ଆଫଗାନିସ୍ତାନ ଭୂକମ୍ପ: ମୃତୁ୍ୟ ସଂଖ୍ୟା ୧୪୦୦ ଟପିଲା
ନୂଆଦିଲ୍ଲୀ: ଆଫଗାନିସ୍ତାନର ପୂର୍ବ ପାର୍ବତ୍ୟାଞ୍ଚଳରେ ଘଟିଥିବା ଶକ୍ତିଶାଳୀ ଭୂକମ୍ପ ପ୍ରଭାବରେ ମୃତୁ୍ୟ ସଂଖ୍ୟା ଆଜି ୧୪ଶହରେ ପହଞ୍ଚିଛି । ଆହତଙ୍କ ସଂଖ୍ୟା ୩ହଜାର ପାର କରିଛି । ଉଦ୍ଧାରକାରୀ ଦଳଗୁଡ଼ିକ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତମାନଙ୍କୁ ସ୍ଥାନାନ୍ତର କରାଯାଉଛି । ତେଣୁ ମୃତାହତଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇପାରେ ବୋଲି ଆଫଗାନିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ମୁଖପାତ୍ର ୟୁସୁଫ ହମ୍ମାଦ କହିଛନ୍ତି । ଭୂମିକମ୍ପ ପରେ ପରେ କିଛି ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା । ଫଳରେ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇ ପଡିଥିଲା । ସେଗୁଡ଼ିକୁ ପୁନଃ ଖୋଲାଯାଇଛି । ଅପହଞ୍ଚ ଅଞ୍ଚଳଗୁଡ଼ିକୁ ପ୍ରବେଶ କରିବା ପାଇଁ ଅବଶିଷ୍ଟ ରାସ୍ତାଗୁଡ଼ିକୁ ପୁନଃ ଖୋଲା ଯାଉଛି ।
ରବିବାର ବିଳମ୍ବିତ ରାତିରେ ଅନେକ ପ୍ରଦେଶରେ ୬.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଯାହା ଗ୍ରାମଗୁଡ଼ିକୁ ଧ୍ୱଂସସ୍ତୁପରେ ପରିଣତ କରିଦେଇଥିଲା । ଲୋକମାନେ ପ୍ରାୟତଃ ମାଟି ଇଟା ଓ କାଠରେ ତିଆରି ଘରର ଧ୍ୱଂସାବଶେଷ ତଳେ ଫସି ରହିଥିଲେ । ଅଧିକାଂଶ ମୃତାହତ କୁନାର ପ୍ରଦେଶରେ ଘଟିଛି । ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ ହେଲିକପ୍ଟର ବ୍ୟବହାର କରାଯାଉଛି । ସହାୟତା ସଂସ୍ଥାଗୁଡ଼ିକ କହିଛନ୍ତି ଯେ ସେମାନଙ୍କ ଦଳଗୁଡ଼ିକ କଷ୍ଟକର ସ୍ଥାନ ଓ ବିପର୍ଯ୍ୟସ୍ତ ରାସ୍ତା ଯୋଗୁଁ ସବୁଠାରୁ ବିଚ୍ଛିନ୍ନ ଅଞ୍ଚଳଗୁଡ଼ିକରେ ପହଞ୍ଚିବା ପାଇଁ ପାଦରେ ଯାତ୍ରା କରୁଛନ୍ତି ଉଦ୍ଧାରକାରୀ ଦଳ । ପୂର୍ବ ଆଫଗାନିସ୍ତାନ କୁନାର ପ୍ରଦେଶର ନୁରଗାଲ ଜିଲ୍ଲା ମଜାର ଦାରା ଗାଁରେ ଭୂମିକମ୍ପ ପରେ ଏକ ସାମରିକ ହେଲିକପ୍ଟର ଆହତଙ୍କୁ ବିମାନରେ ସ୍ଥାନାନ୍ତର କରୁଛି । ତାଲିବାନ୍ ସରକାର ଅନ୍ତର୍ଜାତୀୟ ସାହାଯ୍ୟ ପାଇଁ ଆବେଦନ କରିଛି । ୟୁକେ ତାଲିବାନ ସରକାରକୁ ସ୍ୱୀକାର କରୁ ନଥିବା ବେଳେ ମାନବିକ ସଂସ୍ଥାଗୁଡ଼ିକ ମଧ୍ୟରେ ବାଣ୍ଟିବା ପାଇଁ ୧ ନିୟୁତ ପାଉଣ୍ଡ (୧.୩ ନିୟୁତ ଡଲାର) ଜରୁରୀକାଳୀନ ପାଣ୍ଠି ପ୍ରତିଶ୍ରୁତି ଦେଇଛି । ଭାରତ, ଚୀନ୍, ଜାତିସଂଘ ସମେତ ଅନ୍ୟାନ୍ୟ ଦେଶ ବିପର୍ଯ୍ୟୟ ସହାୟତା ପ୍ରଦାନ କରିଛନ୍ତି । ୨୦୨୧ ମସିହାରେ ତାଲିବାନ କ୍ଷମତା ଦଖଲ କରିବା ପରେ ଏହା ତୃତୀୟ ବଡ଼ ଭୂମିକମ୍ପ । ଆର୍ଥିକ କଟକଣା ଯୋଗୁଁ ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ଗତି କରୁଛି । ଏହାସହ ଦେଶର ଦୁର୍ବଳ ଅର୍ଥନୀତି ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି । ୱାର୍ଲ୍ଡ ଭିଜନ୍ ଆଫଗାନିସ୍ତାନ ସହାୟତା ସଂସ୍ଥାର ଆଡଭୋକେସି ନିଦେ୍ର୍ଦଶକ ମାର୍କ କାଲ୍ଡର ସତର୍କ କରାଇ ଦେଇଛନ୍ତି ଯେ ଯଦି ଆର୍ଥିକ ସହାୟତା ନମିଳେ ତେବେ ସାହାଯ୍ୟ ଆବଶ୍ୟକ କରୁଥିବା ଲୋକଙ୍କ ସଂଖ୍ୟା ୨୫୦,୦୦୦ ରୁ ଅଧିକ ବୃଦ୍ଧି ପାଇବ ।