ଆରଏସଏସ୍ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ : ଆଜି ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ

ହିନ୍ଦୁ ନବବର୍ଷ ଅବସରରେ ଆଜି ବାଲେଶ୍ୱରରେ ଆୟୋଜିତ ହୋଇଯାଇଛି ପଥ ଉତ୍ସବ । ଫକୀର ମୋହନ ଗୋଲେଇରୁ ଆରମ୍ଭ କରି ଷ୍ଟେସନ ଛକ ପର୍ଯ୍ୟନ୍ତ ଗୋଟାଏ ପଟ ରାସ୍ତା ଅବରୋଧ କରାଯାଇ ଚାଲିଥିଲା  ପଥ ଉତ୍ସବ ।  ରାସ୍ତାର ଶୋଭା ବଢ଼େଇଥିଲା ଝୋଟି ଚିତା ସହ ହୋଇଥିବା ବିଭିନ୍ନ ପ୍ରକାରର ଷ୍ଟଲ । କିଏ ନୃତ୍ୟ ପ୍ରଦର୍ଶନ କରିଛନ୍ତି ତ କିଏ ଯୋଗ ଅଭ୍ୟାସ ସୁସ୍ଥ ଜୀବନର ବାର୍ତ୍ତା ଦେଇଛନ୍ତି  ।  କିଏ ଗୀତ ଗାଇଛନ୍ତି ତ କିଏ ଗଜା ମୁଗ ବୁଟ ଖାଇବାକୁ ଦେଇଛନ୍ତି । ବେଦ ପାଠ, ହୋମ ଯଜ୍ଞ, ମନ୍ତ୍ର ଧ୍ଵନିରେ ଏହି ଅଞ୍ଚଳ ନୂଆ ଉର୍ଜା ଯୋଗାଉଥିବା ଓ ଏମିତି କାର୍ଯକ୍ରମ ବାରମ୍ଵାର ହେବାର ଆବଶ୍ୟକତା ଅଛି ବୋଲି ଲୋକ କହିଛନ୍ତି  ।  ସେପଟେ କାମାକ୍ଷାନଗର ଓ ଭୁବନ ସହରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଧୁମଧାମରେ ପାଳନ କରାଯାଇଛି , କାମାକ୍ଷାନଗରରେ ଏହି ଅବସରରେ ପତଞ୍ଜଳି ଯୋଗ ସମିତି, ହିନ୍ଦୁ ଏକତା ମଞ୍ଚ, ଅବସର ପ୍ରାପ୍ତ ସୈନିକ ସଂଘ ତରଫରୁ ଏକ ଶୋଭାଯାତ୍ରା ଆୟୋଜନ କରାଯାଇ କାମାକ୍ଷାନଗର ସହର ପରିକ୍ରମା କରାଯାଇଥିଲା । ହିନ୍ଦୁ ମାନଙ୍କ ମଧ୍ୟରେ ଭାତୃତ୍ବ ଓ ଜାଗରଣ ସୃଷ୍ଟି ପାଇଁ ସଚେତନତା ମଧ୍ୟ କରାଯାଇଛି ।  ସେହିପରି ଭୁବନରେ ରାମମନ୍ଦିର ପରିଚାଳନା ସମିତି ତରଫରୁ ଏକ ଗଣଦୌଡ଼ ର ଆୟୋଜନ କରାଯାଇ ରାଷ୍ଟ୍ରୀୟ ନବବର୍ଷ ପାଳନ କରାଯାଇଛି ।  କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ଭୁବନ ଏନଏସି ଅଧ୍ୟକ୍ଷ ଶୁଭେନ୍ଦୁ ସାହୁ ଓ ଶହ ଶହ ସଂଖ୍ୟାରେ ଲୋକଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।