ଆଜିଠୁୁ ମା' ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ

ସାଉଥବଲଣ୍ଡା : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ବାର୍ଷିକ ନବଦିନାତ୍ମକ ଯାତ୍ରା ଓ ୨୦ତମ ଲୋକ ମହୋତ୍ସବ ଗୋପାଳ ପ୍ରସାଦ ସ୍ଥିତ ହିଙ୍ଗୁଳା ପୀଠ ପରିସରରେ ଆଜି ଠାରୁ ଆରମ୍ଭ ହେଉଛି । ନବଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରାରେ ପ୍ରଥମ ଦିବସରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଆଶା କରାଯାଉଛି । ଚଳିତ ବର୍ଷ ଅଗ୍ନିରୂପା ମା ହିଙ୍ଗୁଳା ଗୋପାଳପ୍ରସାଦ ହାଇସ୍କୁଲ ପାଖ ପଡ଼ିଆ ନିକଟରେ ଆର୍ବିଭାବ ହୋଇଛନ୍ତି । ତେଣୁ ମା'ଙ୍କ ପ୍ରତ୍ୟକ୍ଷ ଦର୍ଶନ ପାଇଁ ଉଭାସ୍ଥଳୀକୁ ଆଜି ବଡି ଭୋରରୁ ଶ୍ରଦ୍ଧାଳୁଙ୍କ ସୁଅ ଆଗମନ ହେବାକୁ ଥିବା ବେଳେ ମାଆଙ୍କ ଚଳନ୍ତି ପ୍ରତିମାକୁ ଉଭାସ୍ଥଳୀକୁ ନେଇ ବିଧି ମୁତାବକ ପୂଜାର୍ଚ୍ଚନା କରାଯିବ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ପ୍ରଚଣ୍ଡ ରୌଦ୍ର ତାପକୁ ଦୃଷ୍ଟିରେ ରଖି ମା'ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉଭାସ୍ଥଳୀ ନିକଟରେ ଇଟାର ପାଚେରୀ କରାଯିବା ସହ ବ୍ୟାରିକେଡ଼ ନିର୍ମାଣ କରାଯାଇଛି । ମୁଖ୍ୟ ମନ୍ଦିର ଚତୁଃପାଶ୍ୱର୍କୁ କପଡା ଦ୍ୱାରା ସିଲିଂ କରାଯାଇଛି । ଉଭାସ୍ଥଳୀ ଓ ମନ୍ଦିରରେ ସ୍ୱତନ୍ତ୍ର ବ୍ୟାରିକେଡ଼ ମଧ୍ୟରେ ପୁରୁଷ ଓ ମହିଳାମାନେ ମା'ଙ୍କୁ ଅନାୟସରେ ଦର୍ଶନ କରିବା ସହ ଅଗ୍ନିରୂପାଙ୍କୁ ନଡ଼ିଆ, କଦଳୀ, ଗୁଡ଼, ଘିଅ, ଝୋଟ, ସିନ୍ଦୁର, ଚୁଡ଼ି, ଛିଟ, ପୁଷ୍ପ ଆଦି ଭୋଗ ଅର୍ପଣ କରିବାର ବନେ୍ଦାବସ୍ତ କରାଯାଇଛି । ସେହିପରି ଶିଶୁମାନଙ୍କ ଚୁଟି ମୁଣ୍ଡନ ପାଇଁ ନିଦ୍ଦିଷ୍ଟ ସ୍ଥାନ ନିରୂପଣ କରାଯାଇଛି ।
ଭିଡ଼କୁ ନିୟନ୍ତ୍ରଣ ତଥା ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କୁ ମାଗଣାରେ ଅନ୍ନପ୍ରସାଦ,ଥଣ୍ଡା ପାନୀୟ ଜଳ, ଦହି,ସରବତ, ତରଭୁଜ, ଆଖୁରସ ଆଦି ବଣ୍ଟନ କରାଯିବାର ବ୍ୟବସ୍ଥା ରହିଛି । ଯାତ୍ରା ସ୍ଥଳରେ ତାପମାତ୍ରା ୪୫ ଡିଗ୍ରୀ ଉଦ୍ଧ୍ୱର୍ରେ ରହିବାର ଆଶଙ୍କା ରହିଥିବାରୁ ଅଂଶୁଘାତର ମୁକାବିଲା କରିବା ପାଇଁ ଉଭାସ୍ଥଳୀରେ ଜଳ ଛିଂଚନ,ଅଂଶୁଘାତ ଚିକିତ୍ସା କେନ୍ଦ୍ର, ଆଶୁ ଚିକିତ୍ସା ପାଇଁ ପ୍ରାଥମିକ ଚିକିତ୍ସା କେନ୍ଦ୍ର,ବିଶ୍ରାମ ଗୃହ ଆଦି ଖୋଲା ଯାଇ ଶ୍ରଦ୍ଧାଳୁମାନଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ମା'ଙ୍କ ଉଭାସ୍ଥଳୀରେ ହିଙ୍ଗୁଳା ସାଂସ୍କୃତିକ ମଂଚର ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଚିତାକର୍ଷକ ଭଜନ,ଜଣାଣ ପରିବେଷଣ କରାଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ଅସାମାଜିକ ଲୋକଙ୍କୁ ସାବାଡ଼ କରିବା ପାଇଁ ମନ୍ଦିର ଓ ଉଭାସ୍ଥଳୀରେ ସିସିଟିଭି କ୍ୟାମେରା ଲଗାଯାଇ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ୨୪ ଘଣି୍ଟଆ ନିରୀକ୍ଷଣ ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁମାନଙ୍କୁ ସୂଚନା ପ୍ରଦାନ କରିବା ପାଇଁ ଉଭୟ ଉଭାସ୍ଥଳ ଓ ମନ୍ଦିର ପରିସରରେ ସୂଚନା କେନ୍ଦ୍ରମାନ ଖୋଲା ଯାଇଛି । ୨୨ ତାରିଖ ସନ୍ଧ୍ୟାରେ ୨୦ତମ ଲୋକ ମହୋତ୍ସବ ଉଦଘାଟିତ ହେବାକୁ ଥିବା ବେଳେ ନଅ ଦିନ ବ୍ୟାପି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ନାମିଦାମୀ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ପ୍ରତିଭାବାନ କଳାକାର ଯୋଗ ଦେବେ । ମା ହିଙ୍ଗୁଳାଙ୍କ ଏହି ଅନନ୍ୟ ଯାତ୍ରା ଓ ୨୦ତମ ଲୋକ ମହୋତ୍ସବ ଚଳିତ ମାସ ୩୦ ତାରିଖ ଦିନ ମା'ଙ୍କ ଶିତୁଳା ଯାତ୍ରା ସହ ସମାପନ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।