ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକର ବିକ୍ଷୋଭ

 ଛତ୍ରପୁର: ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ୭ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ତେବେ ଜିଲ୍ଲାପାଳଙ୍କ ଅନୁପସ୍ଥିତ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିଗୁଡିକ ମଧ୍ୟରେ ଧନମଣ୍ଡି ପରିଚାଳନାରେ ଅବ୍ୟବସ୍ଥାର ସମାଧାନ କରି କଟନୀଛଟନୀ ବନ୍ଦ କରିବା, ଛତ୍ରପୁର ଠାରେ ଥିବା ନେତାଜୀଙ୍କ ବିକୃତ ପ୍ରତିମୂର୍ତ୍ତିର ପରିବର୍ତ୍ତନ ସହିତ ମୃତୁ୍ୟ ତାରିଖ ହଟାଯାଉ, ଚିକିଟି ମଦମୃତୁ୍ୟ ଘଟଣାର ତଦନ୍ତକୁ କ୍ରିୟାଶୀଳ କରିବା ସହିତ ପିଡିତଙ୍କୁ କ୍ଷତିପୂରଣ ପ୍ରଦାନ ଓ ଦୋଷୀ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡିଥିବା ଆଇନ ଶୃଙ୍ଖଳାର ସୁଧାର ଆଣିବା ପାଇଁ ଅଧିକ ଥାନା ଖୋଲିବା ଓ ଆବଶ୍ୟକ ପୁଲିସ କର୍ମଚାରୀଙ୍କୁ ନିଯୁକ୍ତି ଦେବା ସହିତ ନିୟମିତ ପେଟ୍ରୋଲିଂ କରିବା, ଗଞ୍ଜାମ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଗୁଡିକର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଗଞ୍ଜାମ ଜିଲ୍ଲାରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା କରିବା, ଏସ୍ପି ଭିଜିଲାନ୍ସ ବ୍ରହ୍ମପୁର କାର୍ଯ୍ୟାଳୟରେ ବିଗତ ୧୦ବର୍ଷ ମଧ୍ୟରେ ଦୁର୍ନୀତିର ତଦନ୍ତ ପାଇଁ କେତେ ଅଭିଯୋଗ ହୋଇଛି, ସେଥିମଧ୍ୟରୁ କେତେ ତଦନ୍ତ ହୋଇଛି ଏବଂ କେତେ ତଦନ୍ତ ନହୋଇ ଫାଇଲ ଭିତରେ ବନ୍ଧା ହୋଇ ପଡିଛି ତାର ସମୀକ୍ଷା କରିବା ଆଦି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଫରୱାର୍ଡ ବ୍ଲକ ପକ୍ଷରୁ ଜିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢୀ, ଜିଲ୍ଲା ସାଧାରଣ ସମ୍ପାଦକ  ସନ୍ତୋଷ କୁମାର ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ସ୍ୱପ୍ନେଶ୍ୱର ପାଣିଗ୍ରାହୀ, ରାଜ୍ୟ ନେତା ସମରଜିତ୍ ମହାନ୍ତି, ଜଗନ୍ନାଥ ପ୍ରଧାନ, ସନ୍ତୋଷ ପ୍ରଧାନ,ଶଙ୍କର ବେହେରା, କାଳୁଚରଣ ନାୟକ, ଦିଲ୍ଲୀପ ଅଧିକାରୀ ପ୍ରମୁଖ ନେତୃତ୍ୱ ନେଇଥିଲେ ।