ଧନୁଯାତ୍ରା ସମାଜରେ ଭାଇଚାରା ପ୍ରତିଷ୍ଠା କରୁଛି: ଧର୍ମେନ୍ଦ୍ର
କୁଚିଣ୍ଡା/ସମ୍ବଲପୁର : ଧନୁଯାତ୍ରା ଉତ୍ସବ ସମାଜରେ ଭାଇଚାରା ଏବଂ ସୁଶାସନ ପ୍ରତିଷ୍ଠା କରିବା ଦିଗରେ ଅନ୍ୟତମ ମାଧ୍ୟମ ହୋଇଛି ବୋଲି ଖଣ୍ଡକୋଟାରେ ଆୟୋଜିତ ୩୨ତମ ବିରାଟ ଧନୁଯାତ୍ରା ମହୋତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମର ବିଜୟ ତଥା ସମାଜରେ ନ୍ୟାୟପୂର୍ଣ୍ଣ ଶାସନ ପ୍ରତିଷ୍ଠା କରିବା ହେଉଛି ଧନୁଯାତ୍ରାର ଅନନ୍ୟ ପରମ୍ପରା । ଏହି ଧନୁଯାତ୍ରା ମହୋତ୍ସବରେ ବହୁ ସଂଖ୍ୟାରେ ଲୋକମାନେ ସମବେତ ହେବା ସେମାନଙ୍କ ଧାର୍ମିକ ଭାବନାକୁ ପ୍ରତିଫଳିତ କରୁଛି । ଧନୁଯାତ୍ରା ଉତ୍ସବକୁ ନେଇ ଲୋକଙ୍କ ମଧ୍ୟରେ ଖୁସି ଅଛି । ପଲ୍ଲିଶ୍ରୀ ମେଳା ଆୟୋଜନ କରାଯିବା ସହ ପ୍ରତିଭାବାନ ଯୁବ ବର୍ଗ ଓ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉଛି । ଐତିହାସିକ ଖଣ୍ଡକୋଟାର ଧନୁଯାତ୍ରା ଲୋକାଦୃତ ହେଉଛି । ଧନୁଯାତ୍ରା ମାଧ୍ୟମରେ ଦୀର୍ଘ ୩୨ ବର୍ଷ ଧରି ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରୁଥିବାରୁ ଆୟୋଜକ ବନ୍ଧୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ।