ଭାରତୀୟ ସଂସ୍କୃତି ଓ ସମ୍ବିଧାନରେ ମାତୃଶକ୍ତି


ଅନେକ ଅବତାରରେ ସଫଳ ଭାବରେ ଅବତୀର୍ଣ୍ଣ ହୋଇପାରୁଥିବା ପରମେଶ୍ୱରଙ୍କର ଅଦ୍ୱିତୀୟ ସୃଷ୍ଟି ଓ ଶକ୍ତି ହେଉଛି ନାରୀଶକ୍ତି ବା ମାତୃଶକ୍ତି ସମାଜର ଆଦ୍ୟ ଅନ୍ତ କହିଲେ ସେହି ନାରୀକୁ ହିଁ ବୁଝାଏ । କାରଣ ଜୀବନ୍ତ ଦେବୀ ଭାବରେ ସେ ଜୀବସତ୍ତା ସୃଷ୍ଟିକରିପାରେ, ଜୀବନ ସଂହାର ବି କରିପାରେ  । ଏହି ଶକ୍ତି ଏକ ପ୍ରକାର ସୃଷ୍ଟିର ନିୟାମକ ଏବଂ ପରି·ୟକ କହିଲେ କିଛି ଅତ୍ୟୁକ୍ତି ହେବନାହିଁ  । ନାରୀ ବିନା ଜୀବନ ଅସମ୍ଭବ ଏବଂ ଜୀବସତ୍ତା ବିନା ସମାଜର ପରିକଳ୍ପନା ବେଶ୍ ଅବାସ୍ତବ  । ଏଣୁ ନାରୀ ଯୁଗେ ଯୁଗେ ଚୀରବନ୍ଦନୀୟା  । ନାରୀର ପ୍ରଗତିରେ ହିଁ ଦେଶର ଅସଲ ବିକାଶ ସମ୍ଭବ ।
ପୁଣ୍ୟଭୂମି ଭାରତବର୍ଷରେ ମାତୃଶକ୍ତିର ସ୍ଥାନ ବହୁ ଉଚ୍ଚରେ । ଯେତେବେଳେ ସେ ପାପାତ୍ମା ରାକ୍ଷସମାନଙ୍କର ଧ୍ୱଂସ ସାଧନରେ ପ୍ରବୃତ୍ତ ସେତେବେଳେ ସେ କାଳୀ, କରାଳୀ, ବିକରାଳୀ, ଚତୁର୍ଭୁଜା, ଷଡ଼ଭୁଜା, ଅଷ୍ଟଭୁଜା, ଦଶଭୁଜା ଓ ବିଂଶଭୁଜା । ଅନ୍ୟଥା ସେ ସର୍ବମଙ୍ଗଳା, ଗୌରୀ, ଅମ୍ବିକା ଓ ବାରଭୁଜା । ଯେତେବେଳେ ସେ ତାଙ୍କର ପ୍ରତ୍ୟାହତ ମୂର୍ତ୍ତି ଧାରଣ କରନ୍ତି ସେ ନୀଳୋତ୍ପଳଧାରିଣୀ ଚତୁର୍ଭୁଜା । ଯେତେବେଳେ ସେ ଚଣ୍ଡୀ, ଜ୍ୱାଳାମୁଖୀ ଓ ଭୟଙ୍କରୀ, ସେତେବେଳେ ସେ ଅଷ୍ଟଭୁଜାର ରୂପ ନିଅନ୍ତି । ଆଉ ସେ ଯେତେବେଳେ ଭୈରବୀର ରୂପ ନିଅନ୍ତି ସେତେବେଳେ ସେ ଦଶଭୁଜା ପାଲଟିଯାଆନ୍ତି ଯାହା ଦଶ ମହାବିଦ୍ୟାର ପ୍ରତୀକ । ଏଣୁ ଭାରତରେ ନାରୀର ସମୟ ସମୟର ଉପସ୍ଥିତି ହିଁ ବଦନ କରେ ଏକ ସ୍ୱ୍ୱତନ୍ତ୍ର ମହତ୍ୱ । ଏଣୁ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି-"କୀର୍ତ୍ତିଃଶ୍ରୀବାକ୍ ଚ ନାରୀଣାଂ ସ୍ମୃତିର୍ମେଧା ଧୃତିଃ କ୍ଷମା' । ଅର୍ଥାତ ମୁଁ ନାରୀମାନଙ୍କ ମଧ୍ୟରେ କୀର୍ତ୍ତି, ଶ୍ରୀ, ବାକ୍, ସ୍ମୃତି, ମେଧା, ଧୃତି ଓ କ୍ଷମା ଅଟେ । ଆମ ସଂସ୍କୃତିରେ ଏକ ବର୍ଷର କନ୍ୟାକୁ ଜୟା, ଦୁଇ ବର୍ଷର କନ୍ୟାକୁ ବିଜୟା ଓ ଆଠ ବର୍ଷର କନ୍ୟାକୁ ଗୌରୀ ରୂପରେ ମାନ୍ୟତା ଦିଆଯାଏ । ଭିନ୍ନ ଭିନ୍ନ ସମୟରେ ତା'ର ସମସ୍ତ ପ୍ରକାଶ କଲ୍ୟାଣକାରୀ । ଏଣୁ ଚର୍ମଚକ୍ଷୁରେ ନାରୀ ମାଧ୍ୟମରେ ଭଗବାନଙ୍କୁ ପ୍ରତ୍ୟକ୍ଷ କରିହେବ । କାରଣ ନାରୀଠୁ ଅନ୍ୟ ଜଣେ ନାରୀ ବାହାରିଲା ପରେ ସେ ସେମିତି ପୂର୍ଣ୍ଣତା ସହ ରହିଥାଏ । ନାରୀର କରୁଣା ଅନ୍ତର୍ଜଗତର ସର୍ବୋତ୍ତମ ଶିଖର, ଯେଉଁଠି ସୃଷ୍ଟିର ସମସ୍ତ ସଦା·ର ଓ ବିଶେଷତା ପ୍ରତିଷ୍ଠିତ ।
ନାରୀର ଶକ୍ତି ପ୍ରକୃତରେ ଅକଳ୍ପନୀୟ । ସେ ସୂର୍ଯ୍ୟଙ୍କ ଗତିକୁ ରୋକିପାରେ, ସେ ଯମଙ୍କୁ ପରାସ୍ତ କରିପାରେ । ସେ ବ୍ରହ୍ମାବିଷ୍ଣୁମହେଶଙ୍କୁ କୋଳରେ ଶିଶୁ ଭାବରେ ଖେଳାଇପାରେ । ଅଣୁକୁ ବିରାଟ ଓ ବିରାଟକୁ ଅଣୁରେ ବଦଳାଇବାର ଶକ୍ତି ଅଛି କେବଳ ନାରୀର, ଯାହାର ଭୂରି ଭୂରି ପ୍ରମାଣ ରହିଛି ଆମର ଐତିହ୍ୟ, ପରମ୍ପରାରେ, ସାମୂହିକ ସ୍ମୃତିରେ, ଶାସ୍ତ୍ର ପୁରାଣରେ । ସେ ନିଜ ଦେହର ମଳିରୁ ଭଗବାନ ଗଣେଶଙ୍କୁ ସୃଷ୍ଟି କରିପାରେ । ଅନେକ ରାମ ହୁଏତ ସମ୍ଭବ ହୋଇପାରନ୍ତି; କିନ୍ତୁ ସୀତା ଏକ; ତାଙ୍କର ବିକଳ୍ପ ନାହିଁ ।ଯୁଗର ଆବଶ୍ୟକତା ମୁତାବକ ସେ ସନ୍ତାନକୁ ପୃଥିବୀକୁ ଆଣେ ଏବଂ ସେମାନଙ୍କ ଜରିଆରେ ନବନିର୍ମାଣ କରାଏ । କେତେବେଳେ ଦେବକୀ ହୋଇ ଭଗବାନଙ୍କୁ ଆଣେ ତ କେବେ ଶାନ୍ତା ହୋଇ ନିଜର ତ୍ୟାଗ ବଳରେ ଭଗବାନ ରାମଙ୍କ ଧରାବତରଣକୁ ସୁଗମ କରାଏ । ଗଙ୍ଗାହୋଇ ଭୀଷ୍ମଙ୍କୁ, ମେନକା ହୋଇ ଶକୁନ୍ତଳାଙ୍କୁ, ଅଞ୍ଜନା ହୋଇ ହନୁମାନଙ୍କୁ ପୃଥିବୀକୁ ଆଣେ । ଯେତେ ଯୁଗପୁରୁଷ ମହାପୁରୁଷ ଧରାରେ ଅବତୀର୍ଣ୍ଣ ହେଇଛନ୍ତି; ସେମାନେ କେଉଁ ଜଣେ ମା'କୁ ମାଧ୍ୟମ କରି ଆସିଛନ୍ତି । ମା'ର ବିକଳ୍ପ ନାହିଁ କି ତୁଳନା ନାହିଁ । ଭଗବାନ ବିଷ୍ଣୁ ଯେଉଁ କ୍ଷୀର ସାଗରରେ ଶୟନ କରୁଛନ୍ତି; ତାହା ଜଣେ ମା'ର ପଣତ କାନିଠୁ ନିହାତି ଛୋଟ । ସେଥିପାଇଁ କୁହାଯାଏ, ଭଗବାନ ସବୁଠି ସବୁ ସମୟରେ ରହିପାରିବେନି ବୋଲି ମା'କୁ ସୃଷ୍ଟି କରିଛନ୍ତି । ଏଣୁ ସାରଳା ଦାସଙ୍କ ରଚିତ ଚଣ୍ଡୀ ପୁରାଣ ଅନୁଯାୟୀ, ଦୁର୍ଭୟ ମହିଷାସୁରର ଭାର ସହି ନ ପାରି ସକଳ ଦେବତା ସମବେତ କଣ୍ଠରେ ପବିତ୍ର ଅଗ୍ନିକୁଣ୍ଡରେ ଆହୁତି ଦେଇ ମହାପ୍ରଭୁ ଭଗବାନ ବିଷ୍ଣୁଙ୍କୁ ବିନମ୍ର ପ୍ରାର୍ଥନା ଜଣାଇବାରୁ ଦେବଗଣଙ୍କ ଦୁର୍ଗତି କାଳରେ ଦେବୀ ଅନଳ ଗର୍ଭରୁ ଆବିର୍ଭାବ ହୋଇ ମହିଷାସୁରକୁ ନିବାରି ସମଗ୍ରସୃଷ୍ଟିକୁ ରକ୍ଷାକରିଥିଲେ । ଏଣୁ ଦେବା ଦେବଗଣଙ୍କୁ ମହାଦୁର୍ଗତିରୁ ଉଦ୍ଧାର କରିଥିବାରୁ ସ୍ୱୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା ତାଙ୍କୁ ଦୁର୍ଗାନାମରେ ସୁବିଦିତ କରାଇଥିଲେ । 
ସୃଷ୍ଟିରର କଲ୍ୟାଣ ସାଧନ ସହିତ ସତ୍ୟ, ଧର୍ମ ଓ ନ୍ୟାୟର ପ୍ରତିଷ୍ଠା ପାଇଁ ଯୁଗେଯୁଗେ ମହାଦେବୀଙ୍କର ଧରାପୃଷ୍ଠରେ ଆବିର୍ଭାବ ହୋଇଥାଏ  । ମାତୃଶକ୍ତିର ଏହି ଅତୁଳନୀୟ ଅବଦାନ ଭାରତୀୟ ସଂସ୍କୃତିକୁ ଋଦ୍ଧିମନ୍ତ କରି ରଖିଛି ସଦାକାଳ । ସେହିପରି ଭାରତୀୟ ସମ୍ବିଧାନ ମଧ୍ୟ ମାତୃଶକ୍ତି ବା ନାରୀ ଶକ୍ତିକୁ ଯଥାମାନ୍ୟ ସମ୍ମାନ ଓ ଗୁରୁତ୍ୱ ଦେଇଆସୁଛି । ପରିବର୍ତ୍ତିତ ଆଧୁନିକ ଯୁଗରେ ଅନେକକ୍ଷେତ୍ରରେ ନାରୀ ଆଜି ସ୍ୱ୍ୱାବଲମ୍ବୀ ହୋଇପାରିଛି  ।ଆଜିର ଯାନ୍ତ୍ରିକ ଯୁଗରେ, ନାରୀ ପାରମ୍ପରିକ ସାମାଜିକ ପ୍ରତିବନ୍ଧକକୁଏଡାଇ ଏବେ ପୁରୁଷ ପ୍ରାଧାନ୍ୟ ବିଶ୍ୱ ସହିତ କାନ୍ଧ ମିଳାଇ ·ଲିଲାଣି । ଏକବିଂଶ ଶତାବ୍ଦୀର ଡିଜିଟାଲ ଦୁନିଆରେ ନାରୀ ଆଜି ଋଢିବାଦୀ ସାମାଜିକ ବନ୍ଧନକୁ କାଟି ପ୍ରଜ୍ଞାବାଦୀ ହୋଇପାରିଛି  । ଏଥିପାଇଁ ସାମାଜିକ ସ୍ତରରୁ ଆରମ୍ଭ କରି ରାଜନୈତିକ ସ୍ତରରେ ବର୍ତ୍ତମାନ ଅନେକ ପ୍ରଚେଷ୍ଟା କରାଯାଉଛି  । ଅଖଣ୍ଡ ଭାରତବର୍ଷରେ ମଧ୍ୟ ନାରୀ ସଶକ୍ତିକରଣ ସ୍ପଷ୍ଟ ଅନୁମେୟ  । ଭାରତର ପୂର୍ବପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧିଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କପର୍ଯ୍ୟନ୍ତ ଅନେକ ମହିୟସୀ ତଥା ପ୍ରତିଭାବାନ ମହିଳାଙ୍କ ଅନ୍ତୁଡିଶାଳ ହେଉଛି ଭାରତ । ଲିଙ୍ଗଗତ ପକ୍ଷପାତିତାକୁ ଭାଙ୍ଗି ଏକସମାନତା ଭରା ଦେଶ ଗଠନ କରିବା ନିମନ୍ତେ ବର୍ତ୍ତମାନ ରାଜନୈତିକ ସ୍ତରରେ ଅନେକ ଯୋଜନା ପ୍ରଣୟନ କରାଯାଇ କାର୍ଯ୍ୟକାରୀ କରାଯାଉଛ । ଯାହା ଫଳରେ ନାରୀ ଆଜି ଘର କୋଣରେ ଅଲୋଡା ହୋଇ ରହିନାହିଁ, ବରଂ ଅନେକ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦିତ କରିବା ସହିତ ଆତ୍ମନିର୍ଭର ହୋଇପାରିଛ । ସରକାରଙ୍କ ବେଟି ବ·ଓ, ବେଟି ପଢାଓ ଯୋଜନାଠାରୁ ଆରମ୍ଭକରି ସୁକନ୍ୟା ସମୃଦ୍ଧ ଯୋଜନା ପର୍ଯ୍ୟନ୍ତ ଅନେକ ଯୋଜନା ନାରୀ ସଶକ୍ତିକରଣ ଦିଗରେ ଏକ ଅଗ୍ରଗାମୀ ଭୂମିକା ନେଇଛିି  ।
ବିଶ୍ୱ ଗୁରୁ ଭାବରେ ବୈଶ୍ୱିକ ଦରବାରରେ ନିଜର ଉପସ୍ଥିତିକୁ ଜାହିର କରିବା ପାଇଁ ବର୍ତ୍ତମାନ ଭାରତ ନାରୀ ସଶକ୍ତିକରଣ ତଥାମହିଳା ବିକାଶ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରି ସେମାନଙ୍କୁ ସ୍ୱ୍ୱାବଲମ୍ବୀ ତଥା ଆତ୍ମନିର୍ଭର କରିବା ସହିତ ସ୍ୱ୍ୱାଧୀନଭାବରେ ନିଜର ଜୀବନଯାପନ କରିବାକୁ ଏକ ପ୍ରଶସ୍ତ ମାର୍ଗ ପ୍ରଦାନ କରିବାର ପ୍ରୟାସ ଜାରି ରଖିଛି  । ନାରୀମାନଙ୍କର ବିବାହଯୋଗ୍ୟ ବୟସରେ ବୃଦ୍ଧି ସହିତ କନ୍ୟା ସନ୍ତାନ ଜନ୍ମକୁ ପ୍ରୋତ୍ସାହିତ କରିବା ନିମନ୍ତେ ତୃଣମୂଳ ସ୍ତରରୁ ଅନେକ ପ୍ରୟାସ କରାଯାଉଛି  ।ଫଳରେ ନାରୀ ଆଜି ରାଜନୀତି, ମହାକାଶ ବିଜ୍ଞାନ, ଖେଳକୁଦ ଓ ଲେଖାଲେଖି ଭଳି ଅନେକ କ୍ଷେତ୍ରରେ ନିଜକୁ ଦକ୍ଷ ପ୍ରମାଣିତ କରିପାରିଛି । ଏହି କ୍ରମରେ ନାରୀଶକ୍ତିର ଉତ୍ତରୋତ୍ତର ବିକାଶ ପାଇଁ ସଦ୍ୟତମ ଆଇନରେ ପରିଣତ ହୋଇଛି ନାରୀ ଶକ୍ତି ବନ୍ଦନ ଅଧିନିୟମ ବା ମହିଳା ସଂରକ୍ଷଣ ବିଲ । ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ନିଶ୍ଚିତ କରୁଥିବା ଏହି ମହିଳା ସଂରକ୍ଷଣ ବିଲ୍- ନାରୀଶକ୍ତି ବନ୍ଦନ ଅଧିନିୟମ ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଗୃହୀତ ହେବା ଦେଶପାଇଁ ଏକ ଐତିହାସିକ ଘଟଣା ମଧ୍ୟ ହୋଇପାରିଛି  । ଏହା ରାଜନୈତିକ କ୍ଷେତ୍ରରେ ମହିଳାମାନଙ୍କ ଭୂମିକାକୁ ଅଧିକ ମହତ୍ତ୍ୱ ପ୍ରଦାନକରିବ  ।  ଏହି ବିଲ୍ ଏବେ ଗୃହୀତ ହୋଇଥିଲେ ହେଁ ଏହାକୁ ୨୦୨୯ ଲାଗୁହେବ, କାରଣ ୨୦୨୬ ପରେ ଜନଗଣନା ଆଧାରରେ ସୀମା ପୁନଃନିଦ୍ଧାରଣ ପରେ ଏହି ଆଇନ କାର୍ଯ୍ୟକାରୀ ହେବ । ଏଥିରେ ଧାରା ୩୩୦ଇ ବଳରେ ଲୋକସଭାରେ ଏସସି ଏବଂ ଏସଟି ମହିଳାଙ୍କ ପାଇଁ ଁସଂରକ୍ଷଣ ଓ ସଂରକ୍ଷିତ ଆସନ ଗୁଡିକର ଏକତୃତୀୟାଂଶ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ  । ଏଥି ସହିତ ଲୋକସଭାରେ ପ୍ରତ୍ୟକ୍ଷ ନିର୍ବାଚନ ଦ୍ୱାରା ପୂରଣ ହେବାକୁ ଥିବା ମୋଟ ସିଟ୍ ମଧ୍ୟରୁ ୩ଟି ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ  । ସେହିପରି ୨୩୯ଇଇ ଧାରା ଆଧାରରେ ଦିଲ୍ଲୀ ବିଧାନସଭାରେ ମହିଳାମାନଙ୍କ ପାଇଁ ସିଟ୍ ସଂରକ୍ଷିତ ରହିବ । ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଆସନଗୁଡିକରେ ଏକତୃତୀୟାଂଶ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବାର ମଧ୍ୟ ପ୍ରାବଧାନ ହୋଇଛି । ଏକ ପ୍ରକାର କହିବାକୁ ଗଲେ ମୋଟ ଆସନଗୁଡିକର ଏକତୃତୀୟାଂଶ ପ୍ରତ୍ୟକ୍ଷ ନିର୍ବାଚନ ଦ୍ୱାରା ପୂରଣ ହେବ  । ସଂସଦ ଦ୍ୱାରା ସ୍ଥିର କରାଯାଇଥିବା ଆଇନ ମାଧ୍ୟମରେ ଅବଶିଷ୍ଟ ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ । ସେହିପରି ୩୩୨ଇ ଧାରା ଆଧାରରେ ପ୍ରତ୍ୟେକ ରାଜ୍ୟ ବିଧାନସଭାରେ ମହିଳାମାନଙ୍କ ପାଇଁ ସଂରକ୍ଷିତ ସିଟ୍, ଏସସି ଏବଂ ଏସଟି ପାଇଁ ସଂରକ୍ଷିତ ଆସନଗୁଡିକର ଏକତୃତୀୟାଂଶ ଏସସି ଏବଂ ଏସଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିବ  । ସିଧାସଳଖ ନିର୍ବାଚନ ଦ୍ୱାରା ପୂରଣ ହେବାକୁ ଥିବା ମୋଟ ସିଟ୍ ମଧ୍ୟରୁ ୩ ଟି ସିଟ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ  । ୩୩୪ଇ ଧାରା ଆଧାରରେ ପ୍ରଥମେ ଜନଗଣନାର ସମ୍ପୃକ୍ତ ତଥ୍ୟ ପ୍ରକାଶ ପାଇବା ପରେ ଏବଂ ଡିଲିମିଟ୍ କରାଯିବା ପରେ ଏହି ସଂରକ୍ଷଣ ପ୍ରଯୁଜ୍ୟ ହେବ  । ମହିଳାମାନଙ୍କ ପାଇଁ ଆସନଗୁଡିକର ଘୂର୍ଣ୍ଣନ ପ୍ରତ୍ୟେକ ବିସ୍ତାର ପ୍ରକ୍ରିୟା ପରେ ପ୍ରଭାବଶାଳୀ ହେବ  । ଏହିପରି ଭାରତୀୟ ସମ୍ବିଧାନରେ ନାରୀ ମାନଙ୍କ ଗୁରୁତ୍ୱ ଦେଇ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି ଭାରତ ସରକାର ।
ସେହିପରି ଭାରତୀୟ ସମ୍ବିଧାନ ସମାଜରେ ମହିଳାମାନଙ୍କ ସମ୍ମାନ ଏବଂ ସୁରକ୍ଷିତ ପାଇଁ ବହୁ ପୂର୍ବରୁ କିଛି ଅଧିକାର ଦେଇଛି । ସମାନ ବେତନ ପାଇବା ଅଧିକାର, ନାମ ଏବଂ ପରିଚୟ ଗୁପ୍ତ ରଖିବାର ଅଧିକାର, ମାତୃତ୍ୱ ସୁବିଧା ପ୍ରାପ୍ତ ଅଧିକାର, ରାତିରେ ଗିରଫ ନହେବା ଅଧିକାର, ମାଗଣା ଆଇନଗତ ସହାୟତା ଅଧିକାର ଆଦି ସମ୍ବିଧାନ କିଛି ଗୁରୁତ୍ୱପୂର୍ଣ୍ଣ ଅଧିକାର ଆମ ସମ୍ବିଧାନ ମହିଳାମାନଙ୍କୁ ଦେଇଛି । ଭାରତୀୟ ସମ୍ବିଧାନର ଧାରା ୧୪, ୧୫(୧) ୧୬, ୩୯(ଊ), ୧୫(୩)୫୧(ଇ) ଓ ୪୨ ଅନୁସାରେ ଭାରତୀୟ ମହିଳାମାନଙ୍କୁ ସମାନଅଧିକାର, ନିରାପତ୍ତାର ସମ୍ପୂର୍ଣ୍ଣ ଅଧିକାର ପ୍ରାପ୍ତ କରାଯାଇଛି  । ସ୍ୱ୍ୱାଧୀନ ଭାରତର ସମ୍ବିଧାନରେ ମହିଳାମାନଙ୍କ ଅଧିକାରକୁ ପୁରୁଷମାନଙ୍କ ସହ ସର୍ବବିଧ ଭାବରେ ସମାନ ଅଗ୍ରାଧିକାର ଦିଆଯାଇଛି । ମହିଳାମାନଙ୍କ ପୂର୍ଣ୍ଣ ସ୍ୱ୍ୱାଧୀନତା ଓ ଅଧିକାରକୁ ସଂରକ୍ଷିତ କରିବା ପାଇଁ ସ୍ୱ୍ୱାଧୀନତା ପରେ ମଧ୍ୟ ଅନେକ ବିଧେୟକ ଭାରତ ପାର୍ଲିଆମେଣ୍ଟରେ ପ୍ରଣିତ ହେଇ ତାହାକୁ ବିଧିବଦ୍ଧ ଭାବରେ ପାଳନ ପ୍ରତି ଦୃଷ୍ଟି ଦିଆ ଯାଇଛି । ଶିକ୍ଷା, ବିଜ୍ଞାନ, କ୍ରୀଡ଼ା, ରାଜନୀତି, ସାମ୍ବାଦିକତା ଓ ଅନ୍ୟ ମିଡିଆ, ଫିଲ୍ମ ସବୁଥିରେ ଏବେ ମହିଳାମାନେ ତାଙ୍କ ସ୍ଥାନ ଦାଖଲ କରିଛନ୍ତି  । ଇନ୍ଦିରା ଗାନ୍ଧି ଭାରତର ପ୍ରଧାନମନ୍ତ୍ରୀ ଭାବରେ ୧୫ ବର୍ଷ ରହିଥିଲେ ଯାହାମହିଳା ଭାବରେ ବିଶ୍ୱର ସର୍ବାଧିକ ସମୟ ରାଷ୍ଟ୍ରମୁଖ୍ୟ ଭାବେ ରହିବା ରେକର୍ଡ  ।
ପ୍ରତ୍ୟେକ ନାରୀ ଭିତରେ ନିଶ୍ଚୟ ମା' ଟିଏ ଥାଏ । ଯିଏକି ଜଗତ କଲ୍ୟାଣ ପାଇଁ ସଦା କ୍ରିୟାଶୀଳ ଥାଏ କରୁଣା ମୁଦ୍ରାରେ । ନାରୀର ହୃଦୟକୋମଳତାଠୁ ବି କୋମଳୟ ତା'ର ଏ କୋମଳତା ତା'ର ଦୁର୍ବଳତା ନୁହେଁ । ସେ ଦୁଷ୍ଟ ନିବାରଣ ପାଇଁ ଭୀଷଣ ରୂପ ଧାରଣ କରିପାରେ । ସେ ଶସ୍ତ୍ର ଧାରଣ କରି ମହିଷାସୁର, ଭସ୍ମାସୁର, ନରକାସୁର, ଶୁମ୍ଭ-ନିଶୁମ୍ଭ, ଚଣ୍ଡମୁଣ୍ଡକୁ ବଧ କରିପାରେ । ବୀର ଶ୍ରୀରାମଙ୍କୁ ଦୀର୍ଘରଣରୁ ତ୍ରାହି ଦେଇ ସହସ୍ର ଶିରା ରାବଣକୁ ଅକ୍ଳେଶରେ ବଧ କରିପାରେ । ସଂସାର କଲ୍ୟାଣ ପାଇଁ ପାନ୍ନାଧାଈ ଭଳି ନିଜ ପୁତ୍ରକୁ ମରଣମୁହଁକୁ ଫୋପାଡ଼ି ତ୍ୟାଗର ଉଚ୍ଚାଦର୍ଶ ପ୍ରତିଷ୍ଠା କରିପାରେ । ଯେତେସବୁ ଉଚ୍ଚତମ ଗୁଣ ଅଛି; ତାହାସବୁ ପ୍ରକାଶିତ ହେଇଛି ନାରୀମାଧ୍ୟମରେ । ନାରୀକୁ ବୁଝି ବୁଝାଇବା ଏତେ ସହଜ ନୁହେଁ, କେବଳ ତାକୁ ଅନୁଭବ ହିଁ କରାଯାଇପାରେ ।
ନାୟକାଣୀଡିହି, ଭଦ୍ରକ
 ମୋ: ୭୮୦୯୦୩୭୬୦୮