ଜାତୀୟ କର୍କଟ ସଚେତନତା ଦିବସ
ଡ.ଉମେଶ ଚନ୍ଦ୍ର ପାତ୍ର : ସମଗ୍ର ବିଶ୍ୱରେ ପ୍ରତିବର୍ଷ ବୟାଅଶୀ ଲକ୍ଷ ଲୋକ କର୍କଟ ରୋଗରେ ମୃତ୍ୟୁ ବରଣ କରିଥାନ୍ତି ଓ ଏଥି ମଧ୍ୟରୁ ଚାଳିଶ ଲକ୍ଷ ଲୋକ ଅଳ୍ପ ବୟସରେ (୩୦ରୁ ୪୦ବର୍ଷ) ପ୍ରାଣ ହରାଇଥାନ୍ତି । ବିଭିନ୍ନ ପ୍ରକାର (ଏକଶତ) କର୍କଟ ବ୍ୟାଧି ମନୁଷ୍ୟକୁ ଆକ୍ରାନ୍ତ କରେ । ଦେଶ, ଜାତି, ବର୍ଣ୍ଣ ଓ ବୟସର ସମସ୍ତ ସୀମାକୁ ଅତିକ୍ରମ କରି ଏହି ବ୍ୟାଧି ସମଗ୍ର ମନୁଷ୍ୟ ସମାଜ ପାଇଁ ମୃତ୍ୟୁର ଏକ ଭୟାବହ ବିଭୀଷିକା ରଚନା କରିଅଛି । ପୁରୁଷମାନେ ସାଧାରଣତଃ ଫୁସ୍ଫୁସ୍ କ୍ୟାନସର, ପ୍ରୋଷ୍ଟେଟ୍ କ୍ୟାନସର, ବୃହଦାନ୍ତ୍ର କ୍ୟାନସର ଓ ପାକସ୍ଥଳୀ କ୍ୟାନସରରେ ଆକ୍ରାନ୍ତ ହୁଅନ୍ତି । ମହିଳାମାନେ ସ୍ତନ କ୍ୟାନସର, ବୃହଦାନ୍ତ୍ର କ୍ୟାନସର, ପିତ୍ତକୋଷ କ୍ୟାନସର, ଜନନେନ୍ଦ୍ରିୟ କ୍ୟାନସର ଓ ଫୁସ୍ଫୁସ୍ କ୍ୟାନସରରେ ଆକ୍ରାନ୍ତ ହୁଅନ୍ତି । ପିଲାମାନେ ସାଧାରଣତଃ ରକ୍ତ କ୍ୟାନସର, ମସ୍ତିଷ୍କ ଟ୍ୟୁମର ଓ ଲିମ୍ଫେମାରେ ଆକ୍ରାନ୍ତ ହୁଅନ୍ତି । ଚର୍ମ କ୍ୟାନସର ସଂଖ୍ୟା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି । ବୟସର ବୃଦ୍ଧି ସଙ୍ଗେ ସଙ୍ଗେ କ୍ୟାନସର ରୋଗୀଙ୍କର ସଂଖ୍ୟା ମଧ୍ୟ ବଢ଼ିଥାଏ ।
ପରିବେଶ ପ୍ରଦୂଷଣ ହିଁ କ୍ୟାନସର ରୋଗର ମୁଖ୍ୟ କାରଣ (୯୦ରୁ ୯୫%) । ୫ରୁ ୧୦% କର୍କଟ ରୋଗ ବାପା ମାଆଙ୍କ ପାଖରୁ ପିଲାମାନଙ୍କୁ ଆସିଥାଏ । ଧୂମପାନ (୨୫-୩୦%), ଅତ୍ୟଧିକ ଖାଦ୍ୟ ଖାଇବା ଓ ମୋଟା ହେବା (୩୦-୩୫%), ସଂକ୍ରମଣ (୧୫-୨୦%), ଆଣବିକ ବିକୀରଣ (୧୦%), ମଦ୍ୟପାନ (୧୦%), ଶାରୀରିକ ପରିଶ୍ରମ ନକରିବା, ଇତ୍ୟାଦି କ୍ୟାନସର ରୋଗର ମୁଖ୍ୟ କାରଣ । ଧୂମପାନ ଫୁସ୍ଫୁସ୍ କ୍ୟାନସରର ମୁଖ୍ୟ କାରଣ (୯୦%) । ଏହାବାଦ୍ ସ୍ୱରଯନ୍ତ୍ର କ୍ୟାନସର, ପାକସ୍ଥଳୀ କ୍ୟାନସର, ପରିସ୍ରାଥଳି କ୍ୟାନସର, ବୃକକ୍ କ୍ୟାନସର, ଖାଦ୍ୟନଳୀ କ୍ୟାନସର ଓ ଅଗ୍ନ୍ୟାଶୟ କ୍ୟାନସର ମଧ୍ୟ ଧୂମପାନ ଯୋଗୁଁ ହୋଇଥାଏ । ଧୂମପାନରେ ୫୦ ପ୍ରକାରର ଉପାଦାନ ଅଛି ଯାହା କ୍ୟାନସର ସୃଷ୍ଟିର କାରଣ । ଏହା ଭିତରୁ ନାଇଟ୍ରୋସାମିନ୍ ଓ ପଲିସାଇକ୍ଲିକ୍ ଏରୋମାଟିକ୍ ହାଇଡ୍ରୋକାର୍ବନ ମୁଖ୍ୟ । ମଦ୍ୟପାନ କ୍ୟାନସର ରୋଗର ଅନ୍ୟ ଏକ କାରଣ । ମୁଖ୍ୟତଃ ଏହା ଯକୃତ କ୍ୟାନସର ଓ ଖାଦ୍ୟନଳୀ କ୍ୟାନସର କରିଥାଏ । କଳକାରଖାନା ମାନଙ୍କରେ କାମ କରୁଥିବା ସହସ୍ରାଧିକ ବ୍ୟକ୍ତି କ୍ୟାନସର ରୋଗରେ ଆକ୍ରାନ୍ତ ହୁଅନ୍ତି (୨-୨୦%) । ପ୍ରତିବର୍ଷ ଦୁଇ ଲକ୍ଷ ବ୍ୟକ୍ତି କଳକାରଖାନା ପ୍ରଦୂଷଣ ଯୋଗୁଁ କର୍ମସ୍ଥଳୀରେ କ୍ୟାନସର ରୋଗରେ ଆକ୍ରାନ୍ତ ହୁଅନ୍ତି । ଏଜ୍ବେଷ୍ଟସ୍ ତନ୍ତୁ ବା ଧୂମ ସେବନ ଦ୍ୱାରା ଫୁସ୍ଫୁସ୍ କ୍ୟାନସର ହୁଏ ଓ ଟୋବେନ୍ଜିନ୍ ଦ୍ୱାରା ରକ୍ତ କ୍ୟାନସର ହୁଏ । ଅତ୍ୟଧିକ ଆମିଷ ଖାଦ୍ୟ, ଶାରୀରିକ ଶ୍ରମ ବିମୁଖତା ଓ ମୋଟାପଣ ଯୋଗୁଁ (୩୦-୩୫%) ମଧ୍ୟ କ୍ୟାନସର ହୋଇଥାଏ । ଶାରୀରିକ ପରିଶ୍ରମ ନକଲେ ଲୋକମାନେ ମୋଟା ହୋଇଯାନ୍ତି ଓ ସେମାନଙ୍କର ରୋଗ ପ୍ରତିରୋଧକଶକ୍ତି ଓ ଅନ୍ତଃସ୍ରାବୀ ସମନ୍ୱୟତା କମିଯାଏ । ଅତ୍ୟଧିକ ଲୁଣ ସେବନ କଲେ ପାକସ୍ଥଳୀ କ୍ୟାନସର ହୁଏ ।
ଜାପାନରେ ପାକସ୍ଥଳୀ କ୍ୟାନସର ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଖାଦ୍ୟନଳୀ (ବୃହଦାନ୍ତ୍ର) କ୍ୟାନସର ଅତ୍ୟଧିକ ଅଧିକ ଲୁଣ ସେବନ ଯୋଗୁଁ ହୋଇଥାଏ । ଖାଦ୍ୟ ପଦାର୍ଥ ଆଫ୍ଲାଟକ୍ସିନ୍ ଦ୍ୱାରା ଆକ୍ରାନ୍ତ ହେଲେ ଲିଭର କ୍ୟାନସର ହୁଏ ଓ ପାନ ଖାଇଲେ ମୁଖଗହ୍ୱର କ୍ୟାନସର ହୁଏ । ବିଭିନ୍ନ ଭୂତାଣୁ ଦ୍ୱାରା ମଧ୍ୟ କ୍ୟାନସର ହୋଇଥାଏ । ମହିଳା ମାନଙ୍କର ହ୍ୟୁମାନ୍ ପେପିଲୋମା ଭୂତାଣୁ ଜନନେନ୍ଦ୍ରିୟ କ୍ୟାନସରର କାରଣ । ଏବଷ୍ଟିନ୍ ବାର ଭୂତାଣୁ ଲିମ୍ଫୋମା ଓ ନାକ ଓ ଖାଦ୍ୟନଳୀ କ୍ୟାନସର କରେ । ହେପାଟାଇଟସ୍ ବି ଭୂତାଣୁ ଲିଭର କ୍ୟାନସରର ମୁଖ୍ୟ କାରଣ । ହେପାଟାଇଟିସ୍ ସି ମଧ୍ୟ ଯକୃତ କ୍ୟାନସର କରେ । ପରିବେଶ ପ୍ରଦୂଷଣ ଓ ଜୀବନ ଶୈଳୀ ଓ ଖାଦ୍ୟପେୟ ପରିବର୍ତ୍ତନ ମାଧ୍ୟମରେ ୭୦-୯୦% କର୍କଟ ରୋଗ ନିରାକରଣ ସାପେକ୍ଷ । ଧୂମପାନ, ମଦ୍ୟପାନ, ଅତ୍ୟଧିକ ମୋଟାପଣ, ଶାରୀରିକ ଶ୍ରମ ବିମୁଖତା ଓ ବାୟୁ ପ୍ରଦୂଷଣ ଇତ୍ୟାଦିର ନିରାକରଣରେ କ୍ୟାନସର ବ୍ୟାଧିକୁ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ । ଆମିଷ ଖାଦ୍ୟରେ ଶରୀର ବିଧାନ ଅତ୍ୟଧିକ ଉତ୍ତେଜିତ ଓ ଜର୍ଜରିତ ହୁଏ । ମାଛ, ମାଂସ, ପିଆଜ, ରସୁଣ ଓ ମାଦକ ଦ୍ରବ୍ୟ ସର୍ବଦା ବର୍ଜନୀୟ । ନିରାମିଷ ଖାଦ୍ୟ, ଯଥେଷ୍ଟ ପରିମାଣରେ ପନିପରିବା ଓ ଫଳ ସେବନ କର୍କଟ ବ୍ୟାଧିର ନିରାକରଣରେ ସାହାଯ୍ୟ କରେ । ଟିକା ନେବା (ହେପାଟାଇଟିସ୍ ବି ଓ ପେପିଲୋମା ଭାଇରସ୍) ମାଧ୍ୟମରେ ଲିଭର କ୍ୟାନସର ଓ ଜନନେନ୍ଦ୍ରିୟ କ୍ୟାନସର ନିରାକରଣ ହୋଇପାରିବ ।
ମୋ: ୯୪୩୭୦୫୧୯୫୭