ପିଏମ ସ୍ୱନିଧି ଯୋଜନାର ପୁନର୍ଗଠନ ; ଲାଭ ପାଇବେ ରାସ୍ତାକଡ଼ ଉଠାଦୋକାନୀଙ୍କ ପରିବାର
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ‘ପ୍ରଧାନମନ୍ତ୍ରୀ ଉଠାଦୋକାନୀ ଆତ୍ମନିର୍ଭର ନିଧି (ପିଏମ ସ୍ୱନିଧି) ଯୋଜନାର ପୁନର୍ଗଠନ ଏବଂ ଋଣ ଅବଧିକୁ ୩୧ ଡିସେମ୍ବର ୨୦୨୪ଠାରୁ ଆଗକୁ ବଢାଇବାକୁ ଅନୁମୋଦନ କରାଯାଇଛି । ଏହି ଯୋଜନାରେ ମୋଟ୍ ବ୍ୟୟବରାଦ ୭,୩୩୨ କୋଟି ଟଙ୍କା ରହିଛି । ପୁନର୍ଗଠିତ ଯୋଜନାର ଲକ୍ଷ୍ୟ ହେଉଛି ୫୦ ଲକ୍ଷ ନୂଆ ହିତାଧିକାରୀଙ୍କ ସମେତ ୧.୧୫ କୋଟି ହିତାଧିକାରୀଙ୍କୁ ଲାଭ ପହଞ୍ଚାଇବା । ଏହି ଯୋଜନାକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆର୍ଥିକ ସେବା ବିଭାଗ (ଡିଏଫଏସ) ଉପରେ ମିଳିତ ଭାବରେ ନ୍ୟସ୍ତ ରହିବ । ଡିଏଫଏସର ଭୂମିକା ହେବ ବ୍ୟାଙ୍କ/ଆର୍ଥିକ ପ୍ରତିଷ୍ଠାନ ଏବଂ ସେଗୁଡିକର ତୃଣମୂଳ ସ୍ତରୀୟ ଅଧିକାରୀଙ୍କ ମାଧ୍ୟମରେ ଋଣ/କ୍ରେଡିଟ୍ କାର୍ଡ ଉପଲବ୍ଧତାକୁ ସହଜ କରିବା । ପୁନର୍ଗଠିତ ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ଓ ଦ୍ୱିତୀୟ କିସ୍ତିରେ ଋଣ ପରିମାଣ ବୃଦ୍ଧି, ଦ୍ୱିତୀୟ ଋଣ ପରିଶୋଧ କରୁଥିବା ହିତାଧିକାରୀଙ୍କ ପାଇଁ ୟୁପିଆଇ-ସଂଲଗ୍ନ ରୂପେ କ୍ରେଡିଟ୍ କାର୍ଡର ବ୍ୟବସ୍ଥା ଏବଂ ଖୁଚୁରା ଓ ପାଇକାରୀ କାରବାର ପାଇଁ ଡିଜିଟାଲ୍ କ୍ୟାସବ୍ୟାକ୍ ପ୍ରୋତ୍ସାହନ ଅନ୍ତର୍ଭୁକ୍ତ । ଏହି ଯୋଜନାର ପରିସର ପର୍ଯ୍ୟାୟକ୍ରମେ ଜନଗଣନା ସହର ଏବଂ ଅର୍ଦ୍ଧ-ସହରାଞ୍ଚଳ ଇତ୍ୟାଦିକୁ ବିସ୍ତାର କରାଯାଉଛି । ଉନ୍ନତ ଋଣ ଢାଞ୍ଚାରେ ପ୍ରଥମ କିସ୍ତି ଋଣକୁ ୧୫,୦୦୦ ଟଙ୍କା (୧୦,୦୦୦ ଟଙ୍କାରୁ) ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ଦ୍ୱିତୀୟ କିସ୍ତି ଋଣକୁ ୨୫,୦୦୦ ଟଙ୍କା (୨୦,୦୦୦ଟଙ୍କାରୁ) ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ତୃତୀୟ କିସ୍ତିକୁ ପୂର୍ବ ଭଳି ୫୦ ହଜାର ଟଙ୍କା ରଖାଯାଇଛି । ୟୁପିଆଇ ସଂଯୁକ୍ତ ରୂପେ କ୍ରେଡିଟ୍ କାର୍ଡ ପ୍ରଚଳନ ଦ୍ୱାରା ରାସ୍ତାପାର୍ଶ୍ୱ ବିକ୍ରେତାମାନେ ଯେକୌଣସି ଜରୁରୀକାଳୀନ ବ୍ୟବସାୟ ଏବଂ ବ୍ୟକ୍ତିଗତ ଆବଶ୍ୟକତା ପୂରଣ କରିବା ପାଇଁ ତୁରନ୍ତ ଋଣ ପାଇପାରିବେ । ଏହି ଯୋଜନାରେ ଉଦ୍ୟମିତା, ଆର୍ଥିକ ସାକ୍ଷରତା ଏବଂ ଡିଜିଟାଲ ଦକ୍ଷତା ମାଧ୍ୟମରେ ମାର୍କେଟିଂ ଉପରେ ଧ୍ୟାନ ଦେଇ ରାସ୍ତାପାର୍ଶ୍ୱ ବିକେତାଙ୍କ କ୍ଷମତା ନିର୍ମାଣ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । କୋଭିଡ-୧୯ ମହାମାରୀ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିବା ରାସ୍ତାକଡା ଉଠା ଦୋକାନୀମାନଙ୍କୁ ସହାୟତା କରିବା ପାଇଁ ସରକାର ୧ ଜୁନ୍ ୨୦୨୦ ରେ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଆରମ୍ଭ କରିଥିଲେ । ଆରମ୍ଭ ହେବା ପରଠାରୁ, ଏହି ଯୋଜନା ରାସ୍ତାପାର୍ଶ୍ୱ ବିକ୍ରେତାଙ୍କ ପାଇଁ କେବଳ ଏକ ଆର୍ଥିକ ସହାୟତା ନୁହେଁ ଏବଂ ସେମାନଙ୍କୁ ଅର୍ଥବ୍ୟବସ୍ଥାରେ ସେମାନଙ୍କର ଅବଦାନ ପାଇଁ ଏକ ପରିଚୟ ଓ ଆନୁଷ୍ଠାନିକ ସ୍ୱୀକୃତି ପ୍ରଦାନ କରିଛି ।