ପିନ୍ ଗିଳି ଛାତ୍ରଙ୍କ ମୃତ୍ୟୁ ଘଟଣା : ଥାନାରେ ଅଭିଯୋଗ
ପିନ୍ ଗିଳି ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ପରିବାର ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୁଅ ମୃତ୍ୟୁ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶିକ୍ଷୟିତ୍ରୀ/ଶିକ୍ଷକ ଓ କର୍ତ୍ତୃପକ୍ଷ ଦାୟୀ କରାଯାଇଛି। ବିଦ୍ୟାଳୟ କର୍ତ୍ତୃପକ୍ଷ ଅବହେଳା କରି ନ ଥିଲେ ହୁଏତ ତାଙ୍କ ପୁଅ ଆଜି ଜୀବିତ ଥାଆନ୍ତା ବୋଲି ଅଭିଯୋଗରେ ଦର୍ଶାଯାଇଛି। ଅବହେଳା କରିଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରାଯାଇଛି ।
ସୂଚନା ଅନୁସାରେ, ଧୋବାତୋଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ତୁଷାର ମିଶ୍ର ଗତ ୧୫ ତାରିଖରେ ବିଦ୍ୟାଳୟ ନୋଟିସ୍ ବୋର୍ଡରେ ଲାଗିଥିବା ଏକ ପିନ୍କୁ ଗିଳି ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଏବଂ ସେଠାରୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଗତ ୨୬ ତାରିଖରେ ତୁଷାରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ଘଟଣା ଉପରେ ଧ୍ୟାନ ଦେଇଥିଲେ ତୁଷାରର ଜୀବନ ବଞ୍ଚିଯାଇଥାନ୍ତା ବୋଲି ତୁଷାରଙ୍କ ବାପା କାଳୀପ୍ରସାଦ କହିଥିଲେ । ତୁଷାରଙ୍କ ଫୁସ୍ଫୁସ୍ରୁ ପିନ୍ ବାହାର କରାଯାଇଥିଲା, ହେଲେ ସେତେବେଳକୁ ବିଳମ୍ବ ହୋଇଯାଇଥିଲା । ତୁଷାର ପକ୍ଷାଘାତରେ ଆକ୍ରାନ୍ତ ହେବା ସହ କୋମାକୁ ଚାଲିଯାଇଥିଲେ ଏବଂ ଗତ ୨୬ ତାରିଖରେ ମୃତ୍ୟୁବରଣ କରିଥିଲେ ।