ଆମେରିକାର ଅଶିଷ୍ଟ ଅର୍ଥନୀତି ଓ ଅବଶିଷ୍ଟ ବିଶ୍ୱ

ମାୟାଧର ନାୟକ : ଅର୍ଥନୈତିକ ଆତଙ୍କବାଦକୁ ଚିହ୍ନଟ କରିବାରେ ସେଭଳି କୌଣସି ବିରାଟ ବୌଦ୍ଧିକ କସରତ କରିବାକୁ ପଡିନଥାନ୍ତା ମୋଟେ । ଆଖି ଥାଇ ସୁଦ୍ଧା ଆମ ବିଚକ୍ଷଣ ଅର୍ଥନୀତିଜ୍ଞ ଓ ବୁଦ୍ଧିଜୀବୀବର୍ଗ ତା’ହେଲେ ଅଂଧ ଭଳି ଅଭିନୟ କରୁଛନ୍ତି କାହିଁକି ? ଖାଲି କ’ଣ ଅଂଧ - ଏମାନେ ମୂକ ଓ ବଧିର ଭୂମିକାରେ ମଧ୍ୟ ଅବତୀର୍ଣ୍ଣ ହୋଇଛନ୍ତି । କାହିଁକିନା ଏମାନଙ୍କ ଶ୍ରେଣୀଚରିତ୍ର ହେଉଛି ସୌଦାଗରୀ ସଭ୍ୟତାର ସୌଖିନ ଶୈଳୀରେ ଅଭ୍ୟସ୍ତ ସୁବିଧାବାଦୀ ଚରିତ୍ର - ଯାହା ବୃହତ୍ତର ଦଳିତ ଦୁର୍ଗତ ବର୍ଗର ସାମାଜିକ ଓ ସାମୂହିକ ସ୍ୱାର୍ଥ ଅପେକ୍ଷା ନିଜନିଜ ବ୍ୟୈକ୍ତିକ ବୈଷୟିକ ବ୍ୟବସ୍ଥାର ସୁରକ୍ଷା ପ୍ରତି ଏକାନ୍ତ ଲୁବ୍ଧ । ଆପେ ବଂଚିଲେ ବାପର ନାଆଁ ହିଁ ଏମାନଙ୍କର ଏକମାତ୍ର ଆଦର୍ଶ । ଏଥିପାଇଁ କୋଟି କୋଟି ଦରିଦ୍ରର କବର ଉପରେ ଗୋଟିଏ ଗୋଟିଏ ଧନତଂତ୍ରର ଧ୍ୱଜା ଉଡାଇବା ଲକ୍ଷ୍ୟରେ ଆମ ଅର୍ଥନୀତିଜ୍ଞ ଓ ଯୋଜନା ପ୍ରଣୟନକାରୀ ଆଇନଜ୍ଞମାନଙ୍କୁ ଏକତରଫା ଅଧିକାର ଦିଆଯାଇଥାଏ । ଆମେରିକାର ଅସରନ୍ତି ଅର୍ଥଭଣ୍ଡାର ଏବେ ପୃଥିବୀ ଉପରେ ମାର୍କିନ୍‌ ଏକାଧିପତ୍ୟ ବିସ୍ତାର କରିବାର ଅଭିସନ୍ଧିରେ ବିଭିନ୍ନ ରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିସାରି ଯେଉଁ ଅର୍ଥନୈତିକ ଅଘଟଣ ସଂଘଟନ କରିଚାଲିଛି - ତାହା ହିଁ ହେଉଛି ଆଜିର ଏହି ଅର୍ଥନୈତିକ ଆତଙ୍କବାଦର ଅସଲ କ୍ରିୟାତ୍ମକ ଆଭିମୁଖ୍ୟ । ଏହି ଦୃଷ୍ଟିରୁ ୨୦୦୫ ମସିହାରେ ଏହି ଅର୍ଥନୈତିକ ଆତଙ୍କବାଦ ବା Economic terrorism ଲକ୍ଷଣଗୁଡ଼ିକ ବାବଦରେ ଜେନେଭାସ୍ଥିତ Center of security policy ବା ନିରାପତ୍ତା ଯୋଜନା କେନ୍ଦ୍ର ଆମକୁ ଆଗରୁ ସତର୍କ କରାଇ ସାରିଛନ୍ତି ।

         ଏହି ଅଦୃଶ୍ୟ ଆତଙ୍କବାଦ ଯୁକ୍ତରାଷ୍ଟ୍ର ଆମେରିକା ତରଫରୁ ବିଭିନ୍ନ ରାଷ୍ଟ୍ର ବିରୋଧରେ ଏକ ସୁଂସଗଠିତ ଅର୍ଥନୈତିକ ଷଡଯଂତ୍ର - ଯାହା ସଂପୃକ୍ତ ରାଷ୍ଟ୍ରଗୁଡ଼ିକର ସ୍ୱାଭାବିକ ଅର୍ଥନୀତିକୁ ବିଶୃଂଖଳିତ କରାଇ ଜନଜୀବନକୁ ଧର୍ମୀୟ, ସାମାଜିକ, ସାଂସ୍କୃତିକ ଓ ମନସ୍ତାତ୍ତ୍ୱିକ ସଂକଟ ଆଡକୁ ମୁହାଁଇନେବାର ଏକ କୁତ୍ସିତ କୂଟକର୍ମ ! ଏ ପ୍ରକାର ଅମାନୁଷିକ ଅପକର୍ମ ହିଂସ୍ର ବା ଅହିଂସ ପଦ୍ଧତିରେ ପ୍ରଣୋଦିତ ଏକ ମାର୍କିନ୍‌ ମହାବିଲୟ ବ୍ୟବସ୍ଥା, ଯାହାର ପ୍ରଳୟଂକର ପରିଣତିଭୋଗିବାକୁ ଯାଉଛି ଅଦୂର ଭବିଷ୍ୟତର ଅବଶିଷ୍ଟ ବିଶ୍ୱ । ଏହି ଅବଶିଷ୍ଟ ବିଶ୍ୱର ମାନଚିତ୍ରରେ କିନ୍ତୁ ବଜାରଧର୍ମୀ ପାଶ୍ଚାତ୍ୟ ସମାଜ (market oriented western societies) ଉପରେ ଗଢ଼ିଉଠିଥିବା ୟୁରୋପ ଅପେକ୍ଷା କୃଷିଭିତ୍ତିକ ପ୍ରାଚ୍ୟସମାଜ ଆଧାରିତ ଏସିଆ ମହାଦେଶକୁ ହିଁ ଅଧିକ କ୍ଷୟକ୍ଷତିରେ ଆକ୍ରାନ୍ତ କରିବାର ଚକ୍ରାନ୍ତ ଆରମ୍ଭ କରିସାରିଛି ଆମେରିକା ! ୟୁରୋପ୍‌ ଆଜି ଆମେରିକାର ସେଇ ଚିରାଚରିତ ‘ଅର୍ଜେଣ୍ଟ୍‌ ଏଜେଂଟ୍‌’ ଭୂମିକା ବଜାୟ ରଖିଥିବାବେଳେ, ଏସିଆ ପାଲଟିବାକୁ ଯାଉଛିଗୋଟାଏ ‘ଟ୍ରାଜିକ୍‌ ଟାର୍ଗେଟ୍‌’ - ନିଜ ଅଜ୍ଞାତସାରରେ !

         ଏବେ ମୁଣ୍ଡ ଟେକିବାକୁ ଯାଉଥିବା ମାର୍କିନ୍‌ ମହାତଙ୍କବାଦ (trans-terrorism)ର ଚୂଡାନ୍ତ ପର୍ବ - ଅର୍ଥନୈତିକ ଆତଙ୍କବାଦ, ଯାହାକୁ ମିଡ଼ିଆ ମାଧ୍ୟମରେ ‘ମାନ୍ଦାବସ୍ଥା’ ଓ ‘ଅଚଳାବସ୍ଥା’ ରୂପେ ଚିତ୍ରଣ କରିଦେଇ ଆମ ମୁଖପାତ୍ରବର୍ଗ ନିଜନିଜ ଦାୟିତ୍ୱ ସରିଗଲା ବୋଲି ଖୁସ୍‌ ! ମାତ୍ର କଥା କ’ଣ ଏଇଠି? ନା, ଆଳୁ ଖୋଳୁଖୋଳୁ ମହାଦେବ ବାହାରିଲା ପରି ଏ ‘ମାନ୍ଦାବସ୍ଥା’ର ମୁଖା ତଳୁ ମୁହଁ କାଢ଼ୁଛି ଆମ ଚାନ୍ଦାଧର୍ମୀ ଚାରିତ୍ରିକତାର ରାଷ୍ଟ୍ରଦ୍ରୋହୀ, ସମାଜଦ୍ରୋହୀ, ଧର୍ମବିଶ୍ୱାସଘାତୀ ମର୍ମବିଦାରକ ଭୂମିକା । ଏସିଆ ମହାଦେଶର ଅଧିକାଂଶ ରାଷ୍ଟ୍ରକୁ ପରସ୍ପର ମଧ୍ୟରେ ଶତ୍ରୁତାପୂର୍ଣ୍ଣ ଦୁଃସ୍ଥିତିରେ ଛିଡ଼ା କରାଇରଖିଥିବାର କୂଟକୌଶଳ ଏକ ଦୀର୍ଘମିଆଦୀ ମାର୍କିନ୍‌ ‘ମାର୍କେଟିଂ ପଲିସୀ’ ! କାରଣ ଏହି‘ପଲିସୀ’ ବା ଯୋଜନାକୁ କାର୍ଯ୍ୟକାରୀ କରି ହିଁ ମଣିଷମାରଣା ମହାତଙ୍କବାଦୀ ଆମେରିକା ମାରଣାସ୍ତ୍ର ବିକିଚାଲିଛି ଏସିଆ ମହାଦେଶର ରାଷ୍ଟ୍ରପୁଞ୍ଜକୁ । ମାରଣାସ୍ତ୍ରରେ ମୁନାଫାର ମୀନାର୍‌ ଆକାଶଛୁଆଁ । ଏପରିକି ଏହି ମୁନାଫାର ମାତ୍ର ପାଂଚସାତ ଶତାଂଶ ଉକ୍ରୋଚରେ ସୁଦ୍ଧା ବହୁ ଏସୀୟ ରାଷ୍ଟ୍ରର ଶାସନ ଓ ପ୍ରଶାସନ ଆମେରିକାର ସଖୀ କଣ୍ଢେଇ ସାଜିବାକୁ ସଜବାଜ ! ନାନା ରାଷ୍ଟ୍ରର ସାମରିକ ଅସ୍ତ୍ରବିକ୍ରୟର ଅନେକ ଗୁମର ମାର୍କିନ୍‌ ଗୁପ୍ତଚରଚକ୍ର ସିଆଇଏ ସଂସ୍ଥାର ବିଡ଼ା ବିଡ଼ା ଫାଇଲ୍‌ଫିତାରେ ଫାଶୀ ପାଇଯାଉଚି । ପଦାରେ ପଡ଼ିଲେ ଦୁଲୁକିଉଠିବ ଦୁନିଆ ! ତେବେ ଆମେରିକାର କାଏମୀ ସ୍ୱାର୍ଥକୁ କାର୍ଯ୍ୟକାରୀ କରିବା ଦିଗରେ ଏସିଆର ରାଜନୀତି ଓ ଅର୍ଥନୀତି ଏଭଳି ସ୍ୱଦେଶବିରୋଧୀ ସ୍ଥିତିର ନିର୍ଦ୍ଦୟ ନିର୍ଣ୍ଣାୟକ ସାଜି ଜନସମୁଦାୟର ଜହ୍ଲାଦ ହେବାକୁ ରାଜି ହେଉଛନ୍ତି କେମିତି? ଟଙ୍କା ! କେବଳ ହିଁ କଳାଟଙ୍କା !  ଏଇ ପ୍ରଚଣ୍ଡ ପ୍ରଲୋଭନରେ ଧଳା ମହାଜନ ଆମେରିକାର ଖାତକ ହେବାର ପାତକ ମୁଣ୍ଡାଇବାକୁ ଅଧିକାଂଶ ଏସୀୟ ରାଷ୍ଟ୍ର ଏବେ ପଛଉନାହାନ୍ତି ମୋଟେ । କାରଣ ଏସୀୟ ରାଜନୈତିକ ଚରିତ୍ର ଏବେ ବହୁଳାଂଶରେ ବିତ୍ତୀୟ ବ୍ୟବସ୍ଥା ଦ୍ୱାରା ବିକ୍ରୀତ - ଯେଉଁ ବିତ୍ତୀୟ ବ୍ୟବସ୍ଥାର ବ୍ୟୂହ ରଚନା କରିଛି ମାର୍କିନ୍‌ କୂଟନୀତି ।

      ଏସିଆର ପ୍ରାଚୀନ ଧର୍ମ ଓ ସଂସ୍କୃତିନିଷ୍ଠ ସଭ୍ୟତାକୁ ମୂଳପୋଛ କରିବା ଅଭିସନ୍ଧିରେ କେବେଠୁ ସୃଷ୍ଟି ହୋଇସାରିଛି ଆଧୁନିକ ଅର୍ଥନୀତିର ଆତସବାଜି ସ୍ୱରୂପ କର୍ପୋରେଟ କଲ୍‌ଟ୍‌ର କିଲର୍‌ କଲ୍‌ଚର - ମାର୍କିନ୍‌ ମିକ୍‌ଶ୍ଚର ! ମୁନାଫାମୁଖୀ ମାନସିକତା ମାରିଦେଉଛି ମଣିଷପଣ - ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ରଚନା କରୁଛି ରକ୍ତପାତ, ଯୁଦ୍ଧିବିଗ୍ରହ, ଭୟାବହ ଭଗାରି ଭୂମିକା - ଜାତିଜାତି ମଧ୍ୟରେ ଜାତ ହେଉଛି ଜଘନ୍ୟ ଜାନ୍ତବ ଦ୍ୱନ୍ଦ୍ୱ - ଧର୍ମ ଧର୍ମ ମଧ୍ୟରେ ଚାଲିଛି ଦୁଃସହ ଦଂଗାର ବିଷାକ୍ତ ବିଭୀଷିକା ! ଏସିଆର ଦେଶ, ସମାଜ, ସଂସ୍କୃତି, ଧର୍ମ, ସଂଗଠନ, ପରମ୍ପରା, ପରିବାରକୁ ଆଜି ପାଉଁଶରେ ପରିଣତ କରିବାକୁ ଯାଉଛି ଆମେରିକାର ଅଧର୍ମବିତ୍ତ ! ଏଇଥିଲାଗି ହିଁ  ଆତଙ୍କବାଦ - ଅର୍ଥନୈତିକ ଆତଙ୍କବାଦ - ଏକ ଆଭ୍ୟନ୍ତରୀଣ ଆପଦର ଆବର୍ତରେ ସମଗ୍ର ଏସିଆ ଏବେ ଉତ୍ପୀଡ଼ିତ । ଉତ୍ପାତକାରୀମାନଙ୍କୁ ଉଚ୍ଛେଦ କରିବା ପାଇଁ ମିଲିଟାରୀ ଓ ପୁଲିସ୍‌ଫୋସ୍‌ର୍ର ବାରବର୍ଷର ତପସ୍ୟା ପଣ୍ଡହେଉଛି ଶୁଖୁଆପୋଡାରେ ! କାରଣ ଅଧିକାଂଶ ରାଷ୍ଟ୍ରର ଶାସନ ଓ ପ୍ରଶାସନର ସୂତ୍ରଧରମାନଙ୍କୁ କଳାଟଙ୍କାର କାରବାରରେ ହରଦମ୍‌ ହିସାବଦୋରସ୍ତ କରାଇବାରେ କୃତକାର୍ଯ୍ୟ ହୋଇସାରିଛି ସଫେଦ୍‌ ସୌଦାଗର ! ଏସିଆ... ଇତିହାସର ଅଂଧାରୀରାତିରୁ ଆଧୁନିକ ସମୟର ସଫେଦ୍‌ ସକାଳ ପର୍ଯ୍ୟନ୍ତ ବହୁ ବୈଦେଶିକ ଆକ୍ରମଣକାରୀଙ୍କ ଲୁଣ୍ଠନର କରୁଣ ଶିକାର ହୋଇଆସିଛି । ଖ୍ରୀଷ୍ଟପୂର୍ବ ୩୦୦ ଅବ୍ଦର ଗ୍ରୀକ୍‌ ଆଲେକ୍‌ଜାଂଡର୍‌ଠାରୁ ଆରମ୍ଭ କରି ଅଷ୍ଟାଦଶ ଶତାବ୍ଦୀର ଆଫ୍‌ଗାନ ଆକ୍ରମଣକାରୀ ଅହମଦଶାହ ଦୁରାନୀ ପ୍ରମୁଖ ପାହାଡ଼ପର୍ବତ ପାରିହୋଇ ଏସିଆର ଉପମହାଦେଶ ଭାରତ ଚଢ଼ଉ କରିଛନ୍ତି ।

      ମାତ୍ର ସାତସମୁଦ୍ର ପାରିହୋଇ ପର୍ତୁଗୀଜ୍‌, ଫରାସୀ ଓ ବ୍ରିଟିଶ୍‌ ପ୍ରମୁଖ ପାଶ୍ଚାତ୍ୟ ଆକ୍ରମଣକାରୀବର୍ଗ ଭାରତମୁଖୀ ହୋଇଛନ୍ତି ଊନବିଂଶ ଶତାବ୍ଦୀର ଆଦ୍ୟପାଦ ପର୍ଯ୍ୟନ୍ତ । ହଁ, ଲକ୍ଷ୍ୟକେବଳ ଲୁଣ୍ଠନ, ଅପର୍ଯ୍ୟାପ୍ତ ସଂପଦ ଅପହରଣ । ଏବେ କିନ୍ତୁ ସେ ଧାରା ବଦଳିଛି । ଏବେ ଏଠାକୁ ନଆସି ମଧ୍ୟ ଆମେରିକା ଲୁଣ୍ଠନ ଓ ଶୋଷଣ କରିପାରୁଛି ଏସିଆ ମହାଦେଶର ବିଭିନ୍ନ ରାଷ୍ଟ୍ରଙ୍କୁ । ଆଫ୍ରିକାର ନିଗ୍ରୋମାନଙ୍କୁ ଯେମିତି ମଧ୍ୟଯୁଗରେ ଗୋରାଲୋକେ କ୍ରୀତଦାସ କରିବା ଲୋଭରେ ନିଜଦେଶକୁ ବନ୍ଦୀ କରିନେଇଯାଉଥିଲେ, ଏବେ ଆମେରିକା ସେମିତି ଏସିଆରୁ ପ୍ରତିଭାଚାଲାଣ କରିନେଉଛି ନିଜ ଇଲାକାକୁ - ଏସିଆର ବୁଦ୍ଧିକୁ ନିଜ ବିଜ୍ଞାନରେ ବ୍ୟବହାର କରି ବ୍ୟବସାୟ କରୁଛି - ନିଜ ଜ୍ଞାନର ଗୋଲାମ କରି ଶିଳ୍ପସଭ୍ୟତାର ସୌଖିନ୍‌ ସୌଧ ଗଢ଼ୁଛି । ଏଠାକୁ ଆସିବାର ବାଟଖର୍ଚ୍ଚ ନାହିଁ - ବରଂସେଇ ବାଟଖର୍ଚ୍ଚକୁ ବଟିଖର୍ଚ୍ଚରେ ପରିଣତ କରି ଏସିଆର ବିଭିନ୍ନ ରାଷ୍ଟ୍ରର ଶାସନ, ପ୍ରଶାସନ, ଦୁଃଶାସନ ଚରିତ୍ରମାନଙ୍କୁ କରାୟତ୍ତ କରୁଛି । ଆମେରିକା ଦ୍ୱାରା ଆରମ୍ଭ ହୋଇସାରିଥିବା ଅର୍ଥନୈତିକ ଆତଙ୍କବାଦ ଏହି ମାରାତ୍ମକ ଉଦ୍ଦେଶ୍ୟକୁ ଚରିତାର୍ଥ କରିବାରେ କେତେଦୂର ସଫଳ ହୋଇପାରିଛି, ତାହାକୁ ଏବେ ଏସିଆର ଅନୁଚିନ୍ତକବର୍ଗ ଗୁରୁତ୍ୱ ଦେଇ ଅନୁଧ୍ୟାନ କରିବାର ସମୟ ଆସି ପହଂଚିଯାଇଛି । ଆଉ କାଳ କ୍ଷେପଣ କଲେ ନେଡ଼ିଗୁଡ଼ବୋହିଯିବ କହୁଣିକି । ଜଗତୀକରଣ ଧ୍ୱନି ଦେଇ ‘ପୃଥିବୀ ଗୋଟିଏ ଗାଆଁ’ର ପ୍ରଚାର ଚାଲିଥିବାବେଳେ ପ୍ରକୃତରେ କିନ୍ତୁ ପୃଥିବୀର ଗୈରିକ ‘ଗ୍ରାମଶ୍ମଶାନ’ କରିଦିଆଯାଉଛି ଏସିଆ ମହାଦେଶର ଗ୍ରାମଧର୍ମଭିତ୍ତିକ ସଭ୍ୟତାଗୁଡ଼ିକୁ । ଜଗତୀକରଣ ବା ‘ଗ୍ଲୋବାଲାଇଜେସନ୍‌’ ଫଳରେ ଆମେରିକାର ଅର୍ଥନୈତିକ ଆତଙ୍କବାଦ ଏବେ ବେଶ୍‌ ଆରାମ୍‌ରେ ନିଜ ବିଶ୍ୱରୂପ ପ୍ରଦର୍ଶନ କରି ଏସିଆକୁ ରୂପାନ୍ତରିତ କରିବାକୁ ଯାଉଛି ଏକ ମନସ୍ତାତ୍ୱିକ ମରୁମଣ୍ଡଳରେ ! ଆତ୍ମବିଶ୍ୱାସବର୍ଜିତ ଏକ ଅଧୀନସ୍ଥ ଅଧିତ୍ୟକାରେ !

ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩