ସହିଦ ସଂଗ୍ରାମୀ ଜୟୀ ରାଜଗୁରୁ
ଅକ୍ଷୟ କୁମାର ରାଉତ : ଜୟୀ କୃଷ୍ଣ ରାଜଗୁରୁଙ୍କ ଦେଶପ୍ରେମ, ସାହସ ଓ ତ୍ୟାଗ ଓଡିଶା ଇତିହାସରେ ବିରଳ । ମାତୃଭୂମି, ସ୍ୱଦେଶକୁ ଦୁର୍ଗତି ଓ ଦୁର୍ଦ୍ଦଶାରୁ ରକ୍ଷା କରିବାର ତାଙ୍କ ଦୃଢ଼ ସଂକଳ୍ପ ଇତିହାସରେ ତାଙ୍କୁ ଏକ କିମ୍ବଦନ୍ତୀରେ ପରିଣତ କରିଛି । ଅବିଭକ୍ତ ପୁରୀ ଜିଲ୍ଲାର ବୀରହରେକୃଷ୍ଣପୁର ଶାସନରେ ଏକ କୁଳୀନ ବ୍ରାହ୍ମଣ ବଂଶରେ ୧୭୩୯ ମସିହା ଅକ୍ଟୋବର ମାସ ୨୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ଚନ୍ଦ୍ରଶେଖର ରାଜଗୁରୁ (ଚାନ୍ଦ ମହାପାତ୍ର) ଏବଂ ମାତାଙ୍କର ନାମ ହାରାମଣି ଦେବୀ ।ବାଲ୍ୟକାଳରୁ ଜୟୀକୃଷ୍ଣ ଗୁରୁଣ୍ଡି ଗୁରୁଣ୍ଡି ଗୋଟିଏ ଘୋଡାର ବେଲ୍ଟକୁ ଧରି ଘୋଡା ଉପରକୁ ଉଠିବାକୁ ଚେଷ୍ଟା କରୁଥିଲେ । ଏହି ଦୃଶ୍ୟ ପିତା ଚାନ୍ଦ ରାଜଗୁରୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେହିଦିନଠାରୁ ସେ ଘୋଡା ଉପରେ ଖେଳୁଥିବା ଦେଖାଯାଉଥିଲା । ପିଲାଦିନରୁ ଏହି ସାହସ ତାଙ୍କର ଜଣାପଡୁଥିଲା । ନଅବର୍ଷରେ ଜୟୀକୃଷ୍ଣଙ୍କର ବ୍ରତୋପନୟନ, ପରେ ସଂସ୍କୃତ ଟୋଲ୍ରେ ବାଲ୍ୟଶିକ୍ଷା ଗ୍ରହଣ କରିଥିଲେ । ସେ ଗୋବର୍ଦ୍ଧନ ପୀଠ ଓ ଏମାର ମଠରୁ ଧର୍ମଶାସ୍ତ୍ର, ନୀତିଶାସ୍ତ୍ର ଶିକ୍ଷା କରିଥିଲେ । ସେ ମଲ୍ଲଯୁଦ୍ଧ, ତରବାରୀ ଚାଳନା, କୁସ୍ତି ପ୍ରଭୃତି ପାଇକ ଆଖଡାରୁ ଶିକ୍ଷା କରିଥିଲେ । ପିତାଙ୍କ ମୃତ୍ୟୁ ପରେ ଜୟକୃଷ୍ଣ ବିବାହ କରିନଥିଲେ । କାଶୀରେ ଜୟକୃଷ୍ଣ ଜଣେ ସାଧକଙ୍କଠାରୁ ‘ଦଶ ମହାବିଦ୍ୟା’ ଓ ‘ଧୂମାବତୀ’ ସାଧନା ଶିକ୍ଷା କରି ସିଦ୍ଧି ଲାଭ କରିଥିଲେ । ଖୋର୍ଦ୍ଧା ରାଜାଙ୍କର ରାଜଗୁରୁ ତଥା ପ୍ରଧାନମନ୍ତ୍ରୀ ଭାବେ ଯୋଗଦେଲେ । ମା’ଙ୍କ ଉପଦେଶରେ ସେ ଦେଶ, ଦଶ ଓ ଲୋକମାନଙ୍କର ସେବା କରିବାକୁ ଶପଥ ନେଲେ ।
୧୭୯୦ ମସିହାରେ ପ୍ରଥମ ଦିବ୍ୟସିଂହ ଦେବଙ୍କ ମୃତ୍ୟୁ ପରେ ତାଙ୍କର ଭାଇ ଶ୍ୟାମସୁନ୍ଦର ଦେବ ଇଂରେଜମାନଙ୍କ ସହାୟତାରେ ସିଂହାସନରେ ବସିବାକୁ ଚେଷ୍ଟା କଲେ । ମାତ୍ର ଜୟୀକୃଷ୍ଣ ଦିବ୍ୟସିଂହ ଦେବଙ୍କ ନାବାଳକ ପୁତ୍ର ଦ୍ୱିତୀୟ ମୁକୁନ୍ଦ ଦେବଙ୍କୁ ରାଜସିଂହାସନରେ ଅଭିଷିକ୍ତ କରାଇଥିଲେ । ଜୟୀ ରାଜଗୁରୁ ଡମପଡା ଆକ୍ରମଣ କରି ବାଙ୍କି ରାଜାଙ୍କ ଭାଇ ବାସୁଦେବ ଭ୍ରମରବରଙ୍କୁ ମାରି ଡମପଡା ଦଖଲ କଲେ । ଏହି ସମୟ ମଧ୍ୟରେ ବ୍ରିଟିଶ ଶାସକମାନେ ବଙ୍ଗଳା ଓ ମାନ୍ଦ୍ରାଜ ଅଧିକାର କରିସାରିଥାନ୍ତି । ଇଂରେଜମାନେ ମରହଟ୍ଟାମାନଙ୍କୁ ବିଦା କରି ଓଡିଶାକୁ ଦଖଲ କରିବାକୁ ଯୋଜନା ପ୍ରସ୍ତୁତ କଲେ । ଇଂରେଜ ସେନାଧ୍ୟକ୍ଷ କର୍ଣ୍ଣେଲ ହାର୍କୋଟ ଖୋର୍ଦ୍ଧା ରାଜାଙ୍କୁ ଏକ ପ୍ରସ୍ତାବ ଦେଲେ, ଯଦି ସେ ମରହଟ୍ଟାମାନଙ୍କୁ ସାହାଯ୍ୟ ନଦେଇ ଇଂରେଜମାନଙ୍କୁ ସାହାଯ୍ୟ କରିବେ ତେବେ ଓଡିଶା ଅଧିକାର ପରେ ଏକ ଲକ୍ଷ ଟଙ୍କା ଓ ସେ ହରାଇଥିବା ଚାରୋଟି ପ୍ରଗଣା ରାହାଙ୍ଗ, ସରାଇ, ଚବିଶକୁଦ, ଲେମ୍ବାଇକୁ ତାଙ୍କୁ ଫେରସ୍ତ ମିଳିବ । ତେଣୁ ରାଜା ଉକ୍ତ ପ୍ରସ୍ତାବରେ ସମ୍ମତି ପ୍ରଦାନ କଲେ । ପ୍ରଥମ କିସ୍ତି ସ୍ୱରୂପ ଇଂରେଜମାନେ ରାଜଙ୍କ ନିକଟକୁ ଟ.୧୦,୦୦୦ ପଠାଇଥିଲେକର୍ଣ୍ଣେଲ ହାର୍କୋର୍ଟ ୧୮୦୩ ମସିହା ସେପ୍ଟେମ୍ବର ମାସରେ ଓଡିଶା ଆସିଲେ । ମରହଟ୍ଟା ମାନଙ୍କ ତରଫରୁ ନିଯୁକ୍ତ ଫତେ ମହମ୍ମଦଙ୍କ ଦ୍ୱାରା ଇଂରେଜମାନେ ପୁରୀରେ ପହଞ୍ଚ ମରହଟ୍ଟା ସୈନ୍ୟମାନଙ୍କୁ ପରାଭୂତ କରି ପୁରୀ ଦଖଲ କଲେ । ପୁରୀ ଜଗନ୍ନାଥ ମନ୍ଦିରର ଦାୟିତ୍ୱ ହିନ୍ଦୁ ସିପାହୀମାନଙ୍କ ହାତରେ ଦେଇ କର୍ଣ୍ଣେଲ ହାର୍କୋର୍ଟ କଟକ ଯାତ୍ରା କରିବା ବାଟରେ ଅହମ୍ମଦପୁର ଓ ଦାଣ୍ଡମୁକୁନ୍ଦପୁରରେ ମରହଟ୍ଟାମାନଙ୍କ ସହିତ ଯୁଦ୍ଧ କରି ସେମାନଙ୍କୁ ପରାସ୍ତ କଲେ । କର୍ଣ୍ଣେଲ ହାର୍କୋର୍ଟ ବାରଙ୍ଗ ଦେଇ କଟକରେ ପହଁଚି ଅକ୍ଟୋବର ମାସ ୮ ତାରିଖରୁ ୧୪ ତାରିଖ ମଧ୍ୟରେ ମରହଟ୍ଟାମାନଙ୍କୁ ପରାସ୍ତ କରି ବାରବାଟୀ ଦୁର୍ଗ ଦଖଲ କଲେ । ଓଡିଶା ଅଧିକାର ପରେ ଇଂରେଜମାନେ ଚାରୋଟି ପ୍ରଗଣା ଖୋର୍ଦ୍ଧା ରାଜାଙ୍କୁ ଦେବାକୁ ରାଜି ହେଲେ ନାହିଁ । କେବଳ ଜୟ ରାଜଗୁରୁଙ୍କ ପ୍ରାପ୍ୟ ନବେ ହଜାରରୁ ଚାଳିଶ ହଜାର ଟଙ୍କା ଦେଇଥିଲେ । ଇଂରେଜମାନଙ୍କର କୌଣସି ଚୁକ୍ତିପତ୍ରରେ ରାଜା ଓ ଜୟରାଜଗୁରୁ ସ୍ୱାକ୍ଷର ଦେଲେ ନାହିଁ କି ଇଂରେଜମାନଙ୍କ ଆଦେଶ ମାନିଲେନାହିଁ । କିନ୍ତୁ ଦ୍ୱିତୀୟ ମୁକୁନ୍ଦ ଦେବ ୧୮୦୪ ମସିହା ଅଗଷ୍ଟ ମାସ ୨ ତାରିଖରେ ଚୁକ୍ତି ପତ୍ରରେ ସ୍ୱାକ୍ଷର ଦେଲେ । ରାଜା ଇଂରେଜମାନଙ୍କୁ ରାଜସ୍ୱ ଦେଲେ ନାହିଁ, ଫଳସ୍ୱରୂପ ଇଂରେଜମାନେ ଜୟ ରାଜଗୁରୁଙ୍କୁ ଦାୟୀ କରି ତାଙ୍କୁ ରାଜଗୁରୁ ପଦରୁ ହଟାଇବା ପାଇଁ ଚକ୍ରାନ୍ତ କରି ଗୋଲାମ ଅମିନ ନାମକ କର୍ମଚାରୀଙ୍କୁ ପରାମର୍ଶଦାତା ଭାବେ ଏକତରଫା ନିଯୁକ୍ତ ଦେଇ ରାଜ ଦରବାରକୁ ପଠାଇଲେ ।
ଜୟୀ ରାଜଗୁରୁ ଇଂରେଜମାନଙ୍କର ଚକ୍ରାନ୍ତ ବୁଝିପାରି ମାତୃଭୂମିର ସୁରକ୍ଷା ପାଇଁ ଇଂରେଜ ମାନଙ୍କ ବିରୁଦ୍ଧରେ ଯୁଦ୍ଧ ପାଇଁ ରାଜାଙ୍କର ଅନୁମତି ଲୋଡିଲେ । ରାଜାଙ୍କ ଅନୁମତି ପରେ ଜୟ ରାଜଗୁରୁ କୁଜଙ୍ଗ, କନିକା, ଖୋରଧା ମଧ୍ୟରେ ଏକ ତ୍ରିପାକ୍ଷିକ ମେଣ୍ଟ ଗଠନ କଲେ । ଏଥିରେ ହରିଶପୁର, ମରିଚପୁର ଓ ବିଷ୍ଣୁପୁରର ଜମିଦାରମମାନେ ଯୋଗଦେଲେ । କୁଜଙ୍ଗର ଦୁର୍ଦ୍ଦଶ ନୌବାହିନୀର ସୈନ୍ୟମାନେ ନିଜର ମାତୃଭୂମିକୁ ରକ୍ଷା କରିବା ପାଇଁ କୌଣସି ବିଦେଶୀମାନଙ୍କୁ କଳିଙ୍ଗ ସାଗର (ବଙ୍ଗୋପସାଗର) ରେ ପୂରାଇ ଦେଉନଥିଲେ । ଏହି ମାତୃଭକ୍ତ କୁଜଙ୍ଗବାସୀ ବହୁ ସଂଖ୍ୟାରେ ଜୟ ରାଜଗୁରୁଙ୍କ ସୈନ୍ୟବାହିନୀରେ ଯୋଗଦେଲେ । ପ୍ରଥମେ ଜୟ ରାଜଗୁରୁ ଇଂରେଜମାନଙ୍କୁ ହଟାଇବାକୁ ସୈନ୍ୟ ସଂଖ୍ୟା ବୃଦ୍ଧି କଲେ । ତାପରେ ପାଇକମାନଙ୍କୁ ଯୁଦ୍ଧ ବିଦ୍ୟା ଶିକ୍ଷା ଦେବାପାଇଁ ମରହଟ୍ଟା ସର୍ଦ୍ଦାରମାନଙ୍କୁ ନିଯୁକ୍ତି କରାଗଲା । ଇଂରେଜମାନଙ୍କଠାରୁ ଆଣିଥିବା ୪୦ ହଜାର ଟଙ୍କାରେ ରାଜ୍ୟ ସୁରକ୍ଷା ପାଇଁ ରାସ୍ତାଘାଟ ମରାମତି କରାଇଲେ ଓ ବାକି ଟଙ୍କାରେ ପାଇକମାନଙ୍କ ପାଉଣା ବାବଦରେ ଖର୍ଚ୍ଚକଲେ । ଖୋରଧା ଦୁର୍ଗର ବାହାର ଓ ଭିତର ପଟେ ସୈନ୍ୟ, ତୋପ ରହିବାର ବ୍ୟବସ୍ଥା କଲେ । ପ୍ରତି ଘାଟି ଜାଗା ଯଥା ଡେଲାଙ୍ଗ, ତରଡୁଆ, ଗଙ୍ଗପଡା ପ୍ରଭୃତି ବିଭିନ୍ନ ସ୍ଥାନରେ ପାଇକ ବାହିନୀ ମୁତୟନ କଲେ ।
ଜୟୀ ରାଜଗୁରୁ ନିଜର ବାସଭବନଟିକୁ ବନ୍ଧା ଦେଇ ତା ବଦଳରେ ଏକ ଘୋଡା କିଣି ସେହି ଘୋଡାରେ ନାଗପୁର ଯାଇ ରଘୁଜୀ ଭୋନ୍ସଲାଙ୍କୁ ଭେଟିଲେ । ଫଳରେ ଖୋରଧା ରାଜା ଓ ରଘୁଜୀ ଭୋନ୍ସଲାଙ୍କ ମଧ୍ୟରେ ଏକ ସାମ୍ମୁଖ୍ୟ ଗଠନ ପାଇଁ ବୁଝାମଣା ହୋଇଥିଲା । ଏହାପରେ ଜୟୀ ରାଜଗୁରୁ ଇଂରେଜମାନଙ୍କ ଅଧିକୃତ ଅଞ୍ଚଳରେ ରାଜାଙ୍କ କର୍ତ୍ତୃତ୍ୱ ବିସ୍ତାର କରି ଖଜଣା ଆଦାୟ କଲେ । ୧୮୦୪ ମସିହାରେ ଅକ୍ଟୋବର ମାସରେ ପାଇକମାନେ ପିପିଲିର ବହୁ ଇଂରେଜ ଅଧୀନ ଗ୍ରାମ ଆକ୍ରମଣ କରି କ୍ଷୟକ୍ଷତି ଘଟାଇଲେ । ଇଂରେଜମାନେ ମହାନଦୀ ପଠାରେ ସୈନ୍ୟମାନଙ୍କ ସମରାଭ୍ୟାସ କରୁଥିଲେ । ଜୟୀ ରାଜଗୁରୁ ହଠାତ୍ ଇଂରେଜ ସୈନ୍ୟଙ୍କ ଉପରେ ଅତର୍କିତ ଆକ୍ରମଣ କରି ସେମାନଙ୍କୁ ନିରସ୍ତ୍ର କରିଦେଲେ । ରାଜାଜ୍ଞା ପାଇ ଜୟୀକୃଷ୍ଣ ଡେଲାଙ୍ଗ ଅଧିକାର କଲେ, ଇଂରେଜ ସୈନ୍ୟମାନେ ଡେଲାଙ୍ଗ ଛାଡି ପଳାଇଲେ । କ୍ୟାପ୍ଟେନ୍ ହିକ୍ ଲ୍ୟାଣ୍ଡଙ୍କ ନେତୃତ୍ୱରେ ସୈନ୍ୟମାନେ ପିପିଲି ଦୁର୍ଗଠାରେ ପାଇକମାନଙ୍କୁ ଆକ୍ରମଣ କଲେ । ପିପିଲିରୁ ଫେରିବା ବାଟରେ ହିକ୍ ଲ୍ୟାଣ୍ଡ ପାଇକମାନଙ୍କ ଦ୍ୱାରା ପରାସ୍ତ ହେଲେ । ମୁସ୍ତଫା ଖାଁ ରାଜାଙ୍କ ଆଦେଶରେ ଟାଙ୍ଗିଆପଡା ଅଭିମୁଖେ ଯାତ୍ରା କଲେ । ସେ ମେଜର ଫ୍ଲେଚରଙ୍କ ଦ୍ୱାରା ପରାସ୍ତ ହେଲେ ।
ମେଜର ଫ୍ଲେଚର ନୟାଗଡ, ଖଣ୍ଡପଡା ଓ ରଣପୁର ରାଜାମାନଙ୍କ ସହାୟତାରେ ଖୋର୍ଦ୍ଧାର ଦକ୍ଷିଣରୁ ଆକ୍ରମଣ କଲେ । କର୍ଣ୍ଣେଲ ହାର୍କୋର୍ଟ ଓ ମେଲ୍ଭିଲେ ବାଙ୍କି ରାଜାଙ୍କ ସହାୟତାରେ ଖୋରଧା ଅଭିମୁଖେ ଯାତ୍ରା କଲେ । ଶୁଣାଯାଏ ଖୋର୍ଦ୍ଧାଗଡର ଅଧିଷ୍ଠାତ୍ରୀ ଦେବୀ ବରୁଣାଇ ଓ କରୁଣାଇ ଜୟୀ ରାଜଗୁରୁଙ୍କ ତନ୍ତ୍ର ସାଧନା ବଳରେ ସିଂହବାହନରେ ବସି ଯୁଦ୍ଧକଲେ । କିନ୍ତୁ କାଞ୍ଚଦେବ୍ୟା ଇଂରେଜମାନଙ୍କୁ ଜଣାଇଲେ ଷଣ୍ଢ ବଳି ଦେଇ ତା ରକ୍ତରେ ଗୋଳା ବର୍ଷଣ କଲେ ଦେବୀ ଯୁଦ୍ଧ କ୍ଷେତ୍ରରୁ ପଳାୟନ କରିବେ । କର୍ଣ୍ଣେଲ୍ ଫ୍ଲେଚର ଗାଈର ମୁଣ୍ଡ କାଟି ତା ରକ୍ତରେ ଗୋଳା ବୁଡାଇ ଆକ୍ରମଣ କଲେ । ଦେବୀ ଯୁଦ୍ଧ କ୍ଷେତ୍ରରୁ ପଳାୟନ କଲେ । ଇଂରେଜମାନେ ଗଡକୁ ଚାରି ଦିଗରୁ ଆକ୍ରମଣ କରି ନଅର ଭିତରକୁ ଗୁଳି ବର୍ଷଣ କଲେ । ମେଜର ଫ୍ଲେଚର ଦୁର୍ଗ ଭିତରକୁ ପ୍ରବେଶ କରି ଜୟ ରାଜଗୁରୁଙ୍କ ଗୃହରେ ତାଲା ପକାଇ ଦେଲେ । ଦୁର୍ଗ ମଧ୍ୟରେ ଜୟୀ ରାଜଗୁରୁଙ୍କ ସହିତ ଇଂଜେମାନଙ୍କର ଘମାଘୋଟ ଯୁଦ୍ଧ ହେଲା । ଜୟୀ ରାଜଗୁରୁ ତାଙ୍କ ଗୃହରୁ ସୁନା କୁଲାଇ ଆଣିପାରିଲେ ନାହିଁ । ଫଳରେ ତାଙ୍କର ଧୂମାବତୀ ସାଧନା ବିଫଳ ହେଲା । ରାଜା ପୂର୍ବରୁ ଦୁର୍ଗ ଛାଡି କାଇପଦରଗଡର କାଶିଆ ଗୋହରି ଜଙ୍ଗଲରେ ଆତ୍ମଗୋପନ କରିଥିଲେ । ଜୟୀ ରାଜଗୁରୁ ଦୁର୍ଗରୁ ପଳାଇ ଯାଇ ସେଠାରେ ରାଜାଙ୍କୁ ଭେଟିଲେ । ଇଂରେଜଙ୍କ ସହିତ ସଂଗଠିତ ସଂଗ୍ରାମରେ ଜୟୀ ରାଜଗୁରୁ ବ୍ୟର୍ଥ ହେଲେ ସତ, କିନ୍ତୁ ସେ ସବୁ ଦୋଷ ନିଜ ଉପରକୁ ନେଇ ଯେପରି ଭାବେ ଚରିତ୍ରବତ୍ତା, ଦେଶଭକ୍ତି ଓ ମହାନ ସଂଗ୍ରାମ ଇତିହାସକୁ ଦୃଷ୍ଟାନ୍ତ ଦେଇଛନ୍ତି ତାହା ବିରଳ ।
ପାରାଦ୍ୱୀପଗଡ, କୁଜଙ୍ଗ, ଜଗତ୍ସିଂହପୁର
ମୋ.ନଂ - ୯୯୩୭୬୯୧୪୭୫