ସଚିବଙ୍କୁ ମୁଖ୍ୟସଚିବଙ୍କ ନିଦେ୍ର୍ଦଶ : ‘ସବୁମାସରେ ସମୀକ୍ଷା କର’

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଖାରବେଳଭବନସ୍ଥିତ ସମ୍ମିଳନୀ କକ୍ଷରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି  । ପ୍ରତିମାସରେ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ନେଇ ସମୀକ୍ଷା କରିବାକୁ ମୁଖ୍ୟସଚିବ ନିଦେ୍ର୍ଦଶ ଦେବା ସହ ବର୍ଷ ପୂର୍ତ୍ତି ପାଇଁ ପ୍ରସ୍ତୁତି ଅନୁଶୀଳନ କରିଛନ୍ତି  ।
ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ପ୍ରାବଧାନ ଅନୁସାରେ ଅପ୍ରେଲ ସୁଦ୍ଧା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଅର୍ଥ ବିଭାଗ ତରଫରୁ ସ୍ଥିତି ଉପସ୍ଥାପନ କରାଯାଇଥିଲା । ଗତବର୍ଷ ତୁଳନାରେ ଚଳିତ ବର୍ଷ ଅପ୍ରେଲ ସୁଦ୍ଧା ସାମଗ୍ରିକ ଖର୍ଚ୍ଚ ୩୫% ବୃଦ୍ଧି ଘଟିଥିବା ବେଳେ  ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ଗତ ବର୍ଷ ତୁଳନାରେ ୬୬% ଖର୍ଚ୍ଚ ବୃଦ୍ଧି ଘଟିଛି  । ବଜେଟ୍ ପ୍ରାବଧାନ ଅନୁସାରେ ପ୍ରତି ବିଭାଗମାନେ ନିଜ ନିଜ ସ୍ତରରେ ପ୍ରତିମାସରେ କାର୍ଯ୍ୟ ଅଗ୍ରଗତି ଓ ତଦନୁସାରେ ଖର୍ଚ୍ଚ ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକୀୟ ନିଦେ୍ର୍ଦଶ ଓ ପରାମର୍ଶ ଦେଇଛନ୍ତି  ।  ବିଭିନ୍ନ ମାଧ୍ୟମରୁ ସଂଗୃହୀତ ନିଜସ୍ୱ କର ଆଦାୟ ଓ ଅଣକର ଆଦାୟ ସ୍ଥିତି ଅନୁଧ୍ୟାନ କରାଯାଇଥିଲା  । ୨୦୨୫-୨୬  ବଜେଟ୍ ରେ ରହିଥିବା ନୂଆ ଯୋଜନାର କାର୍ଯ୍ୟକାରିତା ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା  । ବିଭିନ୍ନ ବିଭାଗରେ ଓସ୍ୱାସ୍ ବା କମ୍ପୁ୍ୟଟରୀକରଣ ବ୍ୟବସ୍ଥାରେ ସରକାରୀ ନଥି ପ୍ରୋସେସିଂ କାର୍ଯ୍ୟ ସାଧାରଣତଃ ସହକାରୀ ଉପବିଭାଗ  ଅଧିକାରୀ, ଉପବିଭାଗ ଅଧିକାରୀ (ଏଏସ୍ଓ-ଏସ୍ଓଙ୍କ) ଠାରୁ ଆରମ୍ଭ ହୋଇ  ବିଭିନ୍ନ ଉପରିସ୍ଥ ଅଧିକାରୀଙ୍କ ସ୍ତର ଦେଇ ପ୍ରାୟ ୫-୬ଟି  ପର୍ଯ୍ୟାୟରେ ଶେଷରେ ବିଭାଗୀୟ ସଚିବଙ୍କ ନିକଟରେ ପରବର୍ତ୍ତୀ ନିଷ୍ପତ୍ତି ବା ଆଦେଶ ପାଇଁ  ନଥି ପହଁଚୁଥିବାରୁ ସରକାରୀ କାର୍ଯ୍ୟ ବିଳମ୍ବିତ ହେଉଥିବା ପରିଲକ୍ଷିତ ହେଉଛି  । ଆଗାମୀ ଦିନରେ ଏହି ପ୍ରକ୍ରିୟାକୁ ସରଳ କରାଯାଇ ଯେପରି ସର୍ବାଧିକ ୩ଟି ସ୍ତର ଦେଇ ନିଷ୍ପତ୍ତି ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ନଥି ପହଁଚିବ, ସେଥିପାଇଁ ଏହି ବିଭିନ୍ନ ସ୍ତରୀୟ ବ୍ୟବସ୍ଥାକୁ କମାଯାଇ (ଡିଲେୟାରିଂ) ପ୍ରକ୍ରିୟାରେ ଏହି ବ୍ୟବସ୍ଥାର ସରଳୀକରଣ କରାଯିବ  । ଫଳରେ ସରକାରୀ କାର୍ଯ୍ୟ, ସେବା ପ୍ରଦାନ ଓ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ଏଥିପାଇଁ  ବିଭିନ୍ନ ବିଭାଗରୁ ମତାମତ ସଂଗ୍ରହ  ପ୍ରକ୍ରିୟା  ଜାରି ରହିଛି ଓ ଖୁବ୍ଶୀଘ୍ର ତାହା କାର୍ଯ୍ୟକାରୀ ହେବା ପାଇଁ ବିଧିବଦ୍ଧ ନିଷ୍ପତ୍ତି ନିଆଯିବ ବୋଲି ଉନ୍ନୟନ କମିଶନର ଅନୁ ଗର୍ଗ ସୂଚନା ଦେଇଥିଲେ  । ସେହିପରି  ଆଗାମୀ ଦିନରେ କେତେକ  ବିଭାଗ ତରଫରୁ ଆଗତ ହେବାକୁ ଥିବା ବିଭିନ୍ନ ନୀତି ଓ ନିଦେ୍ର୍ଦଶାବଳୀ ସଂପର୍କରେ ଚୂଡାନ୍ତ ପ୍ରସ୍ତାବ ପାଇଁ ବିଭାଗମାନଙ୍କୁ ପରାମର୍ଶ ଦିଆଯାଇଛି  । ବୈଠକରେ ନୂତନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଜୁନ୍ ୧୨ରୁ ଆରମ୍ଭ ହେବାକୁ ଥିବା ରାଜ୍ୟସ୍ତରରେ ଏବଂ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା  । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସଆରସି ଦେଓରଞ୍ଜନ କୁମାର ସିଂ, ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ଏମଏସଏମଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ ।