ଆଦିବାସୀ ନୃତ୍ୟ ଓ ସଙ୍ଗୀତ କେନ୍ଦ୍ର ଉଦ୍ଘାଟିତ
କଳିଙ୍ଗନଗର : ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଗୋବରଘାଟି ଫେଜ୍-୨ର ବାମିଆଘାଟ କମ୍ୟୁନିଟି ହଲ୍ରେ ଆଦିବାସୀ ନୃତ୍ୟ ଓ ସଙ୍ଗୀତ କେନ୍ଦ୍ର ଉଦ୍ଘାଟିତ ହୋଇଛି । କେନ୍ଦ୍ରକୁ ଟାଟାଷ୍ଟିଲ୍ ଟିଏସ୍କେର ଲଜିଷ୍ଟିକ୍ସ ପରିଚାଳନା ମୁଖ୍ୟ ଶୁଭ୍ରାଂଶୁ ଶେଖର ରାଉତ ଓ ଟାଟାଷ୍ଟିଲ୍ କଳିଙ୍ଗନଗର କର୍ମଚାରୀ ସଂଘର ସଭାପତି ରବିନ୍ଦ୍ର କୁମାର ଜାମୁଦା ଉଦ୍ଘାଟନ କରିଥିଲେ । ଏହି ଅବସରରେ ବିଭିନ୍ନ ଗୋଷ୍ଠୀର ସସଦ୍ୟ ଏବଂ ଚଡ଼ିଆ, ଗୋବରଘାଟି ଓ ନୂଆ ଚମ୍ପାକୋଇଲା ଅଞ୍ଚଳର ବିସ୍ଥାପିତ ପରିବାରବର୍ଗ ସାମିଲ ହୋଇଥିଲେ । ଏହି ଉପଲକ୍ଷେ ୨୦୨୫ ଜୁଲାଇ ୭ରୁ ୧୦ତାରିଖ ପର୍ଯ୍ୟନ୍ତ ଆଦିବାସୀ ନୃତ୍ୟ ଓ ସଙ୍ଗୀତକୁ ନେଇ ଏକ ୪ ଦିନିଆ କର୍ମଶାଳା ଆୟୋଜନ କରାଯାଇଥିଲା । ସେଥିରେ ଯୁବବର୍ଗ, ମହିଳା ଓ ଗୋଷ୍ଠୀର ନେତୃମଣ୍ଡଳୀ ସମେତ ୬୦ରୁ ଅଧିକ ଜନସାଧାରଣ ଯୋଡ଼ି ହୋଇଥିଲେ । ଝାଡ଼ଖଣ୍ଡର ଆଦିବାସୀ ରାମୋଜ ଆଖଡ଼ା ସହଯୋଗରେ ଆୟୋଜିତ କର୍ମଶାଳା, ଆଦିବାସୀ ନୃତ୍ୟ ଓ ସଙ୍ଗୀତ କେନ୍ଦ୍ର ଉଦ୍ଘାଟନ ଅବସର ପାଇଁ ମଞ୍ଚ ପ୍ରସ୍ତୁତ କରିଥିଲା । ସମାରୋହରେ ଟିଏସ୍ଏଫ୍ ଟିମ୍ ତରଫରୁ ଆଦିବାସୀ ନୃତ୍ୟ ଓ ସଙ୍ଗୀତ କେନ୍ଦ୍ରର ଲକ୍ଷ୍ୟ ଏବଂ ପାରମ୍ପରିକ କଳାକୃତିକୁ ସମୃଦ୍ଧ କରିବା ଓ ଆଦିବାସୀ ଗୋଷ୍ଣୀଙ୍କୁ ସଶକ୍ତ କରିବା ଉପରେ ଆଲୋକପାତ କରାଯାଇଥଲା । ଆଦିବାସୀ ନୃତ୍ୟ ଓ ସଙ୍ଗୀତ କେନ୍ଦ୍ରକୁ ସାଂସ୍କୃତିକ ପରିପ୍ରକାଶ, ଦକ୍ଷତା ବିକାଶ ଏବଂ ଗୋଷ୍ଠୀ ସମ୍ପୃକ୍ତିର ହବ୍ ଭାବେ ପରିକଳ୍ପନା କରାଯାଇଥିବା ବେଳେ ଭବିଷ୍ୟତ ପିଢ଼ି ପାଇଁ ଆଦିବାସୀ ନୃତ୍ୟ ଓ ସଙ୍ଗୀତର ସମୃଦ୍ଧ ପରମ୍ପରାକୁ ଆହୁରି ସମୃଦ୍ଧ କରିବାକୁ ଲକ୍ଷ୍ୟ ରଖାଯାଇଛି ।