ମହାନଦୀରେ ଛଡ଼ାଗଲା ୭.୫ ଲକ୍ଷ ଯାଆଁଳ
କଟକ : ମତ୍ସ୍ୟ ସଂପଦ ଉତ୍ପାଦନ ବୃଦ୍ଧି ନିମନ୍ତେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ମହାନଦୀର ମୁଣ୍ଡୁଳୀ ବ୍ୟାରେଜ ଏବଂ ଗଡ଼ଗଡ଼ିଆ ଘାଟଠାରେ ସାଢ଼େ ସାତ ଲକ୍ଷ ଯାଆଁଳ ଛଡ଼ାଯାଇଛି । ସିଏମସି ମେୟର ସୁବାସ ସିଂହ, ଜିଲ୍ଲା ପରିଷଦ ସ୍ଥାୟୀ କମିଟି ଅଧ୍ୟକ୍ଷ ଆଶିଷ ସାହୁ, ବାରଙ୍ଗ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ଦଳାଇ, ଉପମତ୍ସ୍ୟ ନିଦେ୍ର୍ଦଶକ ନିଳାମ୍ବର କିଲାକା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଓଡ଼ିଶା ସମବାୟ ବିକାଶ ନିଗମ ଦ୍ୱାରା ମହାନଦୀରେ ସମୁଦାୟ ସାଢ଼େ ସାତ ଲକ୍ଷ ଉନ୍ନତମାନର ରୋହି, ଭାକୁର, ମିରିକାଳୀ ଯାଆଁଳ ଛଡ଼ାଯାଇଛି । ମୁଣ୍ଡୁଳୀ ବ୍ୟାରେଜରେ ୫ଲକ୍ଷ ଯାଆଁଳ ଛଡ଼ା ଯାଇଥିବା ବେଳେ ଗଡ଼ଗଡ଼ିଆ ଘାଟରେ ଅଢ଼େଇ ଲକ୍ଷ ଯାଆଁଳ ଛଡ଼ାଯାଇଛି । ଉପମତ୍ସ୍ୟ ନିଦେ୍ର୍ଦଶକ ବବିତା ମହନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବାରଙ୍ଗ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବାରଙ୍ଗ ବ୍ଲକର ନାରାୟଣ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ଏବଂ କଟକ ପୌରପାଳିକାର ଯୋବ୍ରା ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ମତ୍ସ୍ୟଜୀବୀ ଓ ମତ୍ସ୍ୟଚାଷୀମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।