ଡାହିବାଡି ହାଟ ପିଣ୍ଡି ନିର୍ମାଣରେ ଅନିୟମିତତା

ବୈଶିଙ୍ଗା : ବୈଶିଙ୍ଗା ପଞ୍ଚାୟତ ଅଧିନ ଡାହିବାଡି ହାଟରେ ୪୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧିନ ପକ୍କା ପିଣ୍ଡି ଅତି ନିମ୍ନମାନର ହେଉଥିବା ଦର୍ଶାଇ ସମାଜସେବୀ ସୀତାକାନ୍ତ ମହାପାତ୍ର ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ବିଭିନ୍ନ ସମ୍ବାଦପତ୍ରରେ ଖବର ପ୍ରକାଶ ପାଇଥିଲା । ଏନେଇ ଠିକାଦାର ଭାବେ କାର୍ଯ୍ୟନିର୍ବାହୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀଙ୍କୁ ଫୋନ ଯୋଗେ ସାମ୍ବାଦିକମାନେ ଯୋଗାଯୋଗ କରିବା ପରେ ସେ କହିଲେ, କାର୍ଯ୍ୟ ତଦାରଖ ପାଇଁ ଜେଇ କମଲ ଟୁଡୁ, ଏଇଇ ଗୁରୁଚରଣ ସିଂ ତଥା ବେତନଟୀ ବ୍ଲକ ଏଇଇ ସୌମ୍ୟାଶ୍ରୀ ଭୋଇଙ୍କୁ ଦାୟିତ୍ୱ ଦେଇଛି । କେମିତି ଭଲ କାମ ହେବ ସେଥିପାଇଁ ମୁଁ ଏବଂ ଜିଲ୍ଲାପାଳ ମଧ୍ୟ ତଦାରଖ କରିଛୁଁ । ତେବେ ଅଭିଯୋଗକାରୀ ଶ୍ରୀ ମହାପାତ୍ର କଣ ଜଣେ ଟେକ୍‌ନିକାଲ ବ୍ୟକ୍ତି କି ସେ ନିମ୍ନମାନର ବୋଲି ଅଭିଯୋଗ କରିପାରିବେ । ଯଦି ଆଇଟିଡିଏ ପ୍ରତି ତାଙ୍କର ଭରସା ନାହିଁ ତେବେ ମୋର ହାଇକମାଣ୍ଡ ଜିଲ୍ଲାପାଳଙ୍କୁ ପୁନର୍ବାର ତଦନ୍ତ ପାଇଁ ଅଭିଯୋଗ କରିବା ସହିତ ଅନ୍ୟ ଏଜେନ୍ସିକୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ, ନଚେତ୍‌ ମୁଁ କାମ ବନ୍ଦ କରିଦେବି । ଏଥିପାଇଁ ଶ୍ରୀ ମହାପାତ୍ର ପୁନର୍ବାର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ହାଟର ଉନ୍ନତି ପାଇଁ କାର୍ଯ୍ୟର ଆବଶ୍ୟକତା ଜରୁରୀ ମାତ୍ର ନିମ୍ନମାନର କାର୍ଯ୍ୟ ନ ହେବା ଆହୁରି ଭଲ । ଏହି ଅଭିଯୋଗ ପାଇବା ପରେ ଯଦି ସଠିକ୍‌ ତଦନ୍ତ କରା ନ ଯାଏ ତେବେ ସେ ଆଇନର ଆଶ୍ରୟ ନେବା ସହିତ ଭିଜିଲାନ୍ସର ଦ୍ୱାରସ୍ଥ ହେବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।