍କାମାରି ତଡି ଦେଉଛନ୍ତି ସେମାନେ କେବଳ ଧନୀ ନୁହନ୍ତି । ସେମାନଙ୍କ ପଛରେ ରାଷ୍ଟ୍ରର ରାଜନୈତିକ ନେତା ଓ ପ୍ରଶାସନିକ ଅଧିକାରୀମାନଙ୍କର ବିପୁଳ ସମର୍ଥନ ରହିଛି । ରାଷ୍ଟ୍ର କ୍ଷମତା ଏହି ଦରିଦ୍ରମାନଙ୍କୁ ଉଚ୍ଛେଦ ଓ ବଂଚିତ କରିବାକୁ ବ୍ୟବହୃତ ହେଉଛି । ଯେଉଁ କ୍ଷମତା ଏହି ସାଧାରଣ ମଣିଷ ସେମାନଙ୍କ ହାତରେ ଟେକି ଦେଇଛି ନିଜର ରକ୍ଷଣ ଓ ନିରାପତ୍ତା ପାଇଁ ମାନବିକ ଅଧିକାରର ଉଲଙ୍ଘନ କରି ସଂଖ୍ୟାଗରିଷ୍ଠଙ୍କ ସ୍ୱାର୍ଥ ଓ ଜୀବନ ଜୀବିକାର ଉଚ୍ଛେଦ କରୁଥିବା ଏହି ଅତି ସଂଖ୍ୟାଲଘୁ ଗୋଷ୍ଠୀ ପ୍ରକୃତି ଓ ପରିବେଶକୁ ନଷ୍ଟ କରି ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅର୍ଥ ସମ୍ପଦ ବୃଦ୍ଧି ପାଇଁ ନିରନ୍ତର ଲାଗିଛି । ସମସ୍ତ ପ୍ରକାର ଅସ୍ତ୍ର ଏହି ସଂଖ୍ୟାଲଘୁଙ୍କ ହାତରେ ଠୁଳ ହୋଇଛି।
ପ୍ରକୃତି ଓ ପରିବେଶର କ୍ଷତି ଘଟିଲେ ପ୍ରକୃତ ଦରିଦ୍ରମାନଙ୍କର ହିଁ କ୍ଷତି ଘଟେ। ଏମାନେ ପ୍ରତିବାଦ କଲେ ଜେଲକୁ ନିଆଯିବେ, ଲାଠିମାଡ ଖାଇବେ। ପ୍ରତିରୋଧର ଅଭିଯାନ କଲେ ଏମାନଙ୍କୁ ଗୁଳିମାଡର ସମ୍ମୁଖୀନ ହେବାକୁ ପଡିବ, ମୃତାହତ ହେବେ । ମୃତ ପ୍ରତିବାଦୀମାନଙ୍କ ଶବ ପୁଲିସ ନିଜେ ପୋଡିଦେବେ। କିନ୍ତୁ ଦରିଦ୍ରମାନେ କ୍ରମେ ବୁଝିଲେଣି ଯେ ପରିବେଶ ଧ୍ୱଂସର ଅର୍ଥ ସେମାନଙ୍କର ଜୀବନ ଓ ଜୀବିକାର ଉଚ୍ଛେଦ । ବିକାଶ ନାମରେ ବିନାଶର ଏ ସର୍ବଗ୍ରାସୀ ଲୀଳା ଚାଲିଛି । ଏହା ବିରୁଦ୍ଧରେ ପ୍ରତିବାଦର ସ୍ୱରରେ ବିଭିନ୍ନ ସ୍ଥଳରେ ଉଠିଲାଣି । ଯେଉଁଠି ଏହି ପ୍ରତିବାଦର ସ୍ୱର ତୀବ୍ର ହେଲାଣି ଏହାକ୍ରମେ ତିକ୍ତ ପ୍ରତିରୋଧର ରୂପ ଧାରଣ କଲାଣି । ଯେଉଁଠାରେ ପ୍ରତିରୋଧର ମାତ୍ରା ଚରମସ୍ତରରେ ପଂହଚିପାରୁଛି ସେଠାରେ ରାଷ୍ଟ୍ରର ଦମନକାରୀ ଶକ୍ତି ପଛେଇବାକୁ ବାଧ୍ୟ ହେଉଛି । ଯେଉଁଠାରେ ପ୍ରତିରୋଧର ଶକ୍ତି ସାର୍ବଜନୀନ ହେଉଛି ଅର୍ଥାତ ଆବାଳ ବୃଦ୍ଧବନିତା ଏକ ହୋଇ ମରିବା ପାଇଁ ଠିଆ ହୋଇଯାଉଛନ୍ତି ଏହି ଦମନଲୀଳା ବିରୁଦ୍ଧରେ ଅନ୍ୟଆଡେ ମଧ୍ୟ ସହାନୁଭୂତି ଓ ସମର୍ଥନର ସ୍ୱର ଉଠୁଛି । ରାଷ୍ଟ୍ରଶକ୍ତି କିଛି ଆଘାତ କରି ମୃତାହତ କଲାପରେ ମଧ୍ୟ ଯେଉଁଠି ଲୋକଙ୍କର ମନୋବଳ ଅତୁଟ ରହିଛି ସେଠାରୁ ରାଷ୍ଟ୍ରଶକ୍ତି ଲୋକଶକ୍ତି ନିକଟରେ ହାର ମାନିବାକୁ ବାଧ୍ୟ ହେଉଛି । ଏହା ହିଁ ଗରିବଙ୍କ ସ୍ୱାର୍ଥ ଏବଂ ସାର୍ବଜନୀନ ଆନ୍ଦୋଳନର ଅନ୍ତିମ ସତ୍ୟ ।
ମୋ:୬୩୭୦୬୭୫୫୬୨