ଫୁଲବାଣୀ ମେଡିକାଲ କଲେଜ ଲୋକାର୍ପିତ
ଭୁବନେଶ୍ୱର/ଫୁଲବାଣୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ଠାରେ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଲୋକାର୍ପିତ କରିଛନ୍ତି । ଏହା ସହ ଜିଲ୍ଲାର ବିକାଶ ପାଇଁ ପ୍ରାୟ ୭୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତିଯେ, କନ୍ଧମାଳବାସୀଙ୍କ ବହୁଦିନର ଆଶା ପୂରଣ ହୋଇଛି । କନ୍ଧମାଳର ଏହି ମେଡିକାଲ୍ କଲେଜ୍ କେବଳ ଚିକିସôା ଶିକ୍ଷା ପ୍ରଦାନ କରିବ ନୁହେଁ, ବରଂ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବ । ଏହି ୬୫୦ ଶଯ୍ୟା ବିଶିଷ୍ଟ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିସôାଳୟ ଦ୍ୱାରା କେବଳ କନ୍ଧମାଳ ଜିଲ୍ଲା ନୁହେଁ ବରଂ ସମଗ୍ର ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାର ‘ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସହିତ ରାଜ୍ୟଦ ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ଏକକ ସ୍ୱାସ୍ଥ୍ୟ ସେବା ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଗତ ୨୪ ବର୍ଷରେ ବିଶ୍ୱସ୍ତରୀୟ ସେବା ନାଁରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇଥିଲା । ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇଁ ଆସନ୍ତା ଏକ ବର୍ଷ ମଧ୍ୟରେ ଓଡିଶାରେ ଡାକ୍ତରଙ୍କ ଅଭାବ ରହିବ ନାହିଁ । ପ୍ରତ୍ୟେକ ହସ୍ପିଟାଲରେ ଆବଶ୍ୟକ ଡାକ୍ତରଙ୍କୁ ନିଯୁକ୍ତି କରାଯିବ । ଚଳିତ ବଜେଟରେ କେବଳ ସ୍ୱାସ୍ଥ୍ୟ ସେବା ପାଇଁ ୨୩ ହଜାର ୬୩୫ କୋଟି ଟଙ୍କାର ପ୍ରାବଧାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଫୁଲବାଣୀ ଠାରେ ଜିଲ୍ଲାର ବିକାଶ ପାଇଁ ପ୍ରାୟ ୭୫୦ କୋଟି ଟଙ୍କା ମୂଲ୍ୟର ୧୦ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପମଧ୍ୟରୁ ୬୫୫ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ୫ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ହେବା ସହିତ ପ୍ରାୟ ୯୪ କୋଟିରୁ ଉର୍ଦ୍ଧ୍ୱ ୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଦାରିଙ୍ଗବାଡିର ପର୍ଯ୍ୟଟନ ବିକାଶ ପାଇଁ ୧୮ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଅନୁମୋଦନ କରି ଟେଣ୍ଡର ଆହ୍ୱାନ କରାଯାଇଛି । ପୁତୁଡି ଜଳପ୍ରପାତର ବିକାଶ ପାଇଁ ୪ କୋଟି ୫୦ ଲକ୍ଷ ଟଙ୍କା ଅର୍ଥ ଅନୁମୋଦିତ ହୋଇଛି । ଏହାଛଡ଼ା କନ୍ଧମାଳରେ ଥିବା ଅନ୍ୟ ପର୍ଯ୍ୟଟନସ୍ଥଳୀଗୁଡିକୁ ମଧ୍ୟ ଉନ୍ନତିକରଣ କରାଯାଇ ପର୍ଯ୍ୟଟନ ଶିଳ୍ପର ବିକାଶ କରାଯିବ । ମୁଖ୍ୟମନ୍ତ୍ରୀ ପରିଶେଷରେ କହିଥିଲେଯେ, ଆଜି ଆମେ ୨୦୩୬ରେ ସମୃଦ୍ଧ ଓଡିଶା ଗଠନ ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ଦିଗରେ ଅଗ୍ରସର ହେଉଛୁ । ସମସ୍ତଙ୍କୁ ବିଶୁଦ୍ଧ ପାଣି, ଉନ୍ନତ ସ୍ୱାସ୍ଥ୍ୟ ସେବା, ଗୁଣାତ୍ମକ ବିଜୁଳି, ଗମନାଗମନ ସୁବିଧା ଏ ସବୁ ଉପଲବ୍ଧ ହେବ । ତାହା ସହିତ ସମାଜର ଶେଷଧାଡିରେ ରହୁଥିବା ଭାଇଭଉଣୀମାନଙ୍କୁ ଯେପରି ସବୁ ପ୍ରକାର ମୌଳିକ ସୁବିଧା ଉପଲବ୍ଧ ହେବ, ସେ ଦିଗରେ ମଧ୍ୟ ଆମର ଉଦ୍ୟମ ରହିଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଓ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଥିଲେ ।