ସ୍କୁଲ୍ ଛାତ ଭୁଶୁଡ଼ି ୭ ପିଲା ମୃତ
ଝାଲୱାର: ରାଜସ୍ଥାନର ଝାଲୱାର ଜିଲ୍ଲାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ପିପ୍ଲୋଡ଼ି ସ୍ଥିତ ଏକ ସରକାରୀ ପ୍ରାଇମେରୀ ସ୍କୁଲ୍ ଛାତ ଭୁଶୁଡ଼ି ୭ଜଣ ଛାତ୍ରଛାତ୍ରୀଙ୍କ ମୃତୁ୍ୟ ହୋଇଛି । ଏହାସହ ଶିକ୍ଷକଙ୍କ ସମେତ ୩୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଆଜି ପୂର୍ବାହ୍ଣ ପ୍ରାୟ ୮.୩୦ରେ ସକାଳୁଆ ସ୍କୁଲ୍ ଚାଲିଥିବା ବେଳେ ହଠାତ୍ ଛାତ ଭୁଶୁଡ଼ି ବଡ଼ ବଡ଼ କଂକ୍ରିଟ ଅତଡ଼ା ଖଣ୍ଡ ପିଲାଙ୍କ ଉପରେ ମାଡ଼ି ବସିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୪ ପିଲାଙ୍କ ମୃତୁ୍ୟ ହୋଇଥିଲା । ପରବର୍ତ୍ତୀ ସମୟରେ ଗୁରୁତର ଅବସ୍ଥାରେ ଅନ୍ୟ ପିଲାଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଆଉ ୩ ପିଲାଙ୍କ ମୃତୁ୍ୟ ହୋଇଥିଲା ।
ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଭଜନ ଲାଲ୍ ଶର୍ମା ଦୁଃଖ ପ୍ରକାଶ କରିବା ସହ ଶିକ୍ଷାମନ୍ତ୍ରୀ ମଦନ ଦିଲାୱରଙ୍କୁ ଏହାର ତଦନ୍ତ ନିଦେ୍ର୍ଦଶ ଦେଇଥିଲେ । ଶିକ୍ଷାମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଶିକ୍ଷକମାନଙ୍କ ଉପରେ ସ୍କୁଲ୍ ବିଲ୍ଡିଂ ଅଧିକ ପୁରୁଣା ଥିବାରୁ ଛାତ ଭୁଶୁଡ଼ିଥିବା ଦୋଷ ଲଦିଥିଲେ ଏବଂ ଘଟଣାକୁ ନେଇ ୫ ଶିକ୍ଷକଙ୍କୁ ନିଲମ୍ବିତ କରିଥିଲେ । ଅପରପକ୍ଷେ ଶିକ୍ଷକଙ୍କ ନିଲମ୍ବନକୁ ନେଇ ସ୍ଥାନୀୟ ଶିକ୍ଷକ ସଂଘ ଦୃଢ଼ ବିରୋଧ କରିବା ସହିତ ସ୍କୁଲ୍ର ଛାତ ଯାଞ୍ଚ କରିବା କାମ ଶିକ୍ଷକମାନଙ୍କର ନୁହେଁ ବୋଲି ଦାବି କରିଥିଲେ । ଏହାସହ ନିଲମ୍ବନ ପ୍ରତ୍ୟାହାର ଦାବି କରି ସ୍କୁଲ୍ ଆଗରେ ଧାରଣା ଦେଇଥିଲେ । ସନ୍ଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପୁଲିସ୍ ସମେତ ସ୍ଥାନୀୟ ଅଗ୍ନିଶମ ବିଭାଗ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚô ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । କାଳେ ଆଉ କେଉଁ ଛାତ୍ରଛାତ୍ରୀ ଅତଡ଼ା ତଳେ ଫଶି ରହିଥିବେ ସେ ନେଇ ଖୋଜାଖୋଜି ଜାରି ରଖିଛନ୍ତି । ତେବେ ଘଟଣା ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗଭୀର ଦୁଃଖପ୍ରକାଶ କରିବା ସହ ଆହତ ପିଲାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।