ଦଳିତ ବ୍ୟକ୍ତିଙ୍କୁ ମାଡ ମାରିବା ଅଭିଯୋଗ
ରାଜନଗର : ରାଜନଗର ବ୍ଲକ ସାନବଡଗୋପାଳପୁର ବଜାରରେ ଥିବା ଚୁଡାମିଲ ପରିସରରେ ଜଣେ ଦଳିତ ବ୍ୟକ୍ତିଙ୍କୁ ମାଡ ମାରିବା ସହ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିଥିବା ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଛି ।
ରାଜନଗର ଗ୍ରାମର ଜୟୀରାମ ସେଠୀଙ୍କ ଅଭିଯୋଗ ଅନୁଯାୟୀ, ସେ ଚଳିତ ମାସ ୨୦ତାରିଖରେ ସାନବଡଗୋପାଳପୁର ବଜାରରେ ଥିବା ଅନି ସାହୁଙ୍କ ଚୁଡାମିଲରେ ୨୨କିଲୋ୭୦୦ଗ୍ରାମ ଚୁଡା ଓଜନ କରିଥିଲେ ମଧ୍ୟ ମାଲିକ ୨୩କିଲୋଗ୍ରାମ ଚୁଡାର ମୂଲ୍ୟ ମାଗିଲେ । ସେ ପ୍ରତିବାଦ କରିବାରୁ ଅନି ସାହୁ ତାଙ୍କୁ ଜାତିଆଣା ଆକ୍ଷେପ କରିବା ସହ ମୋ ମିଲ ଭିତରେ ମୋତେ ଆଖି ଦେଖାଉଛୁ କହି ଚୁଡାକୁ ଛଡାଇ ନେଇଗଲେ । ପାଟିତୁଣ୍ଡ ହେବାରୁ ତାଙ୍କ ନାତି ବାବନ ସାହୁ ଆସି ବିଧା ଚାପୁଡା ମାରିବା ସହ ତଟିଂ ଚିପି ଧରିଲା । ଦୁଇଜଣ ମିଶି ଗଡାଇ ପଡାଇ ନିସ୍ତୁକ ମାରିବା ସହ ତଟିଂ ଚିପିବା ବେଳେ ତାଙ୍କ ନଖ ବାଜି ରକ୍ତାକ୍ତ ହୋଇଥିବା ନେଇ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଅଭିଯୋଗ ପାଇ ରାଜନଗର ପୋଲିସ ଥାନା କେଶ ନଂ- ୧୩୫/୨୫ରେ ମାମଲା ରୁଜୁ କରିଥିବା ଜଣାପଡିଛି ।