ଆଇପିଏଲରୁ ସନ୍ୟାସ ନେଲେ କ୍ୟାରମ୍ବଲ ଯାଦୁଗର

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରୁ ସନ୍ୟାସ ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ସ୍ପିନର ତଥା କ୍ୟାରମ ବଲ ଯାଦୁଗର ରବିଚନ୍ଦ୍ରନ ଅଶ୍ୱିନ । ଅଶ୍ୱୀନଙ୍କ ଏହି ନିଷ୍ପତ୍ତି କ୍ରିକେଟ ପ୍ରେମୀଙ୍କୁ ଚଳିତ କରିଛି । ସେ ଆଇପିଏଲ-୨୦୨୫ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ । ୨୦୨୪ରେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିଲେ ଅଶ୍ୱିନ । ଅଶ୍ୱିନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ଆଇପିଏଲରୁ ବିଦାୟ ଘୋଷଣା କରିଛନ୍ତି । ସେ କହିଛନ୍ତି, "ଏହା ଏକ ବିଶେଷ ଦିନ ଏବଂ ତେଣୁ ଏକ ବିଶେଷ ଆରମ୍ଭ ମଧ୍ୟ । ପ୍ରତ୍ୟେକ ଶେଷର ଏକ ନୂତନ ଆରମ୍ଭ ଥାଏ । ଆଇପିଏଲ କ୍ରିକେଟର ଭାବରେ ମୋର ସମୟ ଆଜି ଶେଷ ହେଉଛି, କିନ୍ତୁ ବିଭିନ୍ନ ଲିଗରେ ଖେଳର ଅଭିଜ୍ଞତାର ସମୟ ଆଜି ଆରମ୍ଭ ହେଉଛି । ବର୍ଷ ବର୍ଷ ଧରି ମୋର ମହାନ ସ୍ମୃତି ଏବଂ ସମ୍ପର୍କ ପାଇଁ ମୁଁ ସମସ୍ତ ଫ୍ରାଞ୍ଚାଇଜିମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସେମାନେ ମୋତେ ଏପର୍ଯ୍ୟନ୍ତ ଯାହା ଦେଇଛନ୍ତି, ସେଥିପାଇଁ ଆଇପିଏଲ ଏବଂ ବିସିସିଆଇକୁ ଧନ୍ୟବାଦ । । ଡିସେମ୍ବର ୨୦୨୪ ରେ ୩୮ ବର୍ଷୀୟ ଖେଳାଳି ଅଶ୍ୱିନ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ଅନିଲ କୁମ୍ବଲେ (୬୧୯)ଙ୍କ ପରେ ଟେଷ୍ଟରେ ଭାରତର ଦ୍ୱିତୀୟ ସର୍ବାଧିକ ୱିକେଟ୍ ନେଇଥିବା (୫୩୭) ବୋଲର ହେଲେ ଅଶ୍ୱିନ ।୨୦୦୯ ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଡେବ୍ୟୁ କରିଥିଲେ ଅଶ୍ୱିନ । ୨୦୦୮ରୁ ଆରମ୍ଭ ହୋଇଥିବା ଆଇପିଏଲରେ ଅଶ୍ୱିନ ୫ଟି ଭିନ୍ନଭିନ୍ନ ଟିମ ପାଇଁ ଖେଳିଥିଲେ । ଏପରି କି ସେ ପଞ୍ଜାବ ପ୍ରାଞ୍ଚାଇଜର ଅଧିନାୟକ ଭାବେ ଦାୟିତ୍ୱ ତୁଲାଇ ଥିଲେ । ସେ ଚେନ୍ନାଇ ସୁପର କିଙ୍ଗସ, ରାଇଜିଂ ପୁଣେ ସୁପର ଜାଏଣ୍ଟସ, ପଞ୍ଜାବ କିଙ୍ଗସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ପାଇଁ ଆଇପିଏଲ ଖେଳିଛନ୍ତି । ଟିମ ଇଣ୍ଡିଆର ପୂର୍ବତନ ସ୍ପିନର ଅଶ୍ୱିନ ଆଇପିଏଲରେ ବିଭିନ୍ନ ପ୍ରାଞ୍ଚାଇଜ ପକ୍ଷରୁ ୨୨୧ଟି ମ୍ୟାଚ ଖେଳିବା ସହ ୧୮୭ଟି ୱିକେଟ ଦଖଲ କରିଥିଲେ ।