ଆତ୍ମସମୀକ୍ଷା କରୁ କଂଗ୍ରେସ: ମନମୋହନ ବାଚସ୍ପତିଙ୍କୁ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କରାଗଲା ତାହା ନିନ୍ଦନୀୟ
ଭୁବନେଶ୍ୱର: କୌଣସି ପ୍ରସଙ୍ଗ ନ ଥାଇ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ଅପଚେଷ୍ଟା କରୁଛି କଂଗ୍ରେସ । ପବିତ୍ର ବିଧାନସଭାରେ ମର୍ଯ୍ୟାଦାର ଉଲ୍ଲଂଘନ କରାଯାଇଛି । ବାଚସ୍ପତିଙ୍କୁ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କରାଗଲା, ତାହା ଅତ୍ୟନ୍ତ ନିନ୍ଦନୀୟ । ଗଠନ ମୂଳକ ପ୍ରସ୍ତାବ ଦେବା ବା ସମାଲୋଚନା କରିବାକୁ ବିରୋଧୀ ଦଳକୁ କେହି ମନା କରିନାହାଁନ୍ତି । ଏଥିପାଇଁ ସହଯୋଗ ଓ ବିରୋଧ ମଧ୍ୟ ଗଠନମୂଳକ ହେବା ଦରକାର । ବିଭିନ୍ନ ବିଷୟରେ ସରକାରଙ୍କୁ ଗଣତନ୍ତ୍ରରେ ସମାଲୋଚନା କରାଯାଏ । ବିରୋଧୀ ଦଳ ଯଦି ଠିକ୍ କଥା କହୁଛି କିମ୍ବା ସରକାରଙ୍କ କୌଣସି ଭୁଲ୍ ଥିଲେ ଏହାର ସଂଶୋଧନ କରିବା ପାଇଁ ମନା ନାହିଁ । ତେବେ କୌଣସି ଆଧାର ଓ ବିଷୟବସ୍ତୁ ନ ଥାଇ ବିରୋଧୀ ଦଳ ଯେପରି ଆଚରଣ ପ୍ରଦର୍ଶନ କରୁଛି, ତାହା ଅତ୍ୟନ୍ତ ନିନ୍ଦନୀୟ । ପ୍ରଶ୍ନଉତ୍ତୋର କାର୍ଯ୍ୟକ୍ରମରେ ହୋ-ହଲ୍ଲା କରିବା ସହ ଗୃହର ମଧ୍ୟଭାଗରେ ଘଂଟ ବାଡେଇ,ତୁରି ବଜାଇ ବାଧା ସୃଷ୍ଟି କରିଥିଲା କଂଗ୍ରେସ । ଏଥିରେ ସମ୍ପୃକ୍ତ ବିଧାୟକମାନଙ୍କୁ ନିଲମ୍ବିତ କରାଯିବା ପରେ ଏବେ ଗୁଣ୍ଡାଗର୍ଦ୍ଦିିକୁ ଓହ୍ଲାଇଛି କଂଗ୍ରେସ ଯାହାକି ଓଡିଶାବାସୀ ଏହାର ସଠିକ ଉତ୍ତର ଦେବେ ବୋଲି ଏକ ପ୍ରେସ ମିଟରେ କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଓଡିଶାର ସ୍ୱାର୍ଥକୁ ଦୃଷ୍ଟି ରଖି ବିରୋଧୀ ଜନମତକୁ ସମ୍ମାନ ଦେବା ଉଚିତ୍ । ବିଜେପି ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ଏକ ଦାୟିତ୍ୱ ସମ୍ପନ୍ନ ଦଳ । ବିଜେପି ମଧ୍ୟ ଏକ ଲମ୍ବା ସମୟ ଧରି ବିରୋଧୀ ଦଳ ଭୂମିକାରେ ରହିସାରିଛି । ଯେଉଁମାନେ ପୂର୍ବରୁ କହୁଥିଲେ ଆଇନକୁ ହାତକୁ ନେବାର ଅଧିକାର କାହାର ନାହିଁ, ସେମାନେ ଆଜି ସେମାନଙ୍କ କଥା ଭୁଲିଯାଇଛନ୍ତି । ଆଇନଶୃଙ୍ଖଳାକୁ ହାତକୁ ନେଇ ସାଧାରଣ ଲୋକଙ୍କ ଜୀବନ ସହ ଖେଳିବାର ଅଧିକାର କାହାର ନାହିଁ । ବିରୋଧୀ ଦଳର ଏପରି ଆଚରଣ, ଉଚ୍ଚାରଣ ଓ ହିଂସାତ୍ମକ ବ୍ୟବହାରରୁ ତୀବ୍ର ନିନ୍ଦା କରୁଛି ବିଜେପି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଂଞ୍ଚି ନାରାୟଣ ତ୍ରିପାଠୀ ଓ ରାଜ୍ୟ ମୁଖପାତ୍ର ସୁଦିପ୍ତ ରାୟ ଉପସ୍ଥିତ ଥିଲେ ।