ଆଉଟସୋର୍ସିଂ ଉପରେ ଅଙ୍କୁଶ : ଅର୍ଥ ବିଭାଗର ବିନାନୁମତିରେ ନିଯୁକ୍ତି ମନା
ଭୁବନେଶ୍ୱର : ଯେଉଁ ବିଭାଗକୁ ଗଲେ ସେଠାରେ ଆଉଟସୋର୍ସିଂ କର୍ମଚାରୀ ହାଉଯାଉ । ରାଜକୋଷ ଉପରେ ଚାପ କମିବା ଆଳରେ ସିନା ଆଉଟସୋର୍ସିଂ କରାଯାଏ, ହେଲେ ଏହାଦ୍ୱାରା ନିଯୁକ୍ତି କମ୍ପାନୀମାନେ ମାଲେମାଲ ହେବାର ନଜିର ରହିଛି । ସେହିପରି ଆଉଟସୋର୍ସିଂରେ କାମ ଚଳି ଯାଉଥିବାରୁ ମୂଳ ନିଯୁକ୍ତି କଥା ବି ମନ୍ତ୍ରୀ ଓ ସଚିବମାନେ ଭୁଲିଯାଆନ୍ତି । ଏସବୁକୁ ଆଖିଆଗରେ ରଖି ଏବେ ଆଉଟସୋର୍ସିଂ ନିଯୁକ୍ତି ଉପରେ ଅଙ୍କୁଶ ଲଗାଯାଇଛି । ଅର୍ଥ ବିଭାଗର ବିନାନୁମତିରେ ଆଉ ଏଭଳି ନିଯୁକ୍ତି କରାଯାଇପାରିବ ନାହିଁ । ଏନେଇ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ସବୁ ବିଭାଗକୁ ପତ୍ର ଲେଖି ଅବଗତ କରାଇଛନ୍ତି ।
ପତ୍ରରେ ଉଲ୍ଳେଖ କରାଯାଇଛିଯେ, ଅର୍ଥ ବିଭାଗ ପୂର୍ବରୁ ଯେତିକି ଆଉଟସୋର୍ସିଂ ନିଯୁକ୍ତି ପାଇଁ ଅନୁମୋଦନ କରିଛି ସେହିସବୁ ନିଯୁକ୍ତି ନବୀକରଣ କରାଯାଇପାରିବ । କିନ୍ତୁ ଅଧିକ ନିଯୁକ୍ତିର ଆବଶ୍ୟକତା ଥିଲେ ଅର୍ଥ ବିଭାଗର ଅନୁମତି ନେବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।