ମାଳଦୀପକୁୁ ସହାୟତା ଦେଲା ଭାରତ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଲଦୀପ ଗସ୍ତରେ ଥିବାବେଳେ ଆର୍ଥିକ ସହାୟତା ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମାଳଦୀପକୁ ଭାରତ ୪୮୫୦ କୋଟିର ଆର୍ଥିକ ସହାୟତା ପ୍ରଦାନ କରିବ । ଏଥିପାଇଁ ନୂତନ ଲାଇନ୍ ଅଫ କ୍ରେଡ଼ିଟ୍ ଚୁକ୍ତି ହୋଇଛି ।
ମାଳଦୀପର ଭିତ୍ତିଭୂମି ବିକାଶ ସହ ଅନ୍ୟ ବିକାଶମୂଳକ ପ୍ରକଳ୍ପ ପାଇଁ ଭାରତ ଏହି ଅର୍ଥ ଖର୍ଚ୍ଚ କରିବ । ଏହାଛଡ଼ା ଉଭୟ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତି କରାଯାଇଛି । ଯାହାଦ୍ୱାରା ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପକ ମଜବୁତ୍ ହେବା ସହ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ବୃଦ୍ଧି ହୋଇପାରିବ । ଭାରତ-ମାଳଦୀପ ମଧ୍ୟରେ ୬୦ ବର୍ଷର କୂଟନୈତିକ ସମ୍ପର୍କକୁ ଆଖିଆଗରେ ରଖି ଏକ ଡାକଟିକେଟ ମଧ୍ୟ ଉନ୍ମୋଚିତ ହୋଇଛି । ମତ୍ସ୍ୟ ଚାଷ, ପାଣିପାଗ ସଂକ୍ରାନ୍ତୀୟ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି । ଏତଦବ୍ୟତୀତ ଏନପିସିଆଇ ଓ ମାଲଦୀପ ମନିଟାରୀ ଅଥରିଟି ମଧ୍ୟରେ ଚୁକ୍ତି ହୋଇଥିବାରୁ ଭାରତର ୟୁପିଆଇ ବ୍ୟବସ୍ଥା ମାଳଦୀପରେ ବି କାର୍ଯ୍ୟକାରୀ ହୋଇପାରିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକାଳରେ ଭାରତର ସହାୟତାରେମାଳଦୀପରେ ହୋଇଥିବା ଅନେକ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ହୋଇଛି । ୩୩ ଶହ ଘର, ରାସ୍ତା ଓ ଡ୍ରେନେଜ୍ ପ୍ରକଳ୍ପ ଲୋକାର୍ପିତ ହୋଇଥିବା ଜାଣିବାକୁ ମିଳିଛି ।