ଆତଙ୍କବାଦ ବିରୋଧୀ ବାର୍ତ୍ତା ପହଞ୍ଚାଇ ଫେରିଲେ ଅପରାଜିତା

 ଭୁବନେଶ୍ୱର : ଅପରେସନ ସିନ୍ଦୂରର ସଫଳତା ଗାଥା ଏବଂ ଭାରତର ଆତଙ୍କବାଦ ବିରୋଧୀ ଲଢେଇ ଲାଗି ସମର୍ଥନ ଗୋଟାଇବାକୁ ବିଦେଶ ଗସ୍ତରେ ଯାଇଥିବା ଭୁବନେଶ୍ୱର ସାଂସଦି ଅପରାଜିତା ଷଡ଼ଙ୍ଗୀ ଏବଂ ତାଙ୍କ ଟିମ୍ ନିଜ ଦେଶକୁ ଫେରିବା ପରେ ନିଜ କର୍ମକ୍ଷେତ୍ର ଭୁବନେଶ୍ୱରରେ ପହଞ୍ଚିଛନ୍ତି  । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ସଂସଦୀୟ କ୍ଷେତ୍ର ତରଫରୁ ଅପରାଜିତାଙ୍କୁ ଦିଆଯାଇଛି ଉଚ୍ଛସ୍ୱିତ ସମ୍ୱର୍ଦ୍ଧନା   । ଶୋଭାଯାତ୍ରାରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଏକାମ୍ର ବିଧାୟକ ବାବୁ ସିଂ, ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର,  ଖୋର୍ଦ୍ଧା ବିଜେପି ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡ଼ଜେନା ସମେତ ବହୁ ଆଗଧାଡ଼ିର ବିଜେପି ନେତା ଓ କର୍ମୀ ଯୋଗଦେଇଥିଲେ   । 
ଅପରେସନ ସିନ୍ଦୂର ପରେ ଆତଙ୍କବାଦ୍ ଓ ପାକିସ୍ତାନର ଅସଲ ଚେହେରା ସାରା ବିଶ୍ୱକୁ ଜଣାଇବାକୁ ବିଭିନ୍ନ ଦେଶ ଗସ୍ତ କରିଥିଲେ ସାଂସଦ  । ମୋଟ ୫୯ ଜଣ ପ୍ରତିନିଧି ୩୩ଟି ଦେଶ ଭ୍ରମଣ କରିଛନ୍ତି   । ଦିଲ୍ଲୀରେ ପହଞ୍ଚିବା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନକୁ ଏକ ନିଆରା ଓ ବଡ଼ ଅନୁଭୂତି ବୋଲି ପ୍ରାଥମିକ ପ୍ରତିକ୍ରିୟାରେ କହିଛନ୍ତି ଅପରାଜିତା   । ୧୪ ଦିନିଆ ବିଦେଶ ଗସ୍ତ ସମୟରେ ମୋଟ୍ ପାଞ୍ଚଟି ଦେଶ ଭ୍ରମଣ କରି ଫେରିଛନ୍ତି ଅପରାଜିତା ଏବଂ ଟିମ୍   । ସଂସଦର ପ୍ରତିନିଧିମଣ୍ଡଳୀଙ୍କର ପ୍ରତିଟି ଦେଶ ଭ୍ରମଣ ସମୟରେ ସବୁବର୍ଗର ଲୋକଙ୍କୁ ଭେଟିବା ସହ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ଭୟାବହତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଛନ୍ତି   । ପ୍ରବାସୀ ଭାରତୀୟ, ବିଭିନ୍ନ ରାଜନୈତିକ ଦଳ, ସେମାନଙ୍କର ନେତା, ସାଧାରଣ ନାଗରିକ, ଯୁବବର୍ଗ ଏପରିକି ସମସ୍ତଙ୍କୁ ପାକିସ୍ତାନ ମାଟିରେ କିଭଳି ଆତଙ୍କବାଦୀ ଏବଂ ବିଭିନ୍ନ ଆତଙ୍କବାଦ ସଂସ୍ଥାକୁ ଜନ୍ମ ଦିଆଯାଉଛି  । ପରେ ସେମାନଙ୍କୁ କିଭଳି ପାଳି ପୋଷି ବଡ଼ କରାଯାଉଛି , ତାହା ମଧ୍ୟ ବିଭିନ୍ନ ତଥ୍ୟ ପ୍ରମାଣ ସହ ଜଣାଯାଇଛି  । ପ୍ରଧାନମନ୍ତ୍ରୀ ମୋଦି ତଥା କେନ୍ଦ୍ର ସରକାରଙ୍କ ଏହି ସ୍ୱତନ୍ତ୍ର  ଯୋଜନାକୁ ପ୍ରବାସୀ ଭାରତୀୟ ବି ବେଶ୍ ସକାରାତ୍ମକ ଢଙ୍ଗରେ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ଅପରାଜିତା   । ସେହିଭଳି ଅପରେସନ ସିନ୍ଦୂରକୁ ଯେଉଁମାନେ ବିରୋଧ କିମ୍ୱା ସମାଲୋଚନା କରୁଛନ୍ତି ସେମାନଙ୍କୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ଅପରାଜିତା   ।