ଚାମ୍ପିୟନ୍ସ ଟ୍ରଫି ଜିତିଲେ ରନର୍ସ ଅପ୍ ଟିମକୁ ବି ମିଳିବ କୋଟି କୋଟି ଟଙ୍କା

ସୁପର ସଣ୍ଡେରେ ହେବାକୁ ଯାଉଛି ସୁପର ଫାଇଟ୍ । ରବିବାର ଭାରତ ଆଉ ନ୍ୟୁଜିଲାଣ୍ଡ ଭିତରେ ଖେଳାଯିବ, ଚାମ୍ପିୟନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ । ତେବେ ସାରା ବିଶ୍ୱର ଅଗଣିତ କ୍ରିକେଟ୍ ପ୍ରେମୀ, ଏହି ମ୍ୟାଚକୁ ଚାତକ ଭଳି ଚାହିଁ ରହିଥିବାବେଳେ, ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ତେବେ ଆପଣ ଜାଣିଛନ୍ତି କି, ଚାମ୍ପିୟନ୍ସ ଟ୍ରଫି ଜିତିଲେ, ଚାମ୍ପିୟନ୍ ଟିମକୁ ମିଳିଥାଏ କେତେ ଟଙ୍କା? ଆଉ କେତେ ଟଙ୍କା ପାଇଥାଏ ରନର୍ସ ଅପ୍ ଟିମ୍? ମିଳିଥିବା ସୂଚନା ମୁତାବକ, ଚାମ୍ପିୟନ୍ସ ଟ୍ରଫି ଜିତିଲେ, ମାଲାମାଲ ହେବ ଚାମ୍ପିୟନ୍ ଟିମ । ଆଇସିସି, ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରାଇସ୍ ମନି ପୂର୍ବରୁ ହିଁ ଡିକ୍ଲାର କରିସାରିଛି । ଚାମ୍ପିୟନ୍ସ ଟ୍ରଫି ଜିତିଲେ, ଭାରତୀୟ ଟିମକୁ ମିଳିବ ପ୍ରାୟ ୨.୨୪ ମିଲିୟନ୍ ଡଲାର । ଯାହାର ଭାରତୀୟ ମୁଦ୍ରାରେ ମୂଲ୍ୟ ହେଉଛି ୧୯ କୋଟି ୪୮ ଲକ୍ଷ ଟଙ୍କା । ସେହିପରି ଚାମ୍ପିୟନ୍ସ ଟ୍ରଫିରେ ରନର୍ସ ଅପ୍ ହେଇଥିବା ଟିମକୁ ମିଳିଥିବ ୯ କୋଟି ୭୪ ଲକ୍ଷ ଟଙ୍କା ।
ଚାମ୍ପିୟନ୍ସ ଟ୍ରଫି ଚାମ୍ପିୟନ୍ସ ଆଉ ରନର୍ସଅପ୍ ସହିତ ସେମିଫାଇନାଲ ହାରିଥିବା ଟିମକୁ ମଧ୍ୟ ମିଳିବ କୋଟି କୋଟି ଟଙ୍କା । ସେମିଫାଇନାଲ ହାରିଥିବା ଦୁଇ ଟିମକୁ ୪ କୋଟି ୮୭ ଲକ୍ଷ ଟଙ୍କା ମିଳିବ । ଅର୍ଥାତ ଅଷ୍ଟ୍ରେଲିଆ ସହିତ ସାଉଥ୍ ଆଫ୍ରିକା ଟିମ୍ ସେମିଫାଇନାଲ ହାରିଥିଲେ ବି, ଆଇସିସି ପାଖରୁ କୋଟି କୋଟି ଟଙ୍କା ପାଇବେ । ଏହାସହିତ ଟୁର୍ଣ୍ଣାମେଣ୍ଟରେ ୫ମ ଓ ୬ଷ୍ଠ ସ୍ଥାନରେ ଥିବା ଟିମକୁ ୩ କୋଟି ୪ ଲକ୍ଷ ଟଙ୍କା, ଏବଂ ୭ମ ଏବଂ ୮ମ ସ୍ଥାନରେ ଥିବା ଟିମକୁ ୧ କୋଟି ୪୦ ଲକ୍ଷ ଟଙ୍କା ମିଳିବ ବୋଲି ଆଇସିସି ଧାର୍ୟ୍ୟ କରିଛି । ଆଇସିସି ଚାମ୍ପିୟନ୍ସ ଟ୍ରଫିର ପ୍ରତିଟି ମ୍ୟାଚ୍ ପ୍ରତିଟି ଟିମ୍ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଗ୍ରୁପ୍ ଷ୍ଟେଜରେ ମ୍ୟାଚ୍ ଜିତୁଥିବା ପ୍ରତିଟି ଟିମକୁ ୨୯ ଲକ୍ଷ ୬୧ ହଜାର ଟଙ୍କା ମିଳିଥାଏ । ଏହା ସହ ୮ଟି ଯାକ ଟିମକୁ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ୧ କୋଟି ୮ ଲକ୍ଷ ଟଙ୍କା ମିଳିଥାଏ । ଏହି ସବୁ ପ୍ରାଇସ୍ ମନି ପାଇଁ ଆଇସିସି ପାଖାପାଖି ୬୦ କୋଟି ଟଙ୍କା ଖର୍ଚ୍ଚ କରିବ, ଯାହାକି ୨୦୧୭ ତୁଳନାରେ ପାଖାପାଖି ୫୩ ପ୍ରତିଶତ ଅଧିକ ।