ଆବାସ ଘରେ ଚାଲିଛି ସାର ଦୋକାନ; ପଲିଥିନ ତଳେ କଟୁଛି ଜୀବନ

ଆବାସ ଘରେ ଚାଲିଛି ସାର ଦୋକାନ; ପଲିଥିନ ତଳେ କଟୁଛି ଜୀବନ

ବୈଶିଙ୍ଗା : ପ୍ରଧାନମନ୍ତ୍ରୀ ଆବାସ ଘରେ ସାର ଦୋକାନ କରାଯାଇଥିବାବେଳେ ନଡା ଓ ପଲିଥିନ ଛପର ଘରେ ଜୀବନ ବିତାଉଛନ୍ତି ପରିବାର । ଏଭଳି ଏକ ଘଟଣା ମୁକ୍ତାପୁର ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି । ଏହି ପଞ୍ଚାୟତର ଛୋଟରାୟପୁର ଗ୍ରାମରେ ଶିବ ମହାନ୍ତଙ୍କ ନାମରେ ଆବାସ ଯୋଜନାଁରେ ଏକ ଗୃହ ହୋଇଛି । ଯେଉଁ ଗୃହଟିରେ ଚାଲିଛି ସାର ଦୋକାନ । ଗୃହ ମାଲିକ ପରିବାର ସହ ରହୁଛନ୍ତି ଏକ ନଡା ଓ ପଲିଥିନ ଛପର ଘରେ । ଘଟଣା ସମ୍ପର୍କରେ ଗତ ବାର ତାରିଖରେ ଉକ୍ତ ଗ୍ରାମର ରାଧାନାଥ ବେହେରା ନାମକ ଜଣେ ଶିକ୍ଷିତ ବ୍ୟକ୍ତି ବେତନଟୀ କୃଷି ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବିନା ଲାଇସେନ୍ସରେ ସାର ରହିଥିବାରୁ କୃଷି ବିଭାଗ ତରଫରୁ କାରଣ ଦର୍ଶାଅ ନୋଟିସ ଉକ୍ତ ସାର ଦୋକାନୀଙ୍କୁ ମଗାଯାଇଥିଲା । କାରଣ ଦର୍ଶାଅ ନୋଟିସ ମଗାଯିବାର ଦୀର୍ଘ ବାର ଦିନ ଅତିକ୍ରମ ହୋଇଯାଇଥିଲେ ମଧ୍ୟ କୃଷି ବିଭାଗ ଦ୍ୱାରା କୌଣସି ଆଖି ଦୃଶିଆ ପଦକ୍ଷେପ ନିଆ ନ ଯିବା ଘଟଣା ଜନସାଧାରଣରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଜନସାଧାରଣଙ୍କ ଅଭିଯୋଗ ପରେ ବିନା ଲାଇସେନ୍ସରେ ପୁଣି ଅନ୍ୟ ଜଣଙ୍କ ପ୍ରଧାନମନ୍ତ୍ରୀ ଆବାସ ଗୃହରେ ସାର ଦୋକାନ ଉପରେ ସ୍ଥାନୀୟ କୃଷି ବିଭାଗ କେବଳ କାରଣ ଦର୍ଶାଅ ନୋଟିସ ଜାରି କରି କାହିିଁକି ନୀରବ ରହିଛି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ବିଭାଗୀୟ ଉଚ୍ଚ ଅଧିକାରୀ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।