ଗ୍ରୀଷ୍ମପ୍ରବାହ ପାଇଁ ଆନ୍ତଃରାଜ୍ୟ ପ୍ରସ୍ତୁତି ବୈଠକ
ଝାରସୁଗୁଡା : ରୌଦ୍ରତାପର ମୁକାବିଲା ତଥା ଗାଡ଼ି ଚାଳକଙ୍କ ସୁରକ୍ଷା ପାଇଁ ଏକ ଆନ୍ତଃରାଜ୍ୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଲଖନପୁର ଏମ୍ସିଏଲ ସ୍ଥିତ ତ୍ରିବେଣୀ ଗେଷ୍ଟ ହାଉସ୍ ଠାରେ ଅନୁଷ୍ଠିତ ଏହି ଆନ୍ତଃରାଜ୍ୟ ବୈଠକରେ ଝାରସୁଗୁଡା ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ, ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରାଇଗଡ଼ ଜିଲ୍ଲାପାଳ କାର୍ତ୍ତିକେୟ ଗୋଏଲ, ଝାରସୁଗୁଡା ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର, ରାଇଗଡ ଆରକ୍ଷୀ ଅଧିକ୍ଷକ ଦିବ୍ୟାଙ୍ଗ ପଟେଲ, ଝାରସୁଗୁଡା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) କିଶୋର ଚନ୍ଦ୍ର ସ୍ୱାଇଁ, ରାଇଗଡ଼ ଅତିରିକ୍ତ ଜିଲ୍ଲାପାଳ ରବି ରାହି, ରାଇଗଡ ଏସ୍ଡିଏମ୍ ପ୍ରବୀଣ କୁମାର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଉମାକାନ୍ତ ପ୍ରଧାନ, ରାଇଗଡ଼ ଖଣି ଉପନିଦେ୍ର୍ଦଶକ, ଉଭୟ ଜିଲ୍ଲାର ଆଞ୍ଚଳିକ ପରିବହନ ଅଧିକାରୀ, ବ୍ରଜରାଜନଗର, ଇବ ଭ୍ୟାଲି ଓ ଲଖନପୁର ଏମ୍ସିଏଲ୍ କ୍ଷେତ୍ର ପ୍ରବନ୍ଧକ ଓ ଏନଟିପିସି ଲାରାର ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ । ରୌଦ୍ରତାପ ସମୟରେ ଡ୍ରାଇଭର, ହେଲପର ଓ ଅନ୍ୟ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଉଭୟ ରାଜ୍ୟ ମଧ୍ୟରେ ବିଶେଷ କରି ଛତିଶଗଡ଼ ଓ ଝାରସୁଗୁଡା ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ ପାଣିପାଗ ସମ୍ୱନ୍ଧୀୟ ତଥ୍ୟ ଆଦାନ ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଖଣିଜ ଦ୍ରବ୍ୟ ବିଶେଷ କରି କୋଇଲା, ଫ୍ଲାଇଆସ ଓ ଲଘୁ ଖଣିଜ ଦ୍ରବ୍ୟ ପରିବହନ କ୍ଷେତ୍ରରେ ଉଭୟ ରାଜ୍ୟ ମଧ୍ୟରେ ସହଯୋଗ ଓ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରାଯାଇଛି । ଭାରିଯାନ ଗୁଡିକର ଚଳପ୍ରଚଳ ଉପରେ ମିଳିତ ଭାବେ କଟକଣା ନିୟନ୍ତ୍ରଣ କରିବାକୁ ଗୁରୁତ୍ୱାରୋପ କରାଯିବା ସହ ଡ୍ରାଇଭର, ଗାଡ଼ି ମାଲିକ, ବିଭିନ୍ନ ଗାଡ଼ି ମାଲିକ ସଂଘ, ପରିବହନ ସଂସ୍ଥା ଓ ସର୍ବସାଧାରଣସ୍ତରରେ ସଚେତନତା ସୃଷ୍ଟି ନିମନ୍ତେ କି କି ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି । ଅଂଶୁଘାତ ଜନିତ ଲକ୍ଷଣ ପ୍ରକାଶ ପାଇଲେ କିପରି ପ୍ରାଥମିକ ଚିକତ୍ସା କରାଯିବ ସେ ସମ୍ପର୍କରେ ପରିବହନ ସଂସ୍ଥା ଓ ଖଣି ମାଲିକମାନେ ଡ୍ରାଇଭର ଓ ହେଲପରମାନଙ୍କର ତାଲିମ ଶିବିର ଆୟୋଜନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଜାତୀୟ ରାଜପଥ ୪୯ ଉଭୟ ପାର୍ଶ୍ୱରେ ଯଥେଷ୍ଟ ସଂଖ୍ୟକ ଜଳଛତ୍ର ଖୋଲିବା ନିମନ୍ତେ ବେଳପାହାଡ଼, ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଏବଂ ଏମ୍ସିଏଲ୍ ଓ ଏନଟିପିସି ଲାରା କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ପ୍ରଦାନ କରାଯାଇଛି । ସେହିପରି ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ପାନୀୟ ଜଳର ସୁବ୍ୟବସ୍ଥା କରିବା ନିମନ୍ତେ ଯୋଗାଣ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏପ୍ରିଲ ଓ ମେ’ ମାସରେ ଦିନ ୧୦ଟାରୁ ଅପରାହ୍ନ ୪ଟା ମଧ୍ୟରେ ଅଣବାତାନୁକୂଳିତ ଗାଡି ଚଳାଚଳ ଉପରେ ରୋକ ଲଗାଇବାକୁ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପରିଶେଷରେ ଝାରସୁଗୁଡାର ଆରକ୍ଷୀ ଅଧିକାରୀ ସ୍ମିତ ପି ପରମାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।